ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ; ଫଳପ୍ରଦ ଆଲୋଚନା ପାଇଁ କେନ୍ଦ୍ର ସରକାରଙ୍କ ଅନୁରୋଧ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।
ଟୁଇଟ୍ କରି ସେ ଲେଖିଛନ୍ତି: ସଂସଦର ୨୦୨୩ ମୌସୁମୀ ଅଧିବେଶନ ଜୁଲାଇ୨୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସମସ୍ତ ଦଳଙ୍କୁ ଅନୁରୋଧ ଏହି ମୌସୁମୀ ଅଧିବେଶନରେ କାର୍ଯ୍ୟପାଳିକା ବ୍ୟାପାର ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା ପାଇଁ ଅବଦାନ ଦେବେ।
ଆଉ ଏକ ହିନ୍ଦୀ ଭାଷାର ଟୁଇଟ୍ରେ କହିଛନ୍ତି: ଏହି ୨୩ ଦିନିଆ ଅଧିବେଶନରେ ସମୁଦାୟ ୧୭ଟି ‘ସିଟିଙ୍ଗ୍’ ହେବ। ତେଣୁ, ଏହି ଅଧିବେଶନରେ କାର୍ଯ୍ୟପାଳିକା ଓ ସଂସଦର ଅନ୍ୟାନ୍ୟ ବ୍ୟାପାର ବିଷୟରେ ଗଠନମୂଳକ ଅବଦାନ ଦେବା ଲାଗି ସମସ୍ତ ରାଜନୈତିକ ଦଳଙ୍କୁ ଅନୁରୋଧ କରୁଛି।
ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ‘ବିଜେପି’ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ବିରୋଧୀ ରାଜନୈତିକ ଦଳ ସବୁ ଏକତ୍ର ହେଉଥିବାରୁ ସଂସଦର ଚଳିତ ମୌସୁମୀ ଅଧିବେଶନ ଖୁବ୍ ସରଗରମ ହେବ ବୋଲି ଆଶା କରାଯାଉଛି।