ରାଜ୍ୟ

‘ପ୍ରାଶାସନିକ ସୁବିଧା ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା କରାଯାଉ’

ଭୁବନେଶ୍ବର: ପ୍ରାଶାସନିକ ସୁବିଧା ଓ ଜନସଂଖ୍ୟା ବୃଦ୍ଧି କାରଣରୁ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା କରାଯାଉ। ଭୁବନେଶ୍ବର ଜିଲ୍ଲା ଗଠନ ସଂଘ ପକ୍ଷରୁ ଶୁକ୍ରବାର ଏହି ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଂଘ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାର ଲୋକପ୍ରିୟ ଜନନେତା ବିଜୁ ପଟ୍ଟନାୟକ ୧୯୯୩ ମସିହାରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡ଼ିଶାର ୧୩ଟି ରାଜସ୍ୱ ଜିଲାକୁ ୩୦ଟି ଜିଲାରେ ପରିଣତ କରି ଏକ ନୂଆ ଇତିହାସ ସୃଷ୍ଟି କରିଥିଲେ। ସେତେବେଳେ ଭୁବନେଶ୍ୱରକୁ ଏକ ସ୍ୱତନ୍ତ୍ର ଜିଲ୍ଲାରେ ପରିଣତ କରାଯିବାର ପ୍ରସ୍ତାବ ଥିଲା। କିନ୍ତୁ କୌଣସି କାରଣରୁ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା। ଏ ଭିତରେ ଦୀର୍ଘ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ, ଏହି ଦୀର୍ଘଦିନର ଦାବି ଉପଯୁକ୍ତ ଗୁରୁତ୍ୱ ପାଇ ନାହିଁ।ଭୁବନେଶ୍ୱରକୁ ଏକ ଜିଲ୍ଲା କରିବା ନିମନ୍ତେ, ତତ୍‌କାଳୀନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ସ୍ୱର୍ଗତ ସତ୍ୟପ୍ରିୟ ମହାନ୍ତି ପ୍ରଥମେ ପ୍ରସ୍ତାବ ରଖି ବହୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟକୁ ଭୁବନେଶ୍ୱରରେ ସ୍ଥାପନ କରିଥିଲେ। ପରବର୍ତ୍ତୀ କାଳରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଏକ ଜିଲାର ମାନ୍ୟତା ଦେବା ନିମନ୍ତେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ ଅବସରପ୍ରାପ୍ତ ବିଚାରପତି (ଜଷ୍ଟିସ୍ ଦାସ)ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲାର ମାନ୍ୟତା ଦେବା ନିମନ୍ତେ ସେହି କମିଟି ମଧ୍ୟ ତତ୍କାଳୀନ ସରକାରଙ୍କୁ ସୁପାରିସ କରିଥିଲେ। ପୂର୍ବତନ ମୁଖ୍ୟଶାସନ ସଚିବ ତଥା ନିର୍ବାଚନ କମିସନର ଅଜିତ କୁମାର ତ୍ରିପାଠୀ ଏବଂ ପୂର୍ବତନ ରାଜସ୍ୱମନ୍ତ୍ରୀ ତଥା ଉପବାଚସ୍ପତି ସୁରେନ୍ଦ୍ରନାଥ ନାୟକ ମଧ୍ୟ ଏ ନେଇ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନିକଟରେ ଏକଦା ପ୍ରସ୍ତାବ ରଖିଥିଲେ ବୋଲି ସଂଘ କହିଛି। ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ  ସଭାପତି ଐତିହାସିକ ପ୍ରଫୁଲ୍ଲ ତ୍ରିପାଠୀ, ଉପସଭାପତି ସନ୍ତୋଷ କୁମାର ମହାନ୍ତି, ସଂପାଦକ ତଥା ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତି, ସଂଗଠନ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଏବଂ  ଗୀତିକାର ରଜନୀରଂଜନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *