ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ବିକାଶ କରିବେ ଭାରତ ଓ ଫ୍ରାନ୍ସ; ଚଳିତବର୍ଷ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍
ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଦୁଇ ଦେଶ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଭାରତ ଏବଂ ଫ୍ରାନ୍ସ ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ବିକାଶ କରିବାକୁ ଯାଉଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ଘୋଷଣା କରାଯାଇଛି।
ତେବେ ସୂଚନା ରହିଛି ଯେ ଫ୍ରାନ୍ସର ବିମାନ କମ୍ପାନି ‘ସାର୍ଫନ’ ଏବଂ ଭାରତର ‘ଡିଫେନ୍ସ ରିସର୍ଚ ଆଣ୍ଡ୍ ଡେଭ୍ଲପମେଣ୍ଟ୍ ଅରଗାନାଇଜେସନ୍ (ଡିଆର୍ଡିଓ)’ ଏହି ମିଳିତ ବିକାଶ ପ୍ରକଳ୍ପର ଏକ ରୋଡ୍ ମ୍ୟାପ୍ ଚଳିତବର୍ଷ ଶେଷ ପୂର୍ବରୁ ପ୍ରସ୍ତୁତ କରିବେ।
‘ସାର୍ଫନ’ ହେଲିକପ୍ଟର ଇଞ୍ଜିନ ସହିତ ଇଣ୍ଡିଆନ୍ ମଲ୍ଟି ରୋଲ୍ ହେଲିକପ୍ଟର (ଆଇଏମ୍ଆର୍ଏଚ୍) କାର୍ଯ୍ୟକ୍ରମ ଅଧୀନରେ ହେଭି-ଲିଫ୍ଟ ହେଲିକପ୍ଟରର ମୋଟରାଇଜେସନ୍ ପାଇଁ ଉଭୟ ଦେଶ ଶିଳ୍ପ ସହଯୋଗକୁ ସମର୍ଥନ ଦେଇଛନ୍ତି।
ଆଇଏମ୍ଆର୍ଏଚ୍ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଇଞ୍ଜିନ ବିକାଶ ପାଇଁ ଭାରତର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହଲ୍), ଏବଂ ଫ୍ରାନ୍ସର ‘ସାର୍ଫନ’ ହେଲିକପ୍ଟର ଇଞ୍ଜିନ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି।
ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘ପ୍ରତିରକ୍ଷା ସମ୍ପର୍କ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ମୂଳ ସ୍ତମ୍ଭ ହୋଇଆସୁଛି। ଏହା ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସର ପ୍ରତୀକ।’
‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମରେ ଫ୍ରାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି କି ବୁଡ଼ାଜାହାଜ ହେଉ କିମ୍ବା ନୌସେନାର ବିମାନ ହେଉ, ଆମେ କେବଳ ଆମର ନୁହେଁ ଅନ୍ୟ ବନ୍ଧୁ ଦେଶର ଆବଶ୍ୟକତା ମଧ୍ୟ ପୂରଣ କରିବାକୁ ଚାହୁଁ।
ଆତଙ୍କବାଦ ବିରୋଧରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକତା ଅଛି। ସୀମା ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି।