ତିନି ମାଓବାଦୀ କଲେ ଆତ୍ମସମର୍ପଣ
ମାଲକାନଗିରି ।
୩ ଜଣ ମାଓବାଦୀ କଲେ ପୋଲିସ ନିକଟରେ ଆତ୍ମସମର୍ପଣ । ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡାଙ୍କ ନିକଟରେ ତୁଳସୀ ମାଲୁପଦର ଦଳମ୍ର ୩ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ସ୍ଵାଭିମାନ ଅଞ୍ଚଳ ଗସ୍ତରେ ଥିବା ସମୟରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ଧରିବା ପାଇଁ ମୁଣ୍ଡ ପିଛା ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଥିଲା ।
ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ୩ ମାଓବାଦୀ ହେଲେ ମାଥିଲି ଥାନାର ମତି ମାଢି, କର୍ତ୍ତନପାଲ୍ଲୀର ପାଣ୍ଡୁ କୱାସୀ ଏବଂ କର୍ତ୍ତନପାଲ୍ଲୀର ଆଇତି କର୍ତ୍ତାମି । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡା, ଅତିରକ୍ତ ନିର୍ଦ୍ଦେଶକ ଅପରେସନ ଅମିତାଭ ଠାକୁର, ଡିଆଇଜି ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା ଅନିରୁଦ୍ଧ ସିଂ, ଡିଆଇଜି ରାଜେଶ ପଣ୍ଡିତ, ମାଲକାନଗିରି ଏସପି ନିତେଶ ୱାଧୱାନୀ, ଏବଂ ବିଏସଏଫ ଉଚ୍ଚ ଅଧିକାରୀ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି।
ଏହି ତିନିଜଣ ମଧ୍ୟରୁ ମନୋଜ ଓ ପାଣ୍ଡୁ ୨୦୧୭ ମସିହାରେ ସିପିଆଇ ମାଓ ସଂଗଠନରେ ଯୋଗ ଦେଇଥିବା ବେଳେ ଆଇତେ ୨୦୨୨ରେ ମାଓ ସଂଗଠନରେ ଯୋଗ ଦେଇଥିଲେ । ଏହି ୩ ଜଣ ବିଭିନ୍ନ ମାଓ ହିଂସା ଓ କାର୍ଯ୍ଯକଳାପରେ ଜଡିତ ଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ତିନିଜଣ ମାଓବାଦୀ ପ୍ରକାଶ କରିଛନ୍ତି ଯେ, ମାଓବାଦୀମାନେ ଆମ ଅଞ୍ଚଳର ଅନେକ ନିରିହ ଲୋକଙ୍କୁ ହତ୍ୟା, ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ଓଡିଶାର କ୍ୟାଡର ମାଓବାଦୀଙ୍କ ଉପରେ ଅତ୍ୟାଚାର କରୁଥିବାରୁ ସେମାନେ ମାଓ ସଂଗଠନ ଛାଡି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଏଥିସହ ରାଜ୍ୟ ସରକାରଙ୍କ ଓଡିଶା ପୋଲିସ ଓ ବିଏସଏଫ୍ , ତୁଳସୀ ପାହାଡ ଅଞ୍ଚଳରେ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରି ସେହି ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟକୁ ତରାନ୍ୱିତ କରିଛନ୍ତି। ଓଡିଶା ସରକାରଙ୍କ ଥଇଥାନ ନୀତି କୁ ବିଶ୍ୱାସ କରି ସେମାନେ ଆତ୍ମ ସମର୍ପଣ କରିଥିବା ପ୍ରକାଶ କରିଛନ୍ତି।