ଋଣ ଅର୍ଥକୁ ଏପରି ଖର୍ଚ୍ଚ କରୁଛି ପାକିସ୍ତାନ.. ୪୦ କୋଟି ଟଙ୍କା ବ୍ୟୟ କରି ଭାରତଠୁ ଉଚ୍ଚ ପତାକା ସ୍ତମ୍ଭ ନିର୍ମାଣ କରିବ ପାକିସ୍ତାନ
ଲାହୋର : ଗୋଟିଏ ପଟେ ଭାରତ ଚନ୍ଦ୍ରଯାନ-୩ ସହ ମହାକାଶ ଗବେଷଣା କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ସଫଳତାକୁ ପାଳନ କରୁଛି । ସେପଟେ ଭାରତର ୩୬୦ ଫୁଟ ଉଚ୍ଚ ପତାକା ଖମ୍ବଠାରୁ ଆଉ ଅଧିକ ଉଚ୍ଚ ଏକ ପକାତା ଖମ୍ବ ନିର୍ମାଣ ପାଇଁ ମନ ବଳାଇଛି ପାକିସ୍ତାନ । ଭାରତଠାରୁ ଆଗରେ ରହିବା ପାଇଁ ପାକିସ୍ତାନ ୫୦୦ ଫୁଟର ଏକ ଖମ୍ବରେ ପତାକା ଲଗାଇବାକୁ ଯାଉଛି । ଏଥିପାଇଁ ପାକିସ୍ତାନ ସରକାର ୪୦ କୋଟି ଟଙ୍କା ବ୍ୟୟ କରିବେ ।
ପାକିସ୍ତାନର ଜଣେ ବ୍ୟକ୍ତି ଏହାକୁ ନେଇ ଟୁଇଟରରେ ଗର୍ବ ଅନୁଭବ କରିବା ପରେ ଆଉ ଜଣେ ପାକିସ୍ତାନୀ ତାହାକୁ ନେଇ ଦୁଃଖ ସୂଚାଉଥିବା ଇମୋଜି ପୋଷ୍ଟ କରିଛନ୍ତି । ଉକ୍ତ ପାକିସ୍ତାନୀ ବ୍ୟକ୍ତି ସେୟାର କରିଥିବା ସ୍କ୍ରିନ୍ ସଟ୍ ରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଉଭୟ ଦେଶର ପ୍ରାଥମିକତା କ’ଣ? ଏହାର ଜବାବରେ ଜଣେ ଭାରତୀୟ ବ୍ୟକ୍ତି ଲେଖିଛନ୍ତି, ‘ଚନ୍ଦ୍ରରେ ପତାକା ରହିବା ଏବଂ ପତାକାରେ ଚନ୍ଦ୍ର ରହିବା ମଧ୍ୟରେ ପାର୍ଥକ୍ୟ ରହିଛି’।
ପାକିସ୍ତାନ ସରକାରଙ୍କ ଏପରି ନିଷ୍ପତ୍ତିକୁ ସେଠାକାର ଲୋକମାନେ ହିଁ ସମାଲୋଚନା କରୁଛନ୍ତି । କାରଣ ନିକଟରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ରୁ ପାକିସ୍ତାନ ଋଣ ପାଇବାରେ ସକ୍ଷମ ହୋଇଥିଲା । କିନ୍ତୁ ଆର୍ଥିକ ସଂକଟରେ ପଡ଼ିବା ସତ୍ତ୍ବେ ପାକିସ୍ତାନ ସରକାର ଏପରି ଅର୍ଥ ଅପଚୟ କରୁଥିବାକୁ ନେଇ ସେଠାକାର ଲୋକେ ଅସନ୍ତୁଷ୍ଟ ଅଛନ୍ତି ।