ରାୟଗଡ଼ା ଜିଲ୍ଲାର ସବୁ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ କରାଯିବ: ୫-ଟି ସଚିବ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭିକେ ପାଣ୍ଡିଆନ ଆଜି ରାୟଗଡା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ ହେବା ସହିତ ସେମାନଙ୍କ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନେଇଛନ୍ତି।
୫-ଟି ସଚିବ ଶ୍ରୀ ପାଣ୍ଡିଆନ ପ୍ରଥମେ ରାୟଗଡାସ୍ଥିତ ନବନିର୍ମିତ ବିଜୁ ପଟ୍ଟନାୟକ ଅଡିଟୋରିୟମ ପରିଦର୍ଶନ କରି ଥିଲେ। ସେଠାରେ ସେ ଜିଲ୍ଲାର ବିଭିନ୍ନ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହିତ ମତ ବିନିମୟ କରି ୫-ଟି ଉପକ୍ରମରେ ଶିକ୍ଷାର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରେଣୀଗୃହ ଶିକ୍ଷାର ଗୁରୁତ୍ୱ, ଶିକ୍ଷାର ଗୁଣାତ୍ମକମାନ ଆଦି ବିଭିନ୍ନ ବିଷୟରେ ପିଲାମାନଙ୍କ ଚିନ୍ତାଧାରା ସମ୍ପର୍କରେ ଆଲୋଚନା କରିଥିଲେ । କଠିନ ପରିଶ୍ରମର ବିକଳ୍ପ ନାହିଁ ବୋଲି ମତ ଦେଇ ପିଲାମାନଙ୍କୁ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା ଜରିଆରେ ନିଜର ଉନ୍ନତିକରି ନିଜ ପରିବାର ଓ ଦେଶ ପାଇଁ ସୁନାମ ଆଣିବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲାର ସବୁ ସ୍କୁଲ ଓ କଲେଜର ଭିତ୍ତିଭୂମି ସମ୍ପର୍କରେ ଏକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକତା ଅନୁସାରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜିଲ୍ଲାର ସ୍କୁଲ କଲେଜଗୁଡିକର ଭିତ୍ତିଭୂମିର ଉନ୍ନତିପାଇଁ ୧୪.୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ୫-ଟି ସଚିବ କହିଥିଲେ।