ରାଜ୍ୟ

କେରଳରେ ଆଇଏସ ମଡ୍ୟୁଲର ପର୍ଦ୍ଦାଫାସ୍ କଲା ଏନଆଇଏ, ମନ୍ଦିରଗୁଡ଼ିକ ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ

ନୂଆଦିଲ୍ଲୀ : ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) । ଏହି ତଦନ୍ତକାରୀ ସଂସ୍ଥା କେରଳ ଆଇଏସ୍ ମଡ୍ୟୁଲର ପର୍ଦ୍ଦାଫାସ କରି ସାମ୍ପ୍ରଦାୟିକ ଆତଙ୍କବାଦୀ ଆକ୍ରମଣକୁ ରୋକିବାରେ ଏକ ବଡ଼ ସଫଳତା ହାସଲ କରିଛି ବୋଲି ଗୃହ ମନ୍ତ୍ରାଳୟର ଜଣେ ମୁଖପାତ୍ର ଗୁରୁବାର କହିଛନ୍ତି ।

ଆତଙ୍କବାଦକୁ ଉଚ୍ଛେଦ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସଂକଳ୍ପକୁ ଦୋହରାଇ ଏନ୍ଆଇଏ ଧର୍ମାନୁଷ୍ଠାନ ଏବଂ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ନେତାଙ୍କ ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ବିଫଳ କରିଛି। ତାମିଲନାଡୁରେ ଲୁଚି ରହିଥିବା ଜଣେ ଅଭିଯୁକ୍ତଙ୍କୁ ଏନଆଇଏ ଗିରଫ କରିବା ସହ ତ୍ରିସୁର ଏବଂ ପାଲକ୍କଡର ୪ଟି ସ୍ଥାନରେ ଚଢାଉ କରିଛି ।

ବିଶ୍ୱସ୍ତ ସୂଚନା ଏବଂ ଅନୁସନ୍ଧାନ ଆଧାରରେ ଏନଆଇଏ କେରଳ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ) ସହ ଗୁଇନ୍ଦା ସୂଚନା ଆଧାରରେ ଏକ ମିଳିତ ଅପରେସନ କରିଥିଲା ଏବଂ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଚାରିଟି ସ୍ଥାନରେ ଚଢ଼ାଉ କରିଥିଲା ବୋଲି ଗୃହ ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି। ଏନଆଇଏ ସୁତ୍ରରୁ ଜଣାପଡ଼ିଛି ଯେ ଆଇଏସ୍ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଏବଂ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଏହି ମଡ୍ୟୁଲ୍ ପାଣ୍ଠି ସଂଗ୍ରହ ରେ ନିୟୋଜିତ ଥିଲା। ସେମାନେ ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଯୋଜନା କରୁଥିଲେ ଏବଂ ରାଜ୍ୟର ନେତାଙ୍କ ସମେତ କେତେକ ଧାର୍ମିକ ସ୍ଥଳ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ରେକି କରିଥିଲେ । କେରଳରେ ଆତଙ୍କ ସୃଷ୍ଟି କରିବା ଏବଂ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବା ସେମାନଙ୍କ ଲକ୍ଷ୍ୟ ଥିଲା।

Leave a Reply

Your email address will not be published. Required fields are marked *