ନବକୃଷ୍ଣ ଚୌଧୁରୀଙ୍କ ୩୯ତମ ଶ୍ରାଦ୍ଧବାର୍ଷିକୀ
ବରଗଡ଼ ଜିଲ୍ଲାରୁ ଆସି ପାଳନ କଲା ପାକ୍ଷିକପତ୍ରିକା କୋଶଲଟାଇମ
ଓଡିଶାର ପୂର୍ବାଞ୍ଚଳର ୧୦ଟି ଜିଲ୍ଲାର ପ୍ରତିଭା ହେଲେ ସମ୍ବର୍ଦ୍ଧିତ
ଓଡ଼ିଶାର ସୁନାଧମନ୍ଯ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ତଥା ଦରିଦ୍ର-ପ୍ରାଣ ନବକୃଷ୍ଣ ଚୌଧୁରୀଙ୍କ ୩୯ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ମହାସମାରୋହରେ ପାଳନ କରିଛି ବରଗଡ ଜିଲ୍ଳାରୁ ପ୍ରକାଶିତ ପାକ୍ଷିକପତ୍ରିକା କୋଶଲଟାଇମ । ଏହି ଅବସରରେ ଓଡିଶାର ପୂର୍ବାଞ୍ଚଳର ଦଶଟି ଜିଲ୍ଲାର ଗରୀବ ମେଧାବୀ ପ୍ରତିଭା, ଭିନ୍ନକ୍ଷମ ପ୍ରତିଭା,ଶହୀଦ ପରିବାର ଏବଂ ଶତାୟୁ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କୋଶଲଟାଇମ ପତ୍ରିକା ପକ୍ଷରୁ ପ୍ରତିବର୍ଷ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଉତ୍ସବ ପାଳନ ସହ ଓଡିଶାର ପଶ୍ଚିମାଞ୍ଚଳର କୋଣ ଅନୁକୋଣରୁ ଗରୀବ ତଥା ଅବହେଳିତ ପ୍ରତିଭାଙ୍କୁ ଚୟନ କରି ସମ୍ବର୍ଦ୍ଧିତ କରି ଆସୁଥିବା କୋଶଲଟାଇମ ପତ୍ରିକା ଚଳିତବର୍ଷ ପ୍ରଥମ ଥର ପାଇଁ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପୂର୍ବାଞ୍ଚଳର ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରିଛି । ଏହା କରିବାର ଉଦ୍ଦେଶ୍ଯ ହେଲା, ଓଡ଼ିଶାର ପୂର୍ବାଞ୍ଚଳ ଏବଂ ପଶ୍ଚିମାଞ୍ଚଳ ମଧ୍ଯରେ ସମନ୍ବୟ ସ୍ଥାପନ କରିବା । ଭୁବନେଶ୍ଵର ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ରୂପେ ଯୋଗଦାନ କରିଥିଲେ – ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀଯୁକ୍ତ ଶାରଦା ପ୍ରସାଦ ନାଏକ, ନବକୃଷ୍ଣଙ୍କ ଜୀବନୀକାର ଶ୍ରୀଯୁକ୍ତ ପଦ୍ମଚରଣ ନାୟକ, କେନ୍ଦ୍ରାପଡ଼ାର ବିଧାୟକ ଶ୍ରୀଯୁକ୍ତ ଶଶିଭୂଷଣ ବେହେରା, ସୁନାମଧନ୍ଯ ପୋଲିସ କମିଶନର ଶ୍ରୀଯୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ଵରର ମେୟର୍ ଶ୍ରୀମତୀ ସୁଲୋଚନା ଦାସ, ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଙ୍ଗୀତଗୁରୁ ପଦ୍ମଶ୍ରୀ ଶ୍ଯାମାମଣି ଦେବୀ ,ଲୋକପ୍ରିୟ ପତ୍ରିକା “କାଦମ୍ବିନୀ”ର ସଂପାଦିକା ଡଃ ଇତି ସାମନ୍ତ ଏବଂ ନବକୃଷ୍ଣଙ୍କ ଉପରେ ଗବେଷଣାତ୍ମକ ନିବନ୍ଧ ଲେଖିଥିବା ଅଧ୍ଯାପକ ଡଃ ଶୁଭ୍ରାଂଶୁ ପଟ୍ଟନାୟକ । ଅତିଥିମାନେ ଏହି ଅବସରରେ ନବକୃଷ୍ଣଙ୍କ ସାଧାରଣ ଜୀବନଯାପନ, ନିର୍ଲୋଭପଣିଆ, ସଚ୍ଚୋଟତା, ନିର୍ଭୀକତା, ଦରଦୀ ମନୋଭାବ, ତ୍ଯାଗ, ସଂଘର୍ଷ ଆଦି ଉପରେ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ଶାରଦା ପ୍ରସାଦ ନାଏକ, ବିଧାୟକ ଶଶିଭୂଷଣ ବେହେରା, ମୋନାର ସଭାପତି ତଥା ନବକୃଷ୍ଣଙ୍କ ଜୀବନୀକାର ଶ୍ରୀଯୁକ୍ତ ପଦ୍ମଚରଣ ନାୟକ ଏ ଅବସରରେ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସୁଦୂର ବରଗଡ ଜିଲ୍ଲାରୁ ଆସି ଏଭଳି କାର୍ଯ୍ୟକ୍ରମ ଆୟୋଜନ ପଛରେ କୋଶଲଟାଇମର ସମ୍ପାଦକ ସଞ୍ଜୀବ କୁମାର ମହାପାତ୍ରଙ୍କ ନିଷ୍ଠା ଏବଂ ପରିଶ୍ରମ ପାଇଁ ତାଙ୍କୁ ଧନ୍ଯବାଦ ଦେଇଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ କହିଥିଲେ ଯେ ରାଉରକେଲାରେ ତାଙ୍କ ଦ୍ବାରା ନିର୍ମିତ ନବକୃଷ୍ଣଙ୍କ ପ୍ରତିମୂର୍ତ୍ତିର ଉଦଘାଟନ ସମୟରେ ସଞ୍ଜୀବ ବାବୁଙ୍କୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ କରାଯିବ । ବିଧାୟକ ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ଆଗରୁ ମଧ୍ଯ ଏହି ପତ୍ରିକା ଦ୍ବାରା ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ନବକୃଷ୍ଣ ଜୟନ୍ତୀ ଉତ୍ସବକୁ ଆଗରୁ ଆସିଥିବା ଏବଂ ଏତେ ସୁନ୍ଦର ଉତ୍ସବର ଆୟୋଜନ ପାଇଁ ସମ୍ପାଦକଙ୍କୁ ଅଶେଷ ଅଭିନନ୍ଦନ ଜଣାଇଥିଲେ । କାଦମ୍ବିନୀର ସଂପାଦିକା ଡଃ ଇତି ସାମନ୍ତ ସମ୍ବର୍ଦ୍ଧିତ ହୋଇଥିବା ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଦେଖି ନିଜର ବାଲ୍ଯକାଳର ଅଭାବ ଅସୁବିଧା ଏବଂ ତାହାକୁ ଅତିକ୍ରମ କଲେ କିପରି ସଫଳତା ମିଳେ, ସେ ବିଷୟରେ କହିଥିଲେ । ଏହା ସହିତ ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀଙ୍କ ମଧ୍ଯରୁ କାହାରି ଶିକ୍ଷାଲାଭ କ୍ଷେତ୍ରରେ ଅନ୍ତରାୟ ହେଲେ ନିଜ ବଡଭାଇ ଅଚ୍ଯୁତ ସାମନ୍ତଙ୍କୁ କହି ତାର ପଢିବାର ବ୍ଯବସ୍ଥା କରିବାର ପ୍ରତିଶ୍ରୁତି ଦେଇଥିଲେ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କେବଳ ଫୋନ୍ କଲ୍ ମାଧ୍ୟମରେ ନିମନ୍ତ୍ରଣ ସ୍ବୀକାର କରିଥିବା କଥା କହିବା ସହ କାର୍ଯ୍ୟକ୍ରମରେ ସମ୍ମିଳିତ ହୋଇ ଗୌରବ ଅନୁଭବ କରିଥିବା ପ୍ରକାଶ କରିଥିଲେ । ମେୟର ସୁଲୋଚନା ଦାସ କହିଥିଲେ ଯେ, ନବକୃଷ୍ଣଙ୍କ ପରି ମୁଖ୍ୟମନ୍ତ୍ରୀ ଆଉ ଜନ୍ମହେବା ଅସମ୍ଭବ। ତାଙ୍କର ସାରଲ୍ଯ, ନିଃସ୍ବାର୍ଥପର ଦେଶସେବା, ଜମିଦାରୀ ଉଚ୍ଛେଦ, ଜମିଜମା ଆଇନ୍ ଆଦି ପାଇଁ ସେ ସାଢେ ଚାରି କୋଟି ଓଡିଆଙ୍କ ପ୍ରାତଃସ୍ମରଣୀୟ । ପଦ୍ମଶ୍ରୀ ଶ୍ଯାମାମଣି ଦେବୀ ମଧ୍ଯ ଜଗନ୍ନାଥ ଭଜନ ସହ ଆରମ୍ଭ କରିଥିବା ତାଙ୍କ ଅଭିଭାଷଣରେ ନବକୃଷ୍ଣଙ୍କ ସ୍ମୃତିଚାରଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବାଞ୍ଚଳର ଦଶଟି ଜିଲ୍ଲା ଯଥା-କଟକ, ଖୋର୍ଦ୍ଧା,ବାଲେଶ୍ୱର,ଭଦ୍ରକ,ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଓଗଞ୍ଜାମର ୧୩ ଜଣ ଗରୀବ ମେଧାବୀ ଛାତ୍ରଛାତ୍ରୀ ଏବଂ ଭିନ୍ନକ୍ଷମ ପ୍ରତିଭାଙ୍କ ସମେତ ୧୯୨୪ ମସିହାରେ ଜନ୍ମିତ ଶତାୟୁ ସ୍ବାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ଦ୍ବିଜବର ସାଥୁଆ(କଟକ ଜିଲ୍ଲା , ସାଇଲେ ଗ୍ରାମ)ଶ୍ରୀଯୁକ୍ତ ମାୟାଧର ମଲ୍ଲିକ( କଟକ ଜିଲ୍ଲା , ପୁରୁଷୋତ୍ତମପୁର)ଏବଂ ଇନ୍ଦ୍ରମଣି ଖଟୁଆ(କଟକ ଜିଲ୍ଲା ,ବଡମାଲ ଗ୍ରାମ) ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ ଆୟୋଜକ ସଞ୍ଜୀବ କୁମାର ମହାପାତ୍ର । ପାୟଲ ନାଏକଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅର୍ପିତା ବେହେରା ଓ ଧନ୍ୟବାଦ ଅର୍ପଣ କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବୈଷ୍ଣବ ଭୋଇ। ପେଟାଲ୍ସ୍ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ନୃତ୍ଯ ପରିବେଷଣ କରିଥିଲେ ।