ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ଓ ଚାଷଜମି ଫେରାଇବା ଅଭିଯାନ। ଛଇତନା ଗ୍ରାମରେ ବେଦାନ୍ତ ବିରୋଧୀଙ୍କ ସଭା।
ପୁରୀ, ୧୧-୬
ପୁରୀ- କୋଣାର୍କ ବେଳାଭୂମି ମାର୍ଗ ଉପକଣ୍ଠ ୨୨ ମୌଜା ଅଞ୍ଚଳର ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଏକରର ମୂଲ୍ୟବାନ ଚାଷଜମି, ଘରବାରୀ, ଗୋଚର ଓ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଜମିକୁ ଶାଗମାଛ ଦରରେ ଏକ ବିଶ୍ବସ୍ତରୀୟ ବିଶ୍ବବିଦ୍ୟାଳୟ କରିବା ଆଳରେ ବେଦାନ୍ତ କମ୍ପାନୀ ହାତେଇନେଇ ଥିଲା । ବେଦାନ୍ତ କମ୍ପାନୀକୁ ଏହି ଜମି ହସ୍ତାନ୍ତର ପାଇଁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲେ । ଯାହାକୁ ନେଇ ତୀବ୍ର ଜନ ଅସନ୍ତୋଷ ମୁଣ୍ଡ ଟେକିଥିଲା ଓ ପରବର୍ତ୍ତୀ ସମୟରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ଏହାକୁ ଦୃଢ଼ ବିରୋଧ କରିଥିଲା । ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ନେତୃତ୍ବରେ ବେଦାନ୍ତ ବିରୋଧୀମାନେ କେବଳ ପୁରୀ ସହର ନୁହେଁ, ରାଜ୍ୟବାସୀଙ୍କୁ ଏହି ବେଆଇନ୍ ଜମି ହସ୍ତାନ୍ତର ନେଇ ସଚେତନ କରିବା ସହ ନୂଆଦିଲ୍ଲୀ ଠାରେ ବିଶାଳ ଶୋଭାଯାତ୍ରାରେ ପ୍ରତିବାଦ କରିଥିଲେ । ହାଇକୋର୍ଟଙ୍କ ଠାରୁ ସୁପ୍ରିମକୋର୍ଟ ଯାଏଁ ବେଦାନ୍ତ କମ୍ପାନୀର ଏହି ଜମି ଦଖଲକୁ ବେଆଇନ ଦର୍ଶାଇବା ସହ କମ୍ପାନୀକୁ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିବା ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ଏବେ ଜମିହରା ପ୍ରଜାମାନେ କିପରି ତାଙ୍କ ଜମି ଫେରିପାଇବେ ସେ ନେଇ ପୁଣି ଏକ ସଂଘର୍ଷର ସୂତ୍ରପାତ ଆରମ୍ଭ ହୋଇଛି । ରବିବାର ପୂର୍ବାହ୍ନରେ ପୁରୀ ସଦର ୨୨ ମୌଜା ଅନ୍ତର୍ଗତ ଛଇତନା ଗ୍ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧି ସଙ୍ଘର୍ଷ ସମିତି ସଭାପତି ଦାମୋଦର ପ୍ରଧାନଙ୍କ ସଭାପତିତ୍ବରେ ଜମିହରା ପ୍ରଜାମାନେ କିପରି ତାଙ୍କ ଜମି ଫେରିପାଇବେ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ର, ଦେବୀ ପ୍ରସାଦ ପୃଷ୍ଟିଙ୍କ ସମେତ ବିଶ୍ବନାଥ ପ୍ରଧାନ, ରମେଶ ଚନ୍ଦ୍ର ପ୍ରଧାନ, ବିଷ୍ଣୁ ପ୍ରସାଦ ମିଶ୍ର, କୈଳାସ ଚନ୍ଦ୍ର ସ୍ଵାଇଁ, ପ୍ରଭାକର ଗୋଛୟତ, ହରପ୍ରସାଦ ଜେନା,ପର୍ଶୁରାମ ପ୍ରଧାନ, ଗଙ୍ଗାଧର ପ୍ରଧାନ, ଅଭିନ୍ନ ଚନ୍ଦ୍ର ସ୍ବାଇଁ, ରମେଶ ଦଳେଇ, ବୃନ୍ଦାବନ ପ୍ରଧାନ, ବଂଶୀଧର ପ୍ରଧାନ, ସୁକାନ୍ତ କୁମାର ଦାସ, ରାମଚନ୍ଦ୍ର ସ୍ବାଇଁ, ପ୍ରଭାକର ସ୍ୱାଇଁ, ଲକ୍ଷ୍ମଣ ପ୍ରଧାନ, ବ୍ରଜ କିଶୋର ପ୍ରଧାନ, ଦାମୋଦର ନାୟକ, ମଧୁସୂଦନ ରାଉତରାୟ, କିଶୋର ପ୍ରଧାନ, ପ୍ରଭାକର ସ୍ୱାଇଁ, ପ୍ରମୁଖ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ । ଏହି ଅବସରରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଆବାହକ ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ନିଜ ବ୍ୟକ୍ତବ୍ଯରେ ବେଦାନ୍ତ କମ୍ପାନୀ ହାତେଇଥିବା ଜମି ସମ୍ପୂର୍ଣ୍ଣ ବେଆଇନ କହିବା ସହ ଏ ସମ୍ପର୍କରେ ମାନ୍ୟବର ସୁପ୍ରିମକୋର୍ଟ ଓ ହାଇକୋର୍ଟ ଦେଇଥିବା ରାୟ ସମ୍ପର୍କରେ ଉପସ୍ଥିତ ମହଲଙ୍କୁ ସଚେତନ କରାଇଥିଲେ । ଦୀର୍ଘ ୧୭ ବର୍ଷର ଆଇନଗତ ଲଢେ଼ଇ ପରେ ମାନ୍ୟବର ସୁପ୍ରିମକୋର୍ଟ ଏହି ବେଆଇନ ଜମି ଅଧିଗ୍ରହଣ ନେଇ ବେଦାନ୍ତ କମ୍ପାନୀକୁ ୫ ଲକ୍ଷ ଟଙ୍କା ଜରିମାନା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ମାତ୍ର ଅଧିକୃତ ଜମି ଗୁଡିକ ବର୍ତ୍ତମାନ ସୁଦ୍ଧା ଜମିହରା ମାନେ ଫେରି ପାଇନଥିବାରୁ ପୁଣି ଏକ ସଂଘର୍ଷର ଆବଶ୍ୟକତା ରହିଛି । ଏ ସମ୍ପର୍କରେ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବ ବୋଲି ଶ୍ରୀ ରଥ କହିଛନ୍ତିି ।