ରାଜ୍ୟ

ମାଲକାନଗିରି ଜିଲ୍ଲା ଯୋଜନା କମିଟି ବୈଠକ
(ବିଜୁଳି, ରାସ୍ତା ଓ ପାନୀୟ ଜଳକୁ ଗୁରୁତ୍ଵ)

ମାଲକାନଗିରି, ୦୭/୦୬/୨୩:
ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବସେବା ଏବଂ ଗୃହ ତଥା ମାଲକାନଗିରି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତୁଷାରକାନ୍ତି ବେହେରା ମାଲକାନଗିରି ଗସ୍ତରେ ଆସି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ
ଜିଲ୍ଲା ଯୋଜନା କମିଟି ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ସେ ଏହି ଅବସରରେ କହିଛନ୍ତି ଯେ ଗୁରୁପ୍ରିୟା ସେତୁ ଉଦ୍ଘାଟନ ହେବାପର ଠାରୁ ଜିଲ୍ଲାରେ ପାନୀୟ ଜଳ, ରାସ୍ତା ଇତ୍ୟାଦି କ୍ଷେତ୍ରରେ ବହୁତ ଉନ୍ନତି ସାଧନ ହୋଇଛି। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଲୋକମାନେ ସ୍ଵାସ୍ଥ୍ୟ କ୍ଷେତ୍ରରେ ସୁବିଧା ପାଇପାରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦେଉଛନ୍ତି। ଲୋକମାନଙ୍କ ନିକଟରେ ଆମେ ଉତ୍ତରଦାୟୀ ହୋଇଥିବାରୁ ସେମାନଙ୍କର ଆବଶ୍ୟକତା ଓ ଉପଲବ୍ଧ ଭିତ୍ତିଭୂମି ଆଧାରରେ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାରେ ବିଜୁଳି , ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଓ ଜୀବନ ଜୀବିକା ଇତ୍ୟାଦି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ୫ଟିକୁ ସଫଳତାର ସହ କାର୍ଯ୍ୟ କରି ଜିଲ୍ଲାରେ ବିକାଶମୁଖୀ କାର୍ଯ୍ଯକୁ ତ୍ଵରାନିତ କରିବା ନିମନ୍ତେ ମଧ୍ଯ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ବୈଠକରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, ବିଧାୟକ ଚିତ୍ରକୋଣ୍ଡା ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲାପାଳ ବିଶାଲ ସିଂ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସିଂ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ବିଭିନ୍ନ ବିଭାଗ ଦ୍ବାରା ପ୍ରସ୍ତୁତ ହୋଇଥିବା ଯୋଜନାର ରୂପରେଖ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ବିଜୁ କେବିକେ ଯୋଜନାରେ ୨୦୨୧-୨୨ ଓ ୨୦୨୨-୨୩ ପ୍ରତ୍ୟେକ ଆର୍ଥିକ ବର୍ଷ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଅର୍ଥ ରାଶି ଅନୁମୋଦନ କରାଯାଇଛି । ସେହିପରି ବିସ୍ତୃତ ଜିଲ୍ଲା ଯୋଜନା(ସିଡ଼ିପି)ରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୫୮୫ କୋଟି ୪୯ ଲକ୍ଷ ୨୩ ହଜାର ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୧୧୦ କୋଟି ୨୩ ଲକ୍ଷ ୯ ହଜାର ଟଙ୍କା ଅର୍ଥରାଶି ଅନୁମୋଦନ କରାଯାଇଛି । ଏଥି ସହିତ ଚିତ୍ରକୋଣ୍ଡା ବ୍ଲକ୍ ରେ ପ୍ରାଣୀଧନ ବିଭାଗ ପକ୍ଷରୁ ଏକ ନୂତନ ପ୍ରାଣୀଧନ ଚିକିତ୍ସାଳୟ ପ୍ରତିଷ୍ଠା କରିବାର ପ୍ରସ୍ତାବକୁ ମଧ୍ୟ ପାରିତ କରାଯାଇଛି। ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳେଇ ବୈଠକର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *