ସେପ୍ଟେମ୍ବର ମାସରୁ ଭାରତ ପଟୁ କୈଳାସ ପର୍ବତକୁ ଯାତ୍ରା କରିହେବ
ପିଥୌରାଗଡ଼: ଭଗବାନ ଶିବଙ୍କ ନିବାସ ବୋଲି ବିଶ୍ବାସ କରାଯାଉଥିବା କୈଳାସ ପର୍ବତକୁ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଭକ୍ତମାନେ ଭାରତ ପଟୁ ସିଧାସଳଖ ଯାତ୍ରା କରିପାରିବେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ପିଥୌରାଗଡ଼ ଜିଲ୍ଲାର ନଭିଧାଙ୍ଗ୍ ଅନ୍ତର୍ଗତ ‘କେଏମ୍ଭିଏନ୍ ହଟସ୍’ଠାରୁ ‘ବର୍ଡର୍ ରୋଡ୍ସ୍ ଅର୍ଗାନାଇଜେସନ୍’ର (ବିଆର୍ଓ) ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳରେ ଥିବା ଲିପୁଲେଖ ଘାଟି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରୁଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ତାହା ଶେଷ ହେବ।
‘ବିଆର୍ଓ’ର ‘ଡାଇମଣ୍ଡ୍ ପ୍ରୋଜେକ୍ଟ୍’ର ଚିଫ୍ ଇଞ୍ଜିନିୟର୍ ବିମଳ ଗୋସ୍ବାମୀ କହିଛନ୍ତି, ନଭିଧାଙ୍ଗ୍ ଅନ୍ତର୍ଗତ ‘କେଏମ୍ଭିଏନ୍ ହଟସ୍’ଠାରୁ ‘ଲିପୁଲେଖ ଘାଟି’ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୬ କିଲୋମିଟର୍ ରାସ୍ତା ନିର୍ମାଣ ପାଇଁ ଆମେ ପଥର କଟା କାର୍ଯ୍ୟ ଆରମ୍ଭ କରି ଦେଇଛୁ। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବା ପରେ ସେ ବାଟେ ‘କୈଳାସ ଭିୟୁ ପଏଣ୍ଟ୍’ ପ୍ରସ୍ତୁତ ହୋଇଯିବ।
ସୂଚନାଯୋଗ୍ୟ, ‘କୈଳାସ ଭିୟୁ ପଏଣ୍ଟ୍’ ବିକାଶ ଦାୟିତ୍ବ ଭାରତ ସରକାର ‘ହୀରକ ପ୍ରକଳ୍ପ’ ବା ‘ଡାଇମଣ୍ଡ୍ ପ୍ରୋଜେକ୍ଟ’ ଉପରେ ନ୍ୟସ୍ତ କରିଥିଲା।
ଇଞ୍ଜିନିୟର୍ ଗୋସ୍ବାମୀ କହିଛନ୍ତି ଯେ, ରାସ୍ତା କଟେଇ କାର୍ଯ୍ୟ ବହୁପରିମାଣରେ ଶେଷ ହୋଇଗଲାଣି। ପାଗଯୋଗ ଅନୁକୂଳ ରହିଲେ ସେପ୍ଟେମ୍ବର ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବ।
ଉଲ୍ଲେଖଯୋଗ୍ୟ, କୋଭିଡ୍ ମହାମାରୀ ଯୋଗୁଁ ବାତିଲ କରାଯାଇଥିବା ଲିପୁଲେଖ ଘାଟି ବାଟ ଦେଇ କୈଳାସ ମାନସରୋବର ଯାତ୍ରା ଏବେ ମଧ୍ୟ ଆରମ୍ଭ ହୋଇନାହିଁ।