ପ୍ରାକ୍ – ଗର୍ଭାବସ୍ଥା ଓ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ ( ପି ସି ଏଣ୍ଡ ପି ଏନ୍ ଡି ଟି) ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ
ମାଲକାନଗିରି Iତା:୧୭/୦୬
କନ୍ୟା ସନ୍ତାନ ଅମୂଲ୍ୟ ରତ୍ନ, କନ୍ୟା ସନ୍ତାନର ଯତ୍ନ ନିଅନ୍ତୁ, ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଏ ବିଷୟକୁ ନେଇ ଲିଙ୍ଗ ନିରୁପଣ ନିଷିଦ୍ଧ ଆଇନ ୧୯୯୪ ଅନ୍ତର୍ଗତ ଜିଲ୍ଲା ପରାମର୍ଶଦାତା ଓ ଟାସ୍କ ଫୋର୍ସ ବୈଠକ ଅନଷ୍ଠିତ ହୋଇଯାଇଛି । ଏଥିରେ ଭୃଣ ଚୟନ ଓ ନିରୁପଣ କଲେ ଆଇନ ଅନୁଯାୟୀ ୫ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ।
ଜିଲ୍ଲାରେ ଥିବା ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକରେ ପିଏନଡିଟି ଆଇନକୁ କଡ଼ାକଡ଼ି ପାଳନ କରିବା ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ବ୍ଲଡ ବ୍ୟାଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କନ୍ୟା ଭୃଣ ହତ୍ୟାକୁ ନିୟନ୍ତ୍ରଣ କରିବା ନିମନ୍ତେ ଶିଶୁ କନ୍ୟାମାନଙ୍କର ଗୁରୁତ୍ୱକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଜିଲ୍ଲାପାଳ ଗୁରୁତ୍ଵାରୋପ କରିଥିଲେ। ସୂଚନା ଅନୁସାରେ ଜିଲ୍ଲାରେ ବର୍ତ୍ତମାନ ୫ ପଞ୍ଜୀକୃତ ଅଲଟ୍ରାସାଉଣ୍ଡ ରହିଛି। ଆସିଥିବା ୨ ଟି ନୂତନ ଆବେଦନକୁ ବୈଠକରେ ଉପସ୍ଥାପନ କରାଯାଇଥିଲା।
ଅଲଟ୍ରାସାଉଣ୍ଡ କେନ୍ଦ୍ର ଗୁଡିକ ଉପରେ ତୀକ୍ଷ୍ମ ନଜର ରଖିବା ସହ ଆବଶ୍ୟକୀୟ କାଗଜପତ୍ର ରଖୁନଥିବା କିମ୍ବା ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ସଚେତନତାକୁ ଗୁରୁତ୍ଵ ଦେଇ କିଭଳି ତୃଣମୂଳ ସ୍ତରରେ ଲୋକ ସଚେତନ ହୋଇପାରିବେ ସେଥି ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଭୃଣ ଚୟନ ଓ ନିରୂପଣ ଦଣ୍ଡନୀୟ ଅପରାଧ। ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯାହା ଭବିଷ୍ୟତରେ ସାମାଜିକ ବିଷମତା ଓ ବିଭ୍ରାଟ ସୃଷ୍ଟି କରିପାରେ। ଏଣୁ ଭୃଣ ଚୟନ ଓ ନିରୂପଣ କାର୍ଯ୍ୟରୁ ନିବୃତ ରହିବାକୁ କୁହାଯାଇଛି। ଯଦି କୌଣସି ଅଲଟ୍ରାସାଉଣ୍ଡ କ୍ଲିନିକ୍ ରେ ଭୃଣ ନିରୂପଣ କରାଯାଉଥିବାର ସୂଚନା ମିଳେ, ତେବେ ତୁରନ୍ତ ପ୍ରଶାସନକୁ ଅବଗତ କରାଇବା ପାଇଁ କୁହାଯାଇଛି। ଏଥି ନିମନ୍ତେ ସୂଚନା ପ୍ରଦାନକାରୀଙ୍କୁ ୨୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।
ପ୍ରତ୍ୟେକ ମାସରେ ଅତର୍କିତ ଚଢ଼ାଉ କରିବାକୁ ଜିଲ୍ଲାପାଳ କମିଟିର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଶା ଓ ଅଙ୍ଗନୱାଡି କର୍ମୀମାନେ ଶତ ପ୍ରତିଶତ ପ୍ରାଥମିକ ଅବସ୍ଥାରେ ଗର୍ଭ ପଞ୍ଜୀକରଣ ନିମନ୍ତେ ପ୍ରବର୍ତ୍ତାଇବାକୁ ପରାମର୍ଶ ଦିଆଯାଇଛି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତ୍ରିନାଥ ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ପ୍ରଫୁଲ୍ଲ କୁମାର ନନ୍ଦ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଡା ଏ ମହାରଣା, ଡ଼ା ଏସ କେ ମିଶ୍ର,ଜୟନ୍ତୀ ବୁରୁଦା ଏବଂ ସଂଯୁକ୍ତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।