ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ
ପୁରୀ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରୀୟ ପରିଦର୍ଶନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲିଦେଖିବା ସହ ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସଂପର୍କରେ କ୍ଷେତ୍ରୀୟ ସମୀକ୍ଷା କରିଛନ୍ତି । ଫ୍ଲୋରିଂ ଓ ସ୍ଲାବ ନିମନ୍ତେ ଖଣ୍ତେଲାଇଟ ପଥର ବ୍ୟବହାର କରାଯାଉଛି। ଉଭୟ ଇନର ଓ ଆଉଟର ପରିକ୍ରମା ମାର୍ଗ ଦେଖିବା ସହ ଆସନ୍ତା ତିନି ମାସ ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପ ଶେଷ ପରେ ଏହା ଜନସାଧାରଣ ମାନଙ୍କ ନିମନ୍ତେ ଉର୍ସଗ କରାଯିବ। ସୌନ୍ଦର୍ଯ୍ୟକରଣ ନିମନ୍ତେ ଚାରିପାଖେ ଗଛ ଲଗାଯିବ । ଭକ୍ତମାନଙ୍କ ନିମନ୍ତେ ଶୌଚାଳୟ, ପାନୀୟ ଜଳ, ଧ୍ୟାନ କରିବା ଏବଂ ଉପବେସନ ନିମନ୍ତେ ସମସ୍ତ ବ୍ୟବସ୍ଥାର ମଧ୍ୟ ଶ୍ରୀ ମହାପାତ୍ର ଅନୁଧ୍ୟାନ କରିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଆଗାମୀ ୩ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ବର୍ତ୍ତମାନ ମେଘନାଦ ପାଚେରୀ ବାହରେ ବିଭିନ୍ନ ସ୍ଥାନରୁ ମନ୍ଦିର ଦର୍ଶନ ରମଣୀୟ ଲାଗୁଥିବାରୁ ପ୍ରକଳ୍ପ ଶେଷ ହେବାପରେ ସୌନ୍ଦର୍ଯ୍ୟ ବହୁଗୁଣିତ ହେବା ସହ ଭକ୍ତମାନେ ସେଠାରେ ବହୁ ସମୟ ଅତିବାହିତ କରିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି । ଏଥି ସହ ରିଂରୋଡ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ । ଶ୍ରୀସେତୁ ପ୍ରକଳ୍ପର ବହୁସ୍ତରୀୟ ପାର୍କଂ କାର୍ଯ୍ୟ ଶେଷ ହେବା ପରେ ସେଠାରୁ ବ୍ୟାଟେରି ଚାଳିତ ଗାଡି ମାଧ୍ୟମରେ ଭକ୍ତ ମାନେ ମନ୍ଦିରକୁ ଯିବା ଆସିବାରେ ସୁବିଧା ହେବ ବୋଲି ସେ କହିଥିଲେ। ସର୍ବସାଧାରଣ ଗମନାଗମନ ବ୍ୟାହତ ନହେବା ନିମନ୍ତେ ଷ୍ଟୋନ କ୍ଲାଡିଂ ମାଧ୍ୟମରେ ଟ୍ରାଫିକ ବ୍ୟାରୟର କରାଯିବା ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ।