ରାଜ୍ୟ

ଶରଦ ପାଓ୍ବାରଙ୍କୁ ଆଉ ଏକ ଧକ୍କା, ଅଜିତ ପାଓ୍ବାରଙ୍କ ସମର୍ଥନରେ ନାଗାଲାଣ୍ଡ ଏନସିପିର ସମସ୍ତ ୭ ବିଧାୟକ

ନୂଆଦିଲ୍ଲୀ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରତିଷ୍ଠାତା ଶରଦ ପାଓ୍ବାରଙ୍କୁ ଆଉ ଏକ ଧକ୍କା ଲାଗିଛି । ତେବେ ଏହି ଧକ୍କା ତାଙ୍କ ନିଜ ରାଜ୍ୟ ମହାରାଷ୍ଟ୍ରରୁ ନୁହେଁ, ବରଂ ସୁଦୂର ନାଗାଲାଣ୍ଡରୁ ଲାଗିଛି । ନାଗାଲାଣ୍ଡରେ ଥିବା ଏନସିପିର ପାର୍ଟି ୟୁନିଟ୍ ଏନସିପି ଅଧ୍ୟକ୍ଷ ଅଜିତ ପାୱାରଙ୍କ ସହ ମିଶି କାମ କରିବାକୁ ନିଷ୍ପତ୍ତି ନେଇଛି । ନାଗାଲାଣ୍ଡ ଏନସିପି ରାଜ୍ୟ ସଭାପତି ୱାଣ୍ଟହୁଙ୍ଗ ଓଡିଓ ଗୁରୁବାର ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ପଟେଲ ଏବଂ ମହାରାଷ୍ଟ୍ର ଏନସିପି ସଭାପତି ସୁନୀଲ ତଟକରେଙ୍କୁ ଭେଟି ନାଗାଲାଣ୍ଡ ୟୁନିଟର ନିଷ୍ପତ୍ତି ବିଷୟରେ ଅବଗତ କରାଇବା ସହ ୭ ଜଣ ବିଧାୟକଙ୍କ ସମେତ ସମସ୍ତ ପଦାଧିକାରୀଙ୍କୁ ସମର୍ଥନ ପ୍ରଦାନ କରିଛନ୍ତି

ଦଳର ନାଗାଲାଣ୍ଡ ୟୁନିଟ୍ ର ସମର୍ଥନରେ ଖୁସି ବ୍ୟକ୍ତ କରି ପ୍ରଫୁଲ୍ଲ ପଟେଲ ରାଜ୍ୟ ସଭାପତି ଓଡିଓଙ୍କୁ ଦଳକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ବୋଲି ଏନସିପି ରାଷ୍ଟ୍ରୀୟ ମୁଖପାତ୍ର ବ୍ରଜମୋହନ ଶ୍ରୀବାସ୍ତବ କହିଛନ୍ତି। ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ ଶ୍ରୀ ପଟେଲ ପୂର୍ବରୁ ନିଯୁକ୍ତ ନାଗାଲାଣ୍ଡ ରାଜ୍ୟ କାର୍ଯ୍ୟକାରିଣୀ ଏବଂ ଜିଲ୍ଲା ୟୁନିଟ୍ଗୁଡ଼ିକୁ ପୂର୍ବଭଳି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ମାସରେ ଅଜିତ ପାଓ୍ବାରଙ୍କ ନେତୃତ୍ବରେ ଏନସିପିର ଏକ ଏକ ବିଧାୟକ ଗୋଷ୍ଠୀ ମହାରାଷ୍ଟ୍ରରେ ଏନଡିଏକୁ ସମର୍ଥନ କରିଥିଲେ । ଏହା ସହିତ ଅଜିତ ପାଓ୍ବାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

Leave a Reply

Your email address will not be published. Required fields are marked *