ରାଜ୍ୟ

ସୀତାଦେବୀ ଖାଡ଼ଙ୍ଗା ସ୍ମାରକୀ ବକ୍ତୃତାମାଳା ଅନୁଷ୍ଠିତ ବିଂଶ ଶତକ ଆଦ୍ୟ ପାଦରେ ସୀତାଦେବୀ ସାଂସ୍କୃତିକ ଜାଗରଣର ଅଗ୍ରଗାମୀ ନେତ୍ରୀ ଥିଲେ

ବ୍ରହ୍ମପୁର, :
: ଓଡ଼ିଶାର ପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ଓ ସ୍ଥାନୀୟ ଶଶିଭୂଷଣ ରଥ ସରକାରୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସୀତାଦେବୀ ଖାଡ଼ଙ୍ଗା ସ୍ମାରକୀ ବକ୍ତୃତାମାଳା ଆଜି ପୂର୍ବାହ୍ଣରେ ମହିଳା ମହାବିଦ୍ୟାଳୟ ପରିସରସ୍ଥ ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବକ୍ତୃତାମାଳା ଅବସରରେ ଆୟୋଜିତ ସଭାରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଖ୍ୟାତିସମ୍ପନ୍ନା ସାହିତ୍ୟିକା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସଂସ୍କାରିକା ସୀତାଦେବୀ ଖାଡ଼ଙ୍ଗାଙ୍କ ସାରସ୍ୱତ କୃତି ଓ କୃତିତ୍ୱ ଉଦ୍ଦେଶ୍ୟରେ ସମବେତ ଅତିଥି ଓ ଶ୍ରୋତୃ ମଣ୍ଡଳୀ ଭାବପୂର୍ଣ୍ଣ ଶ୍ରଦ୍ଧା ସୁମନାଞ୍ଜଳି ଅର୍ପଣ କରିଥିଲେ l
କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ଏହି ବକ୍ତୃତାମାଳା କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଗଞ୍ଜାମ ଜିଲ୍ଲାର ଦୁଇ ନାରୀ ଲେଖିକା ସୀତାଦେବୀ ଖାଡ଼ଙ୍ଗା ଓ ସୁପ୍ରୀତିଦେବୀ ଗନ୍ତାୟତଙ୍କ ସାରସ୍ୱତ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ l ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. କାହ୍ନୁଚରଣ ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଓଡ଼ିଶାର ମହୀୟସୀ ମହିଳା ସୁସାହିତ୍ୟିକା ସୀତାଦେବୀ ଖାଡ଼ଙ୍ଗାଙ୍କ ଜୀବନ ଓ ଜୀବନାଦର୍ଶ ସମ୍ପର୍କରେ ସଂକ୍ଷେପରେ ସୂଚନା ପ୍ରଦାନ କରିଥିଲେ l
ଏହି ସ୍ମୃତିସଭାରେ ସ୍ମାରକୀ ବକ୍ତୃତା ପ୍ରଦାନ କରି ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ତଥା ସୁଖ୍ୟାତ ସମାଲୋଚକ ଡ. ହୃଷୀକେଶ ପଣ୍ଡା ବର୍ତ୍ତମାନର ପରିବର୍ତ୍ତିତ ପ୍ରେକ୍ଷାପଟରେ ପୂଜ୍ୟପୂଜା ପରମ୍ପରାରେ ବ୍ୟତିକ୍ରମତା ନେଇ କ୍ଷୋଭ ପ୍ରକାଶ କରିଥିଲେ l ଓଡ଼ିଶାର ସୁଖ୍ୟାତ ସାହିତ୍ୟିକା, ବିଶିଷ୍ଟ ମୁକ୍ତି ସଂଗ୍ରାମୀ, ନାରୀ ଶିକ୍ଷାର ଆଲୋକ ବର୍ତ୍ତିକା ସୀତାଦେବୀ ଖାଡ଼ଙ୍ଗାଙ୍କ ଜୀବନର ବିଭିନ୍ନ ଦିଗ ଓ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋଚନା କରି ଡ. ପଣ୍ଡା କହିଥିଲେ, ମଣିଷର ବ୍ୟକ୍ତିତ୍ୱର ବିକାଶ ପାରିବେଶିକ ପରିସ୍ଥିତି ଅନୁରୂପ ହୋଇଥାଏ l ସୀତାଦେବୀ ଖାଡ଼ଙ୍ଗା ବିଂଶ ଶତାବ୍ଦୀର ଆଦ୍ୟ ପାଦରେ ସମସ୍ତ ପ୍ରତିକୂଳତା ଓ ପ୍ରତିବନ୍ଧକ ଅତିକ୍ରମ କରି ନାରୀ ଶିକ୍ଷାର ପ୍ରସାର ଦିଗରେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ l ଏକ ରକ୍ଷଣଶୀଳ ପରିବାରର ସାମାଜିକ କଟକଣା ମଧ୍ୟରେ ବଢ଼ିଥିଲେ ମଧ୍ୟ ସ୍ବୀୟ ଅଧ୍ୟବସାୟ, ଐକାନ୍ତିକ ପ୍ରଚେଷ୍ଟା ଫଳରେ ସାମାଜିକ କୁସଂସ୍କାର ଓ ଅନ୍ଧ ବିଶ୍ୱାସ ବିରୋଧରେ ଲଢ଼େଇ କରିବା ସହ ଜନ ସଚେତନତା ସୃଷ୍ଟି କରିପାରିଥିଲେ l ସାହିତ୍ୟର ପ୍ରାୟ ସମସ୍ତ ବିଭାଗରେ କଲମ ଚାଳନା କରି ଓଡ଼ିଆ କବିତା, କ୍ଷୁଦ୍ରଗଳ୍ପ, ଉପନ୍ୟାସ, ନାଟକ, ଏକାଙ୍କିକା, ଆତ୍ମ ଜୀବନୀ ଓ ପ୍ରବନ୍ଧ ବିଭାଗକୁ ସମୃଦ୍ଧ କରିଥିଲେ ବୋଲି ଡ. ପଣ୍ଡା କହିଥିଲେ l
କଳିଙ୍ଗ ସାହିତ୍ୟ ସମାଜର କୋଷାଧ୍ୟକ୍ଷ ଡ. କୃଷ୍ଣପ୍ରସାଦ ମହାପାତ୍ର ମଞ୍ଚ ଆମନ୍ତ୍ରଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉପସଭାପତି ଡ. ବନମାଳୀ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l ସପ୍ତାହକ ମଧ୍ୟରେ କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ସୀତାଦେବୀ ଖାଡ଼ଙ୍ଗାଙ୍କ ଏକ ତୈଳଚିତ୍ର ମହିଳା ମହାବିଦ୍ୟାଳୟ ଛାତ୍ରୀ ନିବାସରେ ସ୍ଥାପନ କରାଯିବ ବୋଲି ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ କହିଥିଲେ l ଏହି ବକ୍ତୃତାମାଳାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା, ଡ. ଭାରତର୍ଶଭ ଦାସ, ଅଧ୍ୟାପକ ନାରାୟଣ ବେହେରା, ଡ. ଦେବରାଜ ସ୍ୱାଇଁ, ଡ. ପଙ୍କଜ ବାରିକ, ଅଧ୍ୟାପକ ପବିତ୍ର କୁମାର ସାହୁ, ଡ. ନିତା ଦୁବେ, ଅଧ୍ୟାପିକା ମନୀଷା ମିଶ୍ର, ଅଧ୍ୟାପିକା ଲୁନାରାଣୀ ସାହୁ, ଡ. ସ୍ମୃତି ଗନ୍ତାୟତ, ଅଧ୍ୟାପିକା ଶୁଚିସ୍ମିତା ସାହୁ, ଅଧ୍ୟାପିକା ଯମୁନା ମାଝୀ, ହିଁ ଅଧ୍ୟାପିକା ଦୀପମାଳା ଶତପଥୀ, ଅଧ୍ୟାପିକା ପ୍ରିୟଦର୍ଶିନୀ ପଣ୍ଡା, ଅଧ୍ୟାପିକା ଯୋଗମାୟା ବେହେରା, ଅଧ୍ୟାପକ ଶାଳଗ୍ରାମ ପାଢ଼ୀ, ଅଧ୍ୟାପକ ବିଶ୍ୱଜିତ ଜେନା, ଅଧ୍ୟାପିକା ଅମ୍ରିତା ହାଲଦାର, ଅଧ୍ୟାପିକା ମଧୁସ୍ମିତା ମିଶ୍ର ଓ ଅଧ୍ୟାପକ ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସୀତାଦେବୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *