ବାହାନଗା ରେଲୱେ ଷ୍ଟେସନ ଠାରୁ ୧୪୦ କିଲୋମିଟର ଦୂରରେ ଘଟିଲା ଆଉ ଏକ ଟ୍ରେନ ଦୁର୍ଘଟଣା; ସୁରକ୍ଷିତ ଉଦ୍ଧାର ହେଲେ ଯାତ୍ରୀ
ନୂଆଦିଲ୍ଲୀ: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାର ଲୋମଟାଙ୍କୁରା ଦୃଶ୍ୟ ଏଯାଏଁ ଆଖି ଆଗରେ ନାଚି ଉଠୁଥିବା ବେଳେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲା ଅନ୍ତର୍ଗତ ଖଡ଼ଗପୁର ଷ୍ଟେସନରେ ପୁଣି ଏକ ଟ୍ରେନ ଦୁର୍ଘଟଣାଗସ୍ତ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣା ବେଶୀ ବଡ଼ ଘଟିନାହିଁ। ଟ୍ରେନର ଗତି ମନ୍ଥର ଥିବାରୁ ଅଳ୍ପକେ ଏକ ବଡ଼ ବିପଦ ଟଳି ଯାଇଛି।
ସୂଚନାଯୋଗ୍ୟ,ମେଦିନାପୁର-ହାୱଡ଼ା ଲୋକାଲ ଟ୍ରେନ୍ ହାୱଡ଼ା ଯାଉଥିବା ବେଳେ ରାତିରେ ଲାଇନ୍ ଚ୍ୟୁତ ହୋଇଥିଲା। ତେବେ ଏହି ଟ୍ରେନର ଯେଉଁ ବଗି ଲାଇନ ଚ୍ୟୁତ ହୋଇଥିଲା ସୌଭାଗ୍ୟବଶତଃ ସେଥିରେ କୌଣସି ଯାତ୍ରୀ ବସି ନଥିଲେ। ତାର ପାଖ ବଗିରୁ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ତେବେ ଦୁର୍ଘଟଣା ଯୋଗୁ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଉକ୍ତ ଲାଇନରେ ଟ୍ରେନର ଯାତାୟତ ବନ୍ଦ ହୋଇଯାଇଥିଲା ବୋଲି ଦକ୍ଷିଣପୂର୍ବ ରେଳପଥର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।ରେଲୱେ କର୍ତ୍ତୃପକ୍ଷ ଓ ବିଭାଗୀୟ ଉଦ୍ଧାରକାରୀ ଦଳ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଲାଇନ୍ଚ୍ୟୁତ ବଗିକୁ ପୁଣି ଲାଇନ୍କୁ ଆଣିଥିଲେ।ଏଥିସହ ରେଳୱେ ଟ୍ରାକ୍କୁ ମରାମତି କରିଥିଲେ। ଏହାପରେ ଯାତାୟତ ପୁଣି ସ୍ୱଭାବିକ ହୋଇଥିଲା। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଟ୍ରେନ କାହିଁକି ଲାଇନ ଚ୍ୟୁତ ହୋଇଥିଲା ତାହାର ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ।