ରାଜ୍ୟ

ବ୍ୟାଙ୍କ୍ ସମୂହ ଜିଲ୍ଲାସ୍ତରୀୟ ସମନ୍ଵୟ କମିଟିର ଏକ ସ୍ୱତନ୍ତ୍ର ବୈଠକ

ମାଲକାନଗିରି ।ତା:୨୮/୦୬
ବ୍ୟାଙ୍କ୍ ସମୂହ ଜିଲ୍ଲାସ୍ତରୀୟ ସମନ୍ଵୟ କମିଟିର ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କ ଅଧ୍ୟକ୍ଷତାରେ ଏବଂ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ମହେଶ୍ୱର ଚନ୍ଦ୍ର ନାଏକଙ୍କ ଉପସ୍ଥିତିରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଆର୍ଥିକ ଓ ସାମାଜିକ ବିକାଶ ନିମନ୍ତେ ବ୍ୟାଙ୍କ୍ କର୍ତ୍ତୃପକ୍ଷମାନେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ଶ୍ରୀ ସାହୁ ଗୁରୁତ୍ଵାରୋପ କରିଥିଲେ।
ରାଜ୍ୟ ସରକାର ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ କରିବା ପାଇଁ ଅଧିକ ଗୁରୁତ୍ଵ ଦେଉଛନ୍ତି। ତେଣୁ ସ୍ଵୟଂ ସହାୟକ ଗୋଷ୍ଠୀ କିଭଳି ସୁବିଧାରେ ଋଣ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ବ୍ୟାଙ୍କର ମାନଙ୍କୁ ଶ୍ରୀ ସାହୁ ଗୁରୁତ୍ଵାରୋପ କରିଛନ୍ତି। ସେହିପରି ପଚାଶ ହଜାର କିମ୍ବା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣର ଆବଶ୍ୟକତା ଥିଲେ ବ୍ୟାଙ୍କ ନଯାଇ ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘରୁ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏହି ଋଣ ନେଇପାରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି।
ମାର୍ଚ୍ଚ ୨୦୨୩ ସୁଦ୍ଧା ୪ ହଜାର ୬୮୬ ଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୯୫ କୋଟି ୭୬ ଲକ୍ଷ ଟଙ୍କାର ଋଣ ମଞ୍ଜୁର କରାଯାଇଛି।
ଜିଲ୍ଲାର କୃଷକ ମାନଙ୍କ ଉନ୍ନତି ନିମନ୍ତେ
ଏଗ୍ରୀ କ୍ଲିନିକ୍ ଏବଂ ଏଗ୍ରୀବିଜିନେସ ସେଣ୍ଟର ( ଏସିଏବିସି) ଓ ଏଗ୍ରୀକଲଚର ଇନଫାଷ୍ଟ୍ରକଚର୍ ଫଣ୍ଡ ( ଏ ଆଇ ଏଫ୍) ଉପରେ ଅଧିକ ଗୁରୁତ୍ଵାରୋପ କରି ଋଣ ପ୍ରଦାନ କରିବାକୁ ବ୍ୟାଙ୍କର ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ କହିଛନ୍ତି। ।
ଜିଲ୍ଲାରେ ସାମାଜିକ ସୁରକ୍ଷା ଅଧିନରେ ୪୧ ହଜାର ୨୩୩ ଜଣ ହିତାଧିକାରୀ ଡିବିଟି ମାଧ୍ୟମରେ ପେନସନ ପାଉଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୫ଶହ ଜଣ ଶଯ୍ୟାଶାୟୀ ହିତାଧିକାରୀ ରହିଛନ୍ତି। ସେମାନେ ଯେଉଁଭଳି ଭାବେ ସୁବିଧା ରେ ବ୍ୟାଙ୍କ୍ ସେବା ପାଇ ପାରିବେ, ସେଥିପ୍ରତି ସମସ୍ତ ବ୍ୟାଙ୍କ୍ରମାନେ ଯତ୍ନବାନ ହେବାକୁ କୁହାଯାଇଛି। ସେହିପରି ଭିନ୍ନକ୍ଷମ ଏବଂ ବାର୍ଦ୍ଧକ୍ୟ ବ୍ୟକ୍ତିଙ୍କ ନିମନ୍ତେ ବ୍ୟାଙ୍କ୍ ମାନଙ୍କ ରେ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା ସହ ଏଥି ପ୍ରତି ସମ୍ବେଦନଶୀଳ ହୋଇ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି।
ଏହି ବୈଠକରେ ଅଗ୍ରଣୀ ବ୍ୟାଙ୍କ୍ ମ୍ୟାନେଜର ଶ୍ରୀ ନୃସିଂହପ୍ରସାଦ ପାଢ଼ୀ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ବୈଠକର ଆଲୋଚନା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସେହିପରି ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ୍ ର ଡି ଡିଏମ ମହିତ୍ ଅଗ୍ରୱାଲ ସମସ୍ତ ବ୍ୟାଙ୍କରମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଦିଆଯାଇଥିବା ଲକ୍ଷ୍ୟ ହାସଲ ବିଷୟରେ ସମୀକ୍ଷା କରିଛନ୍ତି। ସୂଚନା ଯୋଗ୍ୟ, ବଳରାମ ଯୋଜନାରେ ଜିଲ୍ଲାର କୃଷକମାନଙ୍କୁ କୃଷି ଋଣ ପ୍ରଦାନ କରିବାରେ ଏକ୍ସିସ ବ୍ୟାଙ୍କ୍ ଅଗ୍ରଣୀ ରହିଛି । ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଆରମ୍ଭ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଗୁରୁତ୍ଵାରୋପ କରାଯାଉଅଛି। ଫଳସ୍ୱରୂପ କାଦଲମେଟଲା ରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ମହୁପଦର୍ ଠାରେ ବ୍ୟାଙ୍କ ଅଫ ବରୋଦାର ଏକ ବ୍ରିକ୍ ଓ ମୋଟାର ବ୍ରାଞ୍ଚ ଖୋଲାଯାଇଛି। ପଡ଼ିଆ ରେ ମଧ୍ୟ ଏସବିଆଇ ବ୍ୟାଙ୍କ ଖୋଲାଯିବ ବୋଲି ସୂଚନା ମିଳିଛି। ପରିଶେଷରେ ଏପିଡି ବାଲାଜୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *