ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ
ସିନାପାଲି:୨୮/୦୬- ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ସିନାପାଲିରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳୁ ନେହେରୁ ମଣ୍ତପ ସ୍ଥିତ ମାଉସି ମାଁ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାପାଠ ଆରମ୍ଭ ହେବା ସହ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା l ଅପରାହ୍ଣରେ ଶ୍ରୀଜୀଉଙ୍କ ପହଣ୍ତି ବିଜେ କରାଯାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ବୈଶମ୍ପାୟନ ମେହେରଙ୍କ ଦ୍ୱାରା ତିନି ରଥରେ ଛେରାପହରା ପରେ ରଥଟଣା ଆରମ୍ଭ ହୋଇଥିଲା l ପାରମ୍ପରିକ ସଂକିର୍ତ୍ତନ, ସଂପ୍ରଦା, ଘଣ୍ଟ ବାଦ୍ଯ ସହ ଶ୍ରଦ୍ଧାଳୁଙ୍କ ଜୟଜଗନ୍ନାଥ ଧ୍ୱନୀ ଓ ହୁଳହୁଳିରେ ସାରା ସହର ଦୁଳୁକି ଯାଇଥିଲା l ରଥଯାତ୍ରା ଭଳି ବାହୁଡ଼ାରେ ମଧ୍ଯ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣି ଥିଲେ l ସଂଧ୍ଯା ସୁଦ୍ଧା ଶ୍ରୀଜୀଉ ମାନେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲେ l ଆସନ୍ତାକାଲି ରଥାରୂଢ଼ ଶ୍ରୀଜୀଉଙ୍କ ସୁନାବେଶ, ଅଧରପଣା ନୀତି ପରେ ନିଲାଦ୍ରୀ ବିଜେ କରାଯିବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ଦିଆଯାଇଛି l ପ୍ରବଳ ଭିଡ଼ ଦୃଷ୍ଟିରୁ ମନ୍ଦିର କମିଟି ତରଫରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦିର ବ୍ଯବସ୍ଥା କରାଯାଇଥିଲା ା ସେହିଭଳି ଶାନ୍ତିଶୃଙ୍ଖଳା ରକ୍ଷା ଓ ଯେକୌଣସି ଅଘଟଣକୁ ଏଡ଼ାଇବା ପାଇଁ ସ୍ଥାନୀୟ ପୋଲିସ ଓ ଅଗ୍ନୀଶମ ବିଭାଗ ମଧ୍ଯ ମୁତୟନ ରହିଥିଲେ ା ଏଥିସହ ଏହି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଡ଼ା, ପତିଏଲପଡ଼ା, ହାତୀବନ୍ଧା! କେନ୍ଦୁମୁଣ୍ତା, ଟିମନପୁର, ସିଙ୍ଗଝର, ବରଗାଁ, ଚଳନା, ଗଣ୍ଡାବାହାଳି,ଗୋର୍ଲା, ସାଗୁନଭାଡ଼ି, ଅରସାପଡ଼ା, ଗମ୍ଭାରିଗୁଡ଼ା, ଜାମଗାଁ ଆଦି ଗ୍ରାମରେ ମଧ୍ଯ ଶାନ୍ତିଶୃଙ୍ଖଳା ସହ ବାହୁଡ଼ାଯାତ୍ରା ସଂପନ୍ନ ହୋଇଥିବା ବେଳେ ସବୁଠି ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିକ୍ଷିତ ହୋଇଛି l