ଜଳୁଛି ଓଡ଼ିଶା: ୪୦ ଡିଗ୍ରି ଉପରେ ୩୦ ସହର; ୪୪.୫ ଡିଗ୍ରି ସହ ବଲାଙ୍ଗୀର ଓ ବରଗଡ଼ ଉତ୍ତପ୍ତ
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗମନରେ ବିଳମ୍ବ କାରଣରୁ ପ୍ରବଳ ଖରା ଏବଂ ଗରମ ଅନୁଭୂତ ହେଉଛି। ସେହିଭଳି ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ସହିତ ତତଲା ପବନ ଲୋକଙ୍କୁ କଲବଲ କରୁଛି। ଆଜି ଦିନର ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରି ବଲାଙ୍ଗୀର ଓ ବରଗଡ଼ରେ ରେକର୍ଡ ହୋଇଛି। ଏଥି ସହିତ ରାଜ୍ୟର ୩୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଝାରସୁଗୁଡ଼ାରେ ଆଜି ଦିନର ତାପମାତ୍ରା ସର୍ବାଧିକ ୪୪.୪ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ସୋନପୁରରେ ୪୪.୩, ସମ୍ବଲପୁରରେ ୪୩.୬, ବୌଦ୍ଧରେ ୪୩.୫, ହୀରାକୁଦରେ ୪୩.୧, ସୁନ୍ଦରଗଡ଼, ଭବାନୀପାଟଣା, ଟିଟିଲାଗଡ଼ରେ ୪୩.୦, ଅନୁଗୁଳରେ ୪୨.୯, ଦେବଗଡ଼ରେ ୪୨.୮, ଭୁବନେଶ୍ବରରେ ୪୨.୬, ରାଉରକେଲା, ବ୍ରହ୍ମପୁରରେ ୪୨.୫, ପାରଳାଖେମୁଣ୍ଡିରେ ୪୨, ଢେଙ୍କାନାଳରେ ୪୧.୮, ବାରିପଦା, କଟକରେ ୪୧.୬, ନୟାଗଡ଼ରେ ୪୧.୫, ତାଳଚେର, ନୂଆପଡ଼ାରେ ୪୧.୪, କେନ୍ଦୁଝର, କେନ୍ଦ୍ରାପଡ଼ା, ଫୁଲବାଣୀରେ ୪୧, ନବରଂଗପୁର, ମାଲକାନଗିରିରେ ୪୦.୫, ଯାଜପୁର, ଚାନ୍ଦବାଲି ଓ ଛତ୍ରପୁରରେ ତାପମାତ୍ରା ୪୦ ଡିଗ୍ରି ଅନୁଭୂତ ହୋଇଛି।
ଆଗାମୀ ୩ ଦିନ ଅର୍ଥାତ ୧୪ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ ବୋଲି ପାଣିପାଗ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାର ତାପମାତ୍ରା ସ୍ବାଭାବିକଠୁ ୬ ରୁ ୭ ଡିଗ୍ରି ଅଧିକ ରହିବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଵିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, କାଳବୈଶାଖୀର ପ୍ରଭାବ ବିଶେଷ ନଥିବାରୁ ତାପମାତ୍ରା ବୃଦ୍ଧି ପାଉଛି। ଅନ୍ୟପଟେ ପ୍ରାକ ମୌସୁମୀ ବର୍ଷାର ଅଭାବ ପାଇଁ ମଧ୍ୟ ତାପମାତ୍ରା ଜୁନ ମାସରେ ଅଧିକ ରହିଛି। ଆରବ ସାଗରରେ ଥିବା ବାତ୍ୟା ବିପର୍ଯ୍ୟୟ ଉପକୂଳ ମୁହାଁ ହେଲେ ଜଳୀୟବାଷ୍ପ କିଛି ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି । ସେପରି ହେଲେ ରାଜ୍ୟରେ ସାମାନ୍ୟ ତାପମାତ୍ରା ପରିବର୍ତ୍ତନ ହୋଇପାରେ। ଉପକୂଳରେ ଦିନ ସମୟରେ ୫୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଛି, ଯାହା ଫଳରେ ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେଉଛି। ତାମିଲନାଡୁ, କର୍ଣ୍ଣାଟକ ଭଳି କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେଉଛି। ଓଡ଼ିଶା ଛୁଇଁବା ନେଇ କୌଣସି ଆକଳନ ଜାରି କରାଯାଇନାହିଁ।