ପାକିସ୍ତାନୀ ସେନା ଉପରେ ଆତ୍ମଘାତୀ ଆକ୍ରମଣ,ନିଜକୁ ଉଡ଼ାଇଦେଲେ ମହିଳା ବେଲୋଚ୍ ବିଦ୍ରୋହୀ
ଇସଲାମାବାଦ: ପାକିସ୍ତାନ ସେନା ବିରୋଧରେ ବେଲୋଚିସ୍ତାନ ମୁକ୍ତି ବାହିନୀ(ବିଏଲଏ)ର ସଂଗ୍ରାମ ଜାରି ରହିଛି । ପାକିସ୍ତାନୀ ସେନା ଓ ଆଇଏସଆଇର ଅତ୍ୟାଚାର ବିରୋଧରେ ବେଲୋଚ ମହିଳାମାନେ ବି ଆତ୍ମଘାତୀ ଆକ୍ରମଣ ଆରମ୍ଭ କରିଦେଇଛନ୍ତି ।
ନିକଟରେ ବିଏଲଏ ପକ୍ଷରୁ ଗତ ସପ୍ତାହରେ ବେଲୁଚିସ୍ତାନର ତୁରବାଟ ଅଞ୍ଚଳରେ ହୋଇଥିବା ମହିଳା ଆତ୍ମଘାତୀ ଆକ୍ରମଣର ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ତୁରବତ ସହରର ଏହି ଛକରେ ଯାନବାହନ ଚଳାଚଳ କରୁଛି । କିଛି ସମୟ ପରେ ଜଣେ ମହିଳା ଫିଦାୟୀନ ସୁମାଇୟା ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଛି। ଏହି ସମୟରେ ପାକିସ୍ତାନୀ ସେନାର ଏକ ଗାଡି ଆସେ ଏବଂ ତା ପଛକୁ ଆଉ ୨ଟି ଗାଡି ଆସିଥାଏ । ପ୍ରଥମ କାର୍ ଛାଡ଼ିବା ପରେ ଦ୍ବିତୀୟ କାର୍ ଓ ତୃତୀୟ କାର୍ ଛକ ନିକଟସ୍ଥ ହେବା ମାତ୍ରେ ମହିଳା ଫିଦାଇନ୍ ସୁମାଇୟା ଆତ୍ମଘାତୀ ବିସ୍ଫୋରଣ କରି ନିଜକୁ ଉଡ଼ାଇଦେଇଥିଲେ ।
ଏହି ଆତ୍ମଘାତୀ ବିସ୍ଫୋରଣରେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିବା ପାକିସ୍ତାନ ସେନା ପକ୍ଷରୁ କୁହାଯାଉଥିବାବେଳେ ପ୍ରକୃତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ବୋଲି ବିଏଲଏ ଦାବି କରିଛି ।
ମହିଳା ଫିଦାୟୀନ ସୁମାୟା ଆତ୍ମହତ୍ୟା କରିଥିବା ନେଇ ପାକିସ୍ତାନୀ କର୍ତ୍ତୃପକ୍ଷ ମଧ୍ୟ ପ୍ରଚାର ଆରମ୍ଭ କରିଥିଲେ। ତେବେ ଏହାର ଜବାବରେ ବେଲୁଚିସ୍ତାନ ଲିବରେସନ ଆର୍ମି ଏକ ଭିଡିଓ ଜାରି କରି ସ୍ପଷ୍ଟ ଭାବେ ଦର୍ଶାଇଛି ଯେ ସୁମାୟା ଆତ୍ମହତ୍ୟା କରିନାହାନ୍ତି ବରଂ ଆତ୍ମଘାତୀ ଆକ୍ରମଣ କରିଛନ୍ତି ଏବଂ ପାକିସ୍ତାନୀ ସେନାର ଏକ କନଭୟ ଉପରେ ଏହି ଆକ୍ରମଣ କରାଯାଇଛି ।