ତାଳଚେର ବାର୍ ଆସୋସିଏସନ୍ ପକ୍ଷରୁ ସମ୍ବିଧାନ କାର୍ଯ୍ୟକାରୀ ଦିବସ ପାଳନ
ତାଳଚେର:-ତାଳଚେର ବାର୍ ଆସୋସିଏସନ୍ ତରଫରୁ ସମ୍ବିଧାନ କାର୍ଯ୍ୟକାରୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଓକିଲ ସଂଘର ସଭାପତି ସନ୍ତୋଷ ସାହୁ ପରିଚାଳନା କରିବା ସଙ୍ଗେ ସଙ୍ଗେ ସମ୍ବିଧାନ ପ୍ରଣୟନ ଓ କାର୍ଯ୍ୟକାରୀ ହେବାକୁ ନେଇ ଏହା ଜନସାଧାରଣଙ୍କ ଉପରେ କିଭଳି ସକରାତ୍ମକ କାର୍ଯ୍ୟ କରୁଅଛି ଓ ଏହାର ଅନ୍ୟାନ୍ୟ ଦିଗ ଉପରେ ଆଲୋକପାତ କରିଥିଲେ । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ତାଳଚେର ର ଅତିରିକ୍ତ ଜିଲ୍ଲା ଜଜ୍ ରବିନ୍ଦ୍ର କୁମାର ଦାସ, ସବ୍ ଜଜ୍ ବବିତା ଦାସ, ଜେ.ଏମ୍.ଏଫ୍.ସି. ଅସିତ୍ କୁମାର ସାହୁ ଏବଂ ମୁଖ୍ୟବକ୍ତା ଭାବେ ତାଳଚେର ଉପଜିଲ୍ଲାପାଳ ବିଶ୍ୱରଂଜନ ରଥ, ଓକିଲ ସଂଘର ବରିଷ୍ଠ ଆଇନ୍ଜୀବୀ ଅରୁଣ ଶଙ୍କର ମିଶ୍ର, ଯଦୁମଣି ସାହୁ, କୁମୁଦ ରଂଜନ ମିଶ୍ର ଯୋଗଦେଇ ସମ୍ବିଧାନର କାର୍ଯ୍ୟ କାରିତା, ଉପକାରିତା ବିଷୟରେ ଏହା କିଭଳି ଜନ ସମାଜରେ ନିତି ଦିନିଆ କାର୍ଯ୍ୟରେ ଲାଗୁଅଛି ସେହି ବିଷୟରେ ମତବ୍ୟକ୍ତ କରିଥିଲେ । ଏହି ଉପଲକ୍ଷେ ଅତିଥିମାନଙ୍କ ଦ୍ୱାରା ସ୍ମରଣୀକା ଉନ୍ମୋଚନ ହୋଇଥିଲା । ଏହା ସହିତ ଏକ କ୍ୟାରମ୍ ଟୁର୍ଣ୍ଣାମେଂଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଓକିଲ ଅରବିନ୍ଦ ବାରିକ୍ ପ୍ରଥମ ଓ ଓକିଲ ରମେଶ ଚନ୍ଦ୍ର ସାହୁ ଦ୍ୱିତୀୟ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି ଖେଳକୁ ସୁପରିଚାଳନା ନିମିତ ଓକିଲ ରବିନ୍ଦ୍ର କୁମାର ସାମନ୍ତ ଓ ରାଜେନ୍ଦ୍ର ସିଂ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି ସଭାରେ ସାଧାରଣ ସଂପାଦକ ଦିନବନ୍ଧୁ ସାହୁ ନିଜସ୍ୱ ବକ୍ତବ୍ୟ ରଖି ସଭାକୁ ସୁପରିଚାଳନା କରିବାରେ ସହାଯ୍ୟ କରିଥିଲେ । ଏଥିରେ ସଂଘର କୋଷାଧ୍ୟକ୍ଷ କରୁଣାକର ନାୟକ, ଯୁଗ୍ମ ସଂପାଦକ ଚିନ୍ମୟ କୁମାର ରାୟ, ସାଂସ୍କୃତିକ ସଂପାଦକ ରାଜେନ୍ଦ୍ର ସିଂ, ସମୀକ୍ଷକ ବବିତା ଦାସ, ସେମିନାର ସଂପାଦକ ଲଳିତାମଣି ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ମାନସ ରଂଞ୍ଜନ ଶତପଥି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହାପରେ ସଂଘ ପକ୍ଷରୁ ଏକ ରଙ୍ଗାରଙ୍ଗ ଗୀତ ସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।