ବଢ଼ିଲା ଗ୍ରୀଷ୍ମକାଳୀନ ଛୁଟି; ଜୁନ ୧୯ ପରିବର୍ତ୍ତେ ୨୧ରେ ଖୋଲିବ ବିଦ୍ୟାଳୟ, ନିର୍ଦ୍ଦେଶନାମା ଜାରି
ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରି ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ପିଲାମାନଙ୍କର ଗ୍ରୀଷ୍ମକାଳୀନ ଛୁଟି ବୃଦ୍ଧି କରାଯାଇଛି। ଜୁନ ୧୯ ପରିବର୍ତ୍ତେ ୨୧ ତାରିଖରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
ସୂଚନାଯୋଗ୍ୟ, ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ଏପ୍ରିଲ ୨୧ ତାରିଖ ଠାରୁ ଗ୍ରୀଷ୍ମକାଳୀନ ଛୁଟି ହୋଇଛି। ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ବନ୍ଦ ରହିଛି।
ଆଜି ରାଜ୍ୟରେ ୩୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ରହିଛି। ଏଥିରେ ସୋନପୁରରେ ସର୍ବାଧିକ ୪୫.୬ ଡ଼ିଗ୍ରି ଏବଂ ଝାରସୁଗୁଡାରେ ୪୫.୪ ଡ଼ିଗ୍ରି ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱରରେ ଆଜି ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୬ ଡ଼ିଗ୍ରି ଏବଂ କଟକରେ ଏହା ୪୨.୨ ଡ଼ିଗ୍ରି ରେକର୍ଡ ହୋଇଛି। ସେହିପରି ବଲାଙ୍ଗୀରରେ ତାପମାତ୍ରା ୪୫.୩, ସମ୍ବଲପୁରରେ ୪୪.୮, ଅନୁଗୁଳରେ ୪୪.୭, ହୀରାକୁଦରେ ୪୪.୬, ସୁନ୍ଦରଗଡ଼ରେ ୪୪.୫, ତାଳଚେରରେ ୪୪.୪, ବୌଦ୍ଧରେ ୪୪.୨, ରାଉରକେଲା, ବରଗଡ଼ରେ ୪୪, ନୟାଗଡ଼, ଢେଙ୍କାନାଳ, ଟିଟିଲାଗଡ଼ରେ ୪୩.୫, ବାରିପଦା, ବ୍ରହ୍ମପୁରରେ ୪୩.୨, ନୂଆପଡ଼ା, ଭବାନୀପାଟଣା, ଖୋର୍ଦ୍ଧାରେ ୪୩, ମାଲକାନଗିରିରେ ୪୨.୪, ଦେବଗଡ଼ରେ ୪୨, କେନ୍ଦ୍ରାପଡ଼ାରେ ୪୧.୮, ଫୁଲବାଣୀରେ ୪୧.୫, ପାରଳାଖେମୁଣ୍ଡିରେ ୪୦.୯, କେନ୍ଦୁଝର, ଜଗତସିଂହପୁରରେ ୪୦.୫, ଭଦ୍ରକରେ ୪୦.୪, ଚାନ୍ଦବାଲିରେ ୪୦.୪ ଓ ଯାଜପୁରରେ ୪୦ ଡିଗ୍ରି ପାରା ଛୁଇଁଛି।