ମଣିପୁର ଭିଡିଓ ମାମଲାର ୫ମ ଅଭିଯୁକ୍ତ ଗିରଫ: ପୁଲିସ
ଇମ୍ଫାଲ୍: ମଣିପୁରରେ ୨ଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଇବା ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।
ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ୧୯ ବର୍ଷିୟ ୟୁମ୍ଲେମ୍ବାମ୍ ନୁଙ୍ଗ୍ସିଥୋଇ ମେତେଇ। ୟୁମ୍ଲେମ୍ବାମ୍ଙ୍କୁ ମିଶାଇ ଏହି ମାମଲାରେ ପୁଲିସ ଏଯାବତ୍ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି।
ଗୁରୁବାର ସକାଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ହୁଇରେମ୍ ହେରାଦାସ ସିଂହଙ୍କୁ ପୁଲିସ ଗିରଫ କରିଥିଲା। ପରେ ଦଳେ ଉତ୍ତ୍ୟକ୍ତ ମହିଳା ତାଙ୍କ ଘର ପୋଡ଼ି ପକାଇଥିଲେ।
ଏହାପରେ ଶୁକ୍ରବାର ସୁଦ୍ଧା ପୁଲିସ ଏହି ମାମଲାରେ ସମ୍ପୃକ୍ତ ଥିବା ଆଉ ୩ ଜଣଙ୍କୁ ଗିରଫ କରିଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ଅଧିକ ତଦନ୍ତ ନିମନ୍ତେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ୧୧ ଦିନ ପାଇଁ ପୁଲିସ ‘କଷ୍ଟଡି’କୁ ପଠାଇ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ମଣିପୁରର କାଙ୍ଗ୍ପୋକ୍ପି ଜିଲ୍ଲା ଅନ୍ତର୍ଗତ ବି ଫାଇନୋମ୍ ଗ୍ରାମ ନିକଟ ରାଜପଥରେ ‘କୁକି-ଜୋମି’ ସମ୍ପ୍ରଦାୟର ୨ଜଣ ମହିଳାଙ୍କୁ ଉଲଗ୍ନ କରାଯିବା ସହିତ ଯୌନ ଉତ୍ପୀଡ଼ନ ଦେଇ ରାସ୍ତାରେ ବୁଲାଯାଇଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ବୁଧବାର ଦିନ ଭାଇରାଲ୍ ହେବା ପରେ ଦେଶ ବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଘଟଣାଟି ମେ ୪ ତାରିଖରେ ଘଟିଥିଲା।
ସେଦିନ ଅପରାହ୍ଣ ପ୍ରାୟ ୩ଟା ବେଳେ ୮୦୦ରୁ ୧୦୦୦ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ବି ଫାଇନୋମ୍ ଗ୍ରାମରେ ପ୍ରବେଶ କରିଥିଲେ।
ଏହି ଭିଡିଓକୁ ସେୟାର୍ ନ କରାଇ ଦେବା ଲାଗି କେନ୍ଦ୍ର ସରକାର ମଧ୍ୟ ଟୁଇଟର୍ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମ ପ୍ରତି ଆଦେଶ ଜାରି କରିଛନ୍ତି।