ଛାତ୍ରଛାତ୍ରୀ ଙ୍କ ସ୍ମରଣଶକ୍ତି ଅପେକ୍ଷା ପାଠ୍ୟକ୍ରମରେ ଆଲୋଚନାତ୍ମକ ବା ଗମ୍ଭୀର ଚିନ୍ତନ ଜରୁରୀ
‘ସୁଧାଂଶୁ ମିଶ୍ର ସ୍ମାରକୀ ବକ୍ତୃତା’ ଓ ‘ମମତା’ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଆଜି ସିଇଏସ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସିୱାଇଏସ୍ଡିର ପ୍ରତିଷ୍ଠାତା ଜଗଦାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର ଓମ୍କାର ନାଥ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ, ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମିଶ୍ର ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ ଥିଲେ । ଓଡ଼ିଶାକୁ ଶିଳ୍ପ ବା ପୁଞ୍ଜିନିବେଶ ଆଣିବାରେ ତାଙ୍କର ଅନନ୍ୟ ଭୂମିକା ରହିଥିଲା। ଏଥିସହ ସେ ବର୍ତ୍ତମାନର ନୂତନ ଶିକ୍ଷାନୀତି ଉପରେ ଗୁରୁତ୍ବାରୋପ କରି କହିଲେ, ଏବେ ଛାତ୍ରଛାତ୍ରୀମାନଙ୍କ କେବଳ ସ୍ମରଣ ଶକ୍ତି ଆଉ କାମ ଦେବନି ଏବେ ପ୍ରତିଟି ପାଠ୍ୟକ୍ରମରେ ଆଲୋଚନାତ୍ମକ ବା ଗମ୍ଭୀର ଚିନ୍ତନ ଜରୁରୀ। ଏକ ବିକଶିତ ଦେଶ ପାଇଁ ଶିଳ୍ପର ବିକାଶ ଜରୁରୀ ହୋଇଥିବା ବେଳେ
ଆମ ଛାତ୍ରଛାତ୍ରୀମାନେ ସେ ଦିଗରେ ଅଧିକ ପ୍ରଶିକ୍ଷିତ କରିବା ଜରୁରୀ। ଏଥିସହ ଷ୍ଟିଲ୍ ହେଉ ବା ଅନ୍ୟ ଯେକୌଣସି ଉତ୍ପାଦ ପ୍ରସ୍ତୁତି ସମୟରେ ଯେଉଁଭଳି ପରିବେଶ ଉପରେ ଏହାର କୁପ୍ରଭାବ ନ ପଡ଼ିବ ସେ ନେଇ ସତର୍କ ହେବାକୁ ଓ ଜ୍ଞାନକୌଶଳ ବିକଶିତ କରିବାକୁ ସେ ପରାମର୍ଶ ଦେଇଥିଲେ l କାଲିଫଣ୍ଡିଆ ସାଣ୍ଟା କ୍ରୁଜ୍ ବିଶ୍ଵବିଦ୍ୟାଳୟର ପ୍ରଫେସର ତ୍ରିଲୋକନାଥ ପାଣ୍ଡେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ମାରକୀ ବକ୍ତୃତାର ଶୀର୍ଷକ ‘ବିଶ୍ଵକରଣ ଓ ଏହାର ପରିଣତି’ ଉପରେ ସାରଗର୍ଭକ ଆଲୋଚନା କରିଥିଲେ । ଏହି ଅବସରରେ ସେ କହିଥିଲେ, ବିଶ୍ଵକରଣ ଦ୍ଵାରା ଆମେ ବିଶ୍ଵର ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ପହଞ୍ଚି ପାରିବା ସହ ଆମ ଚତୁଃପାର୍ଶ୍ଵ ପରିବଧିତ ହୋଇପାରିଛି। ଏବେ ଆମେ ଯେକୌଣସି ସ୍ଥାନରେ ବେପାର, ବଣିଜ କରିବା ସହ ନିଜକୁ ସମୃଦ୍ଧି କରିପାରୁଛେ। ପୁଞ୍ଜନିବେଶ ବଢ଼ିଛି। ନୂଆ ବଜାର ଓ ଗ୍ରାହକ ମିଳିପାରୁଛନ୍ତି। ନୂଆ ନୂଆ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସହ ଜ୍ଞାନ ମଧ୍ୟ ବ୍ୟାପକ ହେବା ସହ ଦେଶର ଆର୍ଥିକ ଓ ସାମାଜିକ ବିକାଶ ହେଉଛି। ବିଶ୍ଵାୟନର ଏତେ ସବୁ ସକାରାତ୍ମକ ଦିଗ ରହିଥିଲେ ମଧ୍ୟ ଏହାର ବହୁ ନକରାତ୍ମକ ଦିଗ ମଧ୍ୟ ରହିଛି। ଯାହାକି କରୋନା ସମୟରେ ଗାଁ ଗାଁର ଲୋକ ମଧ୍ୟ ଅନୁଭବ କରିଛନ୍ତି । ବିଶ୍ୱାୟନ ଯୋଗୁଁ ଆମେ ଯେତେ ଅଧିକ ବିକାଶ କରିଛେ, ସେତିକି ଦ୍ରୁତ ଗତିରେ କରୋନା ବ୍ୟାପିଚାଲିଲା । ବିମାନ ଯାତ୍ରାରେ ବିରାମ ଲାଗିଲା, ଲକଡାଉନ୍ ଓ ଯାତାୟତରେ ପ୍ରତିବନ୍ଧକ ଶେଷରେ ଦେଶ ତଥା ବିଶ୍ଵର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଲା। ଏହି ବିଶ୍ଵୟନ ଯୋଗୁଁ ହିଁ କରୋନା ଭଳି ମହାମାରୀ ଦ୍ରୁତ ଗତିରେ ଦେଶକୁ ଦେଶ ମାଡ଼ିଚାଲିଥିଲା ବୋଲି ଶ୍ରୀ ପାଣ୍ଡେ କହିଥିଲେ ଫଳରେ ବିଶ୍ୱାୟନ ଯୋଗୁଁ ବିଶ୍ଵର ଆର୍ଥିକ ସ୍ଥିତି ସେତିକି ବଢ଼ିଥିଲା ଯେତିକି ଖସିଲା ମଧ୍ୟ। କାର୍ଯ୍ୟକ୍ରମ ଆରମ୍ଭରେ ‘ମମତା’ର ଅଧ୍ୟକ୍ଷ ବିଜୟ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ମମତାର ପ୍ରକଳ୍ପ ନିର୍ଦ୍ଦେଶିକା କଳ୍ପନା ଦାସ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ‘ମହିଳାଙ୍କ ସମସ୍ୟା’ ଶୀର୍ଷକ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ମାନ ସମାରୋହକୁ ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ ଦ୍ବିବେଦୀ ଓ କସ୍ତୁରୀ ପଣ୍ଡା ପରିଚାଳନା କରିଥିଲେ। ପ୍ରଫେସର ମଧୁସ୍ମିତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ସୁଜାତା ଦାସ ମିଶ୍ର ଧନ୍ୟବାଦ ଦେଇଥିଲେ l