ଓଡ଼ିଶା ବାହାନଗା ରେଳ ଦୁର୍ଘଟଣା ‘ମାନବିକ ତ୍ରୁଟି’: ରେଳବାଇ ରିପୋର୍ଟ
ନୂଆଦିଲ୍ଲୀ: ବାଲେଶ୍ୱରର ବହାନଗା ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ ରୁ ଅଧିକ ଆହତ ହେବାର ମାସକ ପରେ ଏହି ଦୁର୍ଘଟଣାର ତଦନ୍ତ କରୁଥିବା ରେଳ ସୁରକ୍ଷା କମିଶନର (ସିଆରଏସ୍) ସିଗନାଲ ବିଭାଗର କର୍ମଚାରୀଙ୍କ ମାନବିକ ତ୍ରୁଟିକୁ ଦାୟୀ କରିବା ସହ ଯାନ୍ତ୍ରିକ ତ୍ରୁଟି କିମ୍ବା ମେସିନ୍ରେ ତ୍ରୁଟି ଦେଖାଦେବାର ସମ୍ଭାବନାକୁ ଖଣ୍ଡନ କରିଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏହି ଦୁର୍ଘଟଣାରେ ଅପରାଧିକ ଷଡ଼ଯନ୍ତ୍ରର ସମ୍ଭାବନା ନେଇ ତଦନ୍ତ ଜାରି ରଖିଛି।
ବିଶେଷ କରି ତିନି ବର୍ଷ ତଳେ ନିରାପତ୍ତା କାରଣରୁ ଡିଜାଇନ୍ରେ ପରିବର୍ତ୍ତନ ହେବା ପରେ ଯାଞ୍ଚର ପର୍ଯ୍ୟାପ୍ତ ସୁରକ୍ଷା ପଦ୍ଧତି ଅନୁସରଣ କରାଯାଇ ନଥିବା କେତେକ ଗ୍ରାଉଣ୍ଡ ଅଧିକାରୀଙ୍କ ଅବହେଳାକୁ ଦର୍ଶାଯାଇଛି।
ଅଧିକାରୀମାନେ କହିଛନ୍ତି ଯେ କେବଳ ସିଗନାଲିଂ ବିଭାଗରେ ନୁହେଁ, ଡିଜାଇନରେ ପରିବର୍ତ୍ତନ ଆଣି ନଥିବା ଅନ୍ୟମାନଙ୍କ ସୁରକ୍ଷା ପ୍ରକ୍ରିୟା ପ୍ରତି ଅବହେଳାକୁ ଦର୍ଶାଯାଇଛି ଏବଂ ରେଳ ମନ୍ତ୍ରାଳୟ ସଂପୃକ୍ତ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ରହିଛି।
‘କେନ୍ଦ୍ରୀୟ ଡାଇଗ୍ରାମ ସର୍କିଟରେ ହୋଇଥିବା ପରିବର୍ତ୍ତନକୁ ପ୍ରତିଫଳିତ କରିବାରେ ବିଫଳ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ କରାଯାଇଥିବା ବାର୍ଷିକ ଯାଞ୍ଚ ମଧ୍ୟ ତାହାକୁ ପ୍ରତିଫଳିତ କରି ନଥିଲା। ତେଣୁ ଏହା ଜଣେ ବ୍ୟକ୍ତିଙ୍କ ଭୁଲ ନୁହେଁ, ବରଂ ଅତି କମରେ ୫ ଜଣଙ୍କର ତ୍ରୁଟି ରହିଥିବା ସାମ୍ନାକୁ ଆସିଛି’ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶର ସବୁଠାରୁ ବଡ଼ ରେଳ ଦୁର୍ଘଟଣାରେ କୋଲକାତା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍, ବେଙ୍ଗାଲୁରୁ-ହାୱଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍ ଏବଂ ଗୋଟିଏ ମାଲବାହୀ ଟ୍ରେନ୍ ସାମିଲ ହୋଇଥିଲେ।