ଟ୍ରେନ ଦୁର୍ଘଟଣାରେ ଗୋଟିଏ ହାତ ଓ ଦୁଇଟି ଗୋଡ଼ ହରାଇଥିବା ସୁରଜ, ତିନିଟି ଆଙ୍ଗୁଳିରେ ଦେଇଥିଲେ ୟୁପିଏସସି ପରୀକ୍ଷା , ୯୧୭ ନମ୍ବର ସ୍ଥାନରେ ଉତ୍ତୀର୍ଣ୍ଣ
ନୂଆଦିଲ୍ଲୀ: ୟୁପିଏସସି ୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ଚଳିତବର୍ଷ ୯୩୩ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏଥିରୁ ୨୬ ଜଣ ଓଡ଼ିଶାରୁ ଅଛନ୍ତି । ଏହି ୨୬ଜଣଙ୍କ ମଧ୍ୟରୁ ୯ ଜଣ ପ୍ରଥମ ୧୦୦ ଜଣଙ୍କ ମଧ୍ୟରେ ଅଛନ୍ତି । ତେବେ ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି- ଗ୍ରେଟର ନୋଏଡ଼ାର ଇଶିତା କିଶୋର । ଇଶିତା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ କରିଥିବା ବେଳେ ତୃତୀୟ ପ୍ରୟାସରେ ଅଲଇଣ୍ଡିଆ ଟପ୍ପର ହୋଇଛନ୍ତି ।
ଏହି କ୍ରମରେ ଉତ୍ତରପ୍ରଦେଶର ମେନପୁରୀରେ ବସବାସ କରୁଥିବା ଦିବ୍ୟାଙ୍ଗ ସୁରଜ ତିୱାରୀ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଟ୍ରେନ ଧକ୍କାରେ ସୁରଜ ଦୁଇଟି ଗୋଡ଼ ଓ ଗୋଟିଏ ହାତ ହରାଇ ଦେଇଥିଲେ। ଏହା ସତ୍ତ୍ବେ ବି ତାଙ୍କର ଆତ୍ମବିଶ୍ବାସ ଭାଙ୍ଗି ନଥିଲା।ସେ ମାତ୍ର ତିନିଟି ଆଙ୍ଗୁଳି ସାହାଯ୍ୟରେ ବହୁ କଷ୍ଟରେ ଏହି ପରୀକ୍ଷା ଦେଇଥିଲେ। ସୁରଜ ୟୁପିଏସସି ପରୀକ୍ଷାରେ ୯୧୭ ନମ୍ବର ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୁରଜଙ୍କ ଏଭଳି ଅଫଳତା ଦେଖି ସମାଜବାଦୀ ପାର୍ଟି(ସପା)ର ମୁଖ୍ୟ ଅଖିଳେଶ ଯାଦବ ବି ଖୁସି ହୋଇଯାଇଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଟୁଇଟ କରି କହିଛନ୍ତି, ‘ମେନପୁରୀର ଦିବ୍ୟାଙ୍ଗ ସୁରଜ ତିୱାରୀ ଆଇଏଏସ ପରୀକ୍ଷାରେ ପ୍ରଥମ ପ୍ରୟାସରେ ସଫଳ ହୋଇ ପ୍ରମାଣ କରି ଦେଖାଇଛନ୍ତି କି ସଂକଳ୍ପର ଶକ୍ତି ଅନ୍ୟ ସମସ୍ତ ଶକ୍ତି ଠାରୁ ବଡ଼ ହୋଇଥାଏ। ସୁରଜ ‘ସୂର୍ଯ୍ୟ’ ଭଳି ପାଇଥିବା ଏହି ଉପଲବ୍ଧି ପାଇଁ ତୁମକୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ।’