ମହାକାଶ ଇତିହାସରେ ନୂଆ ଅଧ୍ୟାୟ: ଐତିହାସିକ ଯାତ୍ରାରେ ଚନ୍ଦ୍ରଯାନ-୩
ନୂଆଦିଲ୍ଲୀ : ଦେଶର ତୃତୀୟ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’କୁ ଆଜି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସଫଳତାର ସହ ଉତ୍କ୍ଷେପଣ କରିଛି। ଚନ୍ଦ୍ରଯାନ-୩କୁ ଶୁକ୍ରବାର ଅପରାହ୍ନ ୨ଟା ୩୫ ମିନିଟ୍ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ୍ କରାଯାଇଛି। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ର ସଫଳ ତଥା ସୁରକ୍ଷିତ ଅବତରଣ ବୈଜ୍ଞାନିକଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି। ଚନ୍ଦ୍ରଯାନ-୩ ମହକାଶଯାନରେ ଲ୍ୟାଣ୍ଡର, ରୋଭର୍ ଏବଂ ପ୍ରୋପଲ୍ସନ ମୋଡ୍ୟୁଲ ରହିଛି। ଚନ୍ଦ୍ରରେ ପହଞ୍ଚିବା ପାଇଁ ଚନ୍ଦ୍ରଯାନ ୩.୮୪ ଲକ୍ଷ କିମି ଲମ୍ବା ଯାତ୍ରା କରିବ ଏବଂ ଏଥିପାଇଁ ୪୦ ଦିନ ଲାଗିଯିବ। ଅଗଷ୍ଟ ୨୩ କିମ୍ବା ୨୪ ତାରିଖରେ ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର୍ ଓ ରୋଭର୍ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଏହା ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରରେ କାର୍ଯ୍ୟକ୍ଷମ ରହିବ। ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଆଜି ସଫଳ ଉତ୍କ୍ଷେପଣ ପରେ କହିଛନ୍ତି ଯେ ଚନ୍ଦ୍ରଯାନ ୩ ଚନ୍ଦ୍ର ଆଡ଼କୁ ନିଜ ଯାତ୍ରା ଆରମ୍ଭ କରିଦେଇଛି। ଏହାର ପ୍ରୋପଲ୍ସନ ମୋଡ୍ୟୁଲ ଚନ୍ଦ୍ରର କକ୍ଷପଥରେ ରହି ପୃଥିବୀରୁ ଆସୁଥିବା ରେଡିଏସନର ଅଧ୍ୟୟନ କରିବ ଏବଂ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ରୋଭର ଏହାର ବିଭିନ୍ନ ରହସ୍ୟ ଭେଦ କରିବା ଦିଗରେ ୧୪ ଦିନ କାମ କରିବ।
ଇସ୍ରୋ ଦ୍ବାରା ବିକଶିତ ସବୁଠାରୁ ଶକ୍ତିଶାଳୀ ରକେଟ୍ ଏଲ୍ଭିଏମ୍-୩ ଆଜି ଚନ୍ଦ୍ରଯାନକୁ ପ୍ରଥମେ ଏକ ଅର୍ଦ୍ଧବୃତ୍ତାକାର ପୃଥିବୀ କକ୍ଷପଥକୁ ପଠାଇଥିଲା। ଏହାପରେ ଚନ୍ଦ୍ରଯାନ ଚନ୍ଦ୍ର ଅଭିମୁଖେ ତା’ର ଗତିପଥରେ ସଫଳତାର ସହ ଅଗ୍ରସର ହେଉଛି। ଏଲ୍ଭିଏମ୍-୩ ହେଉଛି ଏକ ହେଭି-ଲିଫ୍ଟ ଲଞ୍ଚ ଭେହିକ୍ଲ ଯାହା ମହାକାଶକୁ ଏକ ଉଲ୍ଲେଖନୀୟ ପେଲୋଡ୍ ପଠାଇବାର କ୍ଷମତା ପାଇଁ ପ୍ରସିଦ୍ଧ। ଏହି ରକେଟ ଦୁଇଟି କଠିନ-ଇନ୍ଧନ ବୁଷ୍ଟର ଏବଂ ଏକ ତରଳ-ଇନ୍ଧନ କୋର୍ ଷ୍ଟେଜ୍ ସହିତ ସଜ୍ଜିତ। କଠିନ-ଇନ୍ଧନ ବୁଷ୍ଟରଗୁଡ଼ିକ ପ୍ରାରମ୍ଭିକ ଥ୍ରଷ୍ଟ ପ୍ରଦାନ କରୁଥିବା ବେଳେ ତରଳ-ଇନ୍ଧନ କୋର୍ ଷ୍ଟେଜ୍ ରକେଟକୁ କକ୍ଷପଥରେ ପ୍ରବେଶ କରାଇବା ପାଇଁ ସ୍ଥାୟୀ ଶକ୍ତି ପ୍ରଦାନ କରିଥାଏ। ଏହି ମିସନରେ ଏକ ୨ ମିଟର ଉଚ୍ଚ ଲ୍ୟାଣ୍ଡର ରହିଛି, ଯାହା ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରି ସେଠାରେ ରୋଭର୍କୁ ନିୟୋଜିତ କରିବ।
ଆଜିପର୍ଯ୍ୟନ୍ତ କେବଳ ରୁଷ୍, ଆମେରିକା ଓ ଚୀନ୍ ଚନ୍ଦ୍ରରେ ସଫଳ ଅବତରଣ କରିଛନ୍ତି। ଚନ୍ଦ୍ରଯାନ-୩ର ଅଭିଯାନ ସଫଳ ହେଲେ ଏହି ତାଲିକାରେ ଭାରତ ସାମିଲ ହେବ। ଚନ୍ଦ୍ରଯାନ-୩ର ବଜେଟ୍ ପ୍ରାୟ ୬୧୫ କୋଟି ଟଙ୍କା ରହିଛି। ଚନ୍ଦ୍ରଯାନ-୨ ପାଇଁ ପ୍ରାୟ ୬୦୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାର ଉତ୍କ୍ଷେପଣ ପାଇଁ ମଧ୍ୟ ୩୭୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।
ଚନ୍ଦ୍ରଯାନ -୩ର ସଫଳ ଉତ୍କ୍ଷେପଣ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି। ମହକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଗତି ପାଇଁ ଏହା ଦେଶର ନିଷ୍ଠାପର ପ୍ରତିବଦ୍ଧତାକୁ ଦର୍ଶଉଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରଯାନ-୩ର ସଫଳ ଉତ୍କ୍ଷେପଣ ପରେ ଟ୍ବିଟ୍ କରି କହିଛନ୍ତି, ଚନ୍ଦ୍ରଯାନ-୩ ଭାରତର ମହାକାଶ ଯାତ୍ରାରେ ନୂଆ ଅଧ୍ୟାୟ ଯୋଡ଼ିଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ସ୍ବପ୍ନ ଏବଂ ଉଚ୍ଚାଭିଳାଷର ଉଡ଼ାଣ। ଏହି ମହତ୍ବପୂର୍ଣ୍ଣ ଉପଲବ୍ଧି ଆମ ବୈଜ୍ଞାନିକଙ୍କ ନିରନ୍ତର ଉତ୍ସର୍ଗର ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।