ଶ୍ରାବଣ ମାସ ଦ୍ଵିତୀୟ ସୋମବାର
ଝିପି ଝିପି ବର୍ଷା ରେ ବୋଲ୍ ବମ୍ ହର ହର ବମ୍ ଏବଂ ଜଟିଆ ବାବା ପାର୍ କରେଗା ଧ୍ଵନିରେ ଗଂଜାମ ପ୍ରକମ୍ପିତ
ଗଂଜାମ:
:ଚଳିତ ବର୍ଷ ଯୋଡ଼ା ଶ୍ରାବଣ ହେତୁ ପ୍ରଥମ ଦୁଇଟି ଏବଂ ଶେଷ ଦୁଇଟି ସୋମବାରରେ ଶୈବପୀଠରେ ଜଳଲାଗି ପାଇଁ ଉପଯୁକ୍ତ ଶୁଭଲଗ୍ନ ସ୍ଥିର ହୋଇଛି । ଆଜି ଶ୍ରାବଣ ମାସ ଦ୍ଵିତୀୟ ସୋମବାର ହେତୁ ଗଞ୍ଜାମର ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପବିତ୍ର ପୂର୍ଣତ୍ରୟା ଋଷିକୁଲ୍ୟା ନଦୀରୁ ଜଳ ଆଣି ବାଲିରେ ଲିଙ୍ଗ ସ୍ଥାପନା କରି ମହାଦେବଙ୍କୁ ଆବାହନ କରି ଫୁଲ, ଚନ୍ଦନ, ବେଲପତ୍ର, ପାନପତ୍ର, ଧୂପ ଦୀପ ସହ ଗଞ୍ଜେଇ ଭୋଗ ଅର୍ପଣ କରି, କାନ୍ଧରେ ବାହୁଙ୍ଗି କଳସ ଭାର ଧରି ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି । କିଏ ବାବା ଝାଡେଶ୍ୱର୍ ଦେବ ତ କିଏ ବାବା ବାଲି ଲୋକନାଥ ଦେବ ତ କିଏ ବଟେଶ୍ୱର ଦେବ ତ ଆଉ କିଏ ବାବା ନୀଳକଣ୍ଠେଶ୍ଵର ଦେବ ତ ଆଉ କିଛି ଭକ୍ତ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ଶୈବପୀଠକୁ ଯାତ୍ରା କରିଥାନ୍ତି । ଋଷିକୁଲ୍ୟା ଘାଟରେ ରବିବାର ଦିନଠାରୁ କାଉଡ଼ିଆମାନଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରୁ କାଉଡ଼ିଆମାନେ ଏହି ନଦୀର ସଙ୍ଗମ ସ୍ଥଳକୁ ଆସି ପୂଜାଚ୍ଚର୍ନା କରି ମନ ବାଂଛିତ ଫଳ ପାଇବା ପାଇଁ ଜଳଭାର ଉଠାଇ ବିଭିନ୍ନ ଶୈବପୀଠକୁ ଯାତ୍ରା କରିଥାନ୍ତି । ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା । ଝିପି ଝିପି ବର୍ଷା ରେ ବୋଲ୍ ବମ୍ ହର ହର ବମ୍ ଏବଂ ଜଟିଆ ବାବା ପାର୍ କରେଗା ଧ୍ଵନିରେ ରାସ୍ତାଘାଟ ପ୍ରକମ୍ପିତ ହେଉଥିଲା । ପ୍ରାତଃ ସମୟରେ କାଉଡ଼ିଆମାନେ ଶିବଙ୍କ ମଥାରେ ଜଳ ଲାଗି କରିଥିଲେ । ପ୍ରଭୁଙ୍କ ମଥାରେ ଜଳ ଲାଗି କରିବା ଦ୍ୱାରା ମାନସିକ ପୂରଣ ହୋଇଥାଏ ବୋଲି କାଉଡ଼ିଆ ଭକ୍ତ ମାନେ ମତ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ବହୁ ସଂଖ୍ୟାରେ ମହିଳା କାଉଡ଼ିଆ ଭକ୍ତ ଦେଖିବାକୁ ମିଳିଥିଲା ।