ଜୁଲାଇ ମଧ୍ୟଭାଗରେ ଲଞ୍ଚ୍ ହେବ ଚନ୍ଦ୍ରଯାନ-୩
ନୂଆଦିଲ୍ଲୀ : ଜୁଲାଇ ମଧ୍ୟଭାଗରେ ଚନ୍ଦ୍ରଯାନ-୩ ଲଞ୍ଚ୍ ହେବ। ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ଅଧ୍ୟକ୍ଷ ଏସ୍ ସୋମନାଥ ଆଜି ଏହି ସୂଚନା ଦେଇଛନ୍ତି। ଏସ୍ ସୋମନାଥ କହିଛନ୍ତି, ଚନ୍ଦ୍ରଯାନ ୩ ମହାକାଶ ଯାନ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇସାରିଛି। ଆମେ ସବୁପ୍ରକାର ଟେଷ୍ଟିଂ ଶେଷ କରିଛୁ। ଜୁଲାଇ ୧୨-୧୯ ମଧ୍ୟରେ ଚନ୍ଦ୍ରଯାନ-୩ ଲଞ୍ଚ୍ ହେବ। ତେବେ ସମସ୍ତ ପ୍ରକାର ପରୀକ୍ଷଣ ଶେଷ ହେବାପରେ ସଠିକ୍ ତାରିଖ ଘୋଷଣା ହେବ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି। ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ ଯାନ ମାର୍କ-୩ରେ ଚନ୍ଦ୍ରଯାନ ୩ ଲଞ୍ଚ୍ ହେବ।ଅନ୍ୟପକ୍ଷେ ଏହି ପ୍ରୋଜେକ୍ଟରେ କାମ କରୁଥିବା ଅଧିକାରୀମାନେ କହିଛନ୍ତି, ଜୁଲାଇ ୧୩ ତାରିଖ ଅପରାହ୍ନ ୨.୩୦ ସମୟରେ ଚନ୍ଦ୍ରଯାନ-୩ ଲଞ୍ଚ୍ ହେବ। ୪ ବର୍ଷ ପୂର୍ବେ ଚନ୍ଦ୍ରଯାନ-୨ ମିସନ ବିଫଳ ହେବାପରେ ଚନ୍ଦ୍ରଯାନ-୩ ମିସନ୍ ଆରମ୍ଭ ହୋଇଥିଲା। ଏହା ସଫଳ ଭାବେ ଚନ୍ଦ୍ରପୃଷ୍ଠରେ ଅବସ୍ଥାପିତ ହେବ ବୋଲି ଇସ୍ରୋ ଅଧିକାରୀମାନେ ଆଶା ପୋଷଣ କରିଛନ୍ତି। ଏହି ମିସନ୍ ପାଇଁ ବଜେଟ୍ ରହିଛି ୬୧୫ କୋଟି ଟଙ୍କା।