ରାଜନୀତିରାଜ୍ୟ

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଆଜି ବିଜେପିରୁ ଦେଇଛନ୍ତି ଇସ୍ତଫା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ବାପପୁଅ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିରୁ ଇସ୍ତଫା ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ପାଖକୁ ସେମାନଙ୍କ ଇସ୍ତଫାପତ୍ର ପଠାଇଛନ୍ତି । ବିଜେପିରେ ସେମାନଙ୍କୁ ‘ହ୍ୟୁମିଲିଏସନ’ ଏବଂ ଅଣଦେଖା କରାଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ।

ଗିରିଧର ଗମାଙ୍ଗ ବିଜେପି ଏବଂ ଦଳର କୌଣସି ନେତାଙ୍କୁ ସିଧାସଳଖ ଆକ୍ରମଣ ନ କରି ସକରାତ୍ମକ ଆଭିମୁଖ୍ୟ ପୋଷଣ କରିଥିଲେ ମଧ୍ୟ ପୁଅ ଶିଶିର ନିଜ ମନର କୋହକୁ ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିଛନ୍ତି । ଦକ୍ଷିଣ ଓଡ଼ିଶାର ବରିଷ୍ଠ ନେତା ଜୟରାମ ପାଙ୍ଗୀ ତାଙ୍କ ପଛରେ ଲାଗିଥିଲେ ବୋଲି ଅଭିଯୋଗ କରିଛନ୍ତି । ଆଉ ଜଣେ ଷ୍ଟାର୍ ନେତା ଭ୍ରୁଗୁ ବକ୍ସିପାତ୍ରଙ୍କୁ ମଧ୍ୟ ଖଳନାୟକ ବୋଲି ଇଙ୍ଗିତ କରିଛନ୍ତି । ଏହି ଦୁଇ ନେତାଙ୍କ ଯୋଗୁଁ ଦଳରେ ସେମାନେ ଉଧାଇ ପାରିଲେନି । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇଥିଲେ ମଧ୍ୟ କିଛି ଫଳ ହେଲା ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ।

୨୦୧୫ରେ ଗମାଙ୍ଗ ବାପପୁଅ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ । ଗତ ସାଧାରଣ ନିର୍ବାଚନରେ ଶିଶିରଙ୍କୁ ଗୁଣୁପୁର ବିଧାନସଭା ଆସନରୁ ବିଜେପି ଟିକେଟ ଦେଇଥିଲା । ୧୬୪୯୧ ଖଣ୍ଡ ଭୋଟ ପାଇ ସେ ଚତୁର୍ଥ ସ୍ଥାନରେ ରହିଥିଲେ । ଜୟରାମ ପାଙ୍ଗୀ ପଇସା ଖର୍ଚ୍ଚ କରି ତାଙ୍କୁ ହରାଇଦେଲେ ବୋଲି ଶିଶିର ଆଜି ଅଭିଯୋଗ କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଗିରିଧର ଗମାଙ୍ଗ ପୁଅ ଶିଶିରଙ୍କ ପାଇଁ ବ୍ୟସ୍ତତା ଦେଖାଇଛନ୍ତି । ତାଙ୍କୁ ୮୧ ବର୍ଷ ହୋଇଗଲାଣି । ତେଣୁ ନିଜେ ନିର୍ବାଚନ ଲଢ଼ିବାର ନାହିଁ । ଏଣିକି ପୁଅର ଭବିଷ୍ୟତ କଥା ବୋଲି ସ୍ପଷ୍ଟ କରିଛନ୍ତି ।

ତେବେ ଗମାଙ୍ଗଙ୍କ ଭବିଷ୍ୟତ କ’ଣ? ବାପପୁଅ କୁଆଡ଼େ ଯିବେ? ଆଜିର ସାମ୍ବାଦିକ ସମ୍ମିଳନୀରେ ସେମାନେ ଏହା ଜଣାଇ ନ ଥିଲେ ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି(ବିଆରଏସ)ରେ ଯୋଗଦେବାକୁ ଯୋଜନା କରିଥିବା ଜଣାପଡ଼ିଛି । କୁଆଡ଼େ ଖୁବ୍ ଶୀଘ୍ର ଏହାର ତାରିଖ ଧାର୍ଯ୍ୟ ହେବ ।

ସୂଚନାଥାଉକି, ଗତ ୧୩ ତାରିଖରେ ଗମାଙ୍ଗ ବାପପୁଅ ହାଇଦ୍ରାବାଦ ଯାଇ କେସିଆରଙ୍କୁ ଭେଟିଥିଲେ । ଓଡ଼ିଶାରେ ବିଆରଏସ୍ ର ନେତୃତ୍ୱ ନେବା ପାଇଁ କେସିଆର୍ ସେମାନଙ୍କୁ ପ୍ରସ୍ତାବ ଦେଇଥିବା ଶିଶିର ଗଣମାଧ୍ୟମକୁ କହିଥିଲେ ।

ତେବେ ଭାରତ ରାଷ୍ଟ୍ର ସମିତିରେ ଗମାଙ୍ଗ ବାପପୁଅ ଯୋଗଦେବା ସହଜ ହେବ ନାହିଁ ବୋଲି ଖୋଦ୍ ଶିଶିରଙ୍କ ବୟାନରୁ ସ୍ପଷ୍ଟ ହେଉଛି । ଏହାର କାରଣ ହୋଇପାରନ୍ତି ଜୟରାମ ପାଙ୍ଗୀ । ଆସନ୍ତା ୨୭ ତାରିଖରେ ଶ୍ରୀ ପାଙ୍ଗୀ ବିଆରଏସ୍ ରେ ଯୋଗଦେବେ ବୋଲି ସୂଚନା ମିଳିଛି । ବର୍ତ୍ତମାନ ଶ୍ରୀ ପାଙ୍ଗୀ ହାଇଦ୍ରାବାଦରେ ଅଛନ୍ତି ଏବଂ ସେଠି ଯୋଗଦେଇ ଓଡ଼ିଶା ଫେରିବେ ।

ଯଦି ଏହା ସତ ତେବେ ପାଙ୍ଗୀ କେବେ ବି ଗମାଙ୍ଗ ବାପପୁଅଙ୍କୁ ସେହି ଦଳରେ ଚାହିଁବେନି । ଶିଶିର ଗଣମାଧ୍ୟମରେ ତାଙ୍କୁ ଖଳନାୟକ ସଜାଇ ଖୋଲାଖୋଲି ବୟାନ ଦେଇଥିବାରୁ ଶ୍ରୀ ପାଙ୍ଗୀ ସେହି ଶିିଶିରଙ୍କ ସାଙ୍ଗରେ ମିଶି ନୂଆ ଦଳର ନେତୃତ୍ୱ ନେବେ ବିଲକୁଲ୍ ଅସମ୍ଭବ କଥା ।

ଏକ ସୂତ୍ରର ଖବର ଅନୁଯାୟୀ, ଇତିମଧ୍ୟରେ ଗମାଙ୍ଗ ବାପପୁଅଙ୍କ ଓଡ଼ିଶାରେ ରାଜନୈତିକ ସ୍ଥିତି ସମ୍ପର୍କରେ କେସିଆର ଭଲଭାବେ ଅବଗତ ହୋଇଛନ୍ତି । ଭୋଟ ରାଜନୀତିରେ ସେମାନଙ୍କର ଆଦୌ ପ୍ରଭାବ ନାହିଁ ବୋଲି ବୁଝିସାରିଛନ୍ତି ।

ଲୋକପ୍ରିୟତା ଓ ସାଂଗଠନିକ ଦକ୍ଷତା ଦୃଷ୍ଟିରୁ ଗମାଙ୍ଗଙ୍କ ତୁଳନାରେ ପାଙ୍ଗୀଙ୍କ ପଲା ଭାରି ଥିବାରୁ କେସିଆର ପାଙ୍ଗୀଙ୍କ ଉପରେ ଅଧିକ ବିଶ୍ୱାସ କରିବେ ବୋଲି କୁହାଯାଉଛି । ଏହା ହେଲେ ଗମାଙ୍ଗଙ୍କ ଆଗାମୀ ଯାତ୍ରା ପଥରେ ପାଙ୍ଗୀ ହେବେ ପ୍ରତିବନ୍ଧକ । ପାଙ୍ଗୀଙ୍କ ବିରୋଧରେ ଗଣମାଧ୍ୟମରେ ଶିଶିର ଦେଇଥିବା ବୟାନ ଏହା ବୁଝିବାକୁ ଯଥେଷ୍ଟ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *