୯ ସେପ୍ଟେମ୍ବର କୃଷକ ବିଜୟ ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ ସରକାର ଓ ବେଦାନ୍ତ ବିରୁଦ୍ଧରେ ପୁରୀ ଚାଲ
ଅନୁଗୁଳ
ସୋମବାର ପୂର୍ବାହ୍ନରେ କୃଷକ ବିଜୟ ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଗୁଳ ଠାରେ ଅନୁଷ୍ଠିତ ହୋଇଯାଇଛି । ପୁରୀରେ ବେଦାନ୍ତ ପାଇଁ ଓଡିଶା ସରକାରଙ୍କ ଦ୍ବାରା ୧୦ ହଜାର ଏକର କୃଷି ଜମି ଓ ଜଗନ୍ନାଥ ମହାପ୍ରଭୁଙ୍କ ଅମୃତ ମଶୋହୀ ଜମି ହସ୍ତାନ୍ତରକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରି ସରକାରଙ୍କୁ ଭର୍ତ୍ସନା କରିବା ଓ ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜୋରିମାନା କରିଥିବା ଦୃଷ୍ଟିରୁ ପୁରି ଠାରେ କୃଷକ ବିଷୟ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଅନୁଗୁଳ ଜିଲ୍ଲାର ସହସ୍ରାଧିକ ପ୍ରତିନିଧି ଚାଷୀ, ଯୁବକ, ଛାତ୍ରଛାତ୍ରୀ ନିଜ ଖର୍ଚ୍ଚରେ ଯୋଗ ଦେବାକୁ ବୈଠକରେ ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଅନୁଗୁଳ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ଇଂ ସସ୍ମିତା ବେହେରାଙ୍କ ତତ୍ୱବିଧାନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବେଦାନ୍ତ ବିଶ୍ୱ ବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଅନ୍ୟତମ ସଂଯୋଜକ ଶ୍ରୀ ଦେବୀପ୍ରସାଦ ପୃଷ୍ଟି ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଇଂ ସସ୍ମିତା ବେହେରା ପ୍ରାଞ୍ଜଳ ଭାବେ ବେଦାନ୍ତକୁ ଜମି ହସ୍ତାନ୍ତର ଉଭୟ ବିଜେଡି ଓ ବିଜେପିର ଅସଲମୁଖା ଖୋଲି ଦେଇଛି ବୋଲି କଟୁକ୍ତି ବ୍ୟକ୍ତ କରିଥିଲେ । ସରକାରଙ୍କ କମ୍ପାନୀ ପ୍ରୀତି ସମଗ୍ର ରାଜ୍ୟ ଓ ଦେଶକୁ ଗ୍ରାସ କରିଛି । ଅନୁଗୁଳ ଜିଲ୍ଲାର ବଅଁରପାଳ, ଛେଣ୍ଡିପଦା, ତାଳଚେର, ଅନୁଗୋଳ, କଣିହାଁ ଓ ଢେଙ୍କାନାଳର ପରଜଙ୍ଗ ବାସୀ ଖଣି ଖାଦାନ ଯୋଗୁଁ ଜମି ହରାଇ ଏବଂ ପ୍ରଦୂଷଣ ବିଷ ଖାଇବାକୁ ବାଧ୍ୟ ହେଉଛନ୍ତି । ଏହା କେବଳ ସରକାର ଓ କମ୍ପାନୀ ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସମ୍ଭବ ହେଉଅଛି । ତେଣୁ କେବଳ ପୁରୀ ବେଦାନ୍ତ ନୁହେଁ ସାରା ରାଜ୍ୟ ଓ ଦେଶରୁ ଚାଷୀ ମାନେ ବିଜୟ ସମାବେଶରେ ଯୋଗ ଦେବେ । ଉକ୍ତ ସମାବେଶରେ ସୁପ୍ରିମକୋର୍ଟର ପ୍ରଖ୍ୟାତ ଆଇନଜୀବୀ ଶ୍ରୀ ପ୍ରଶାନ୍ତ ଭୂଷଣ ଓ ସଭାନେତ୍ରୀ ଶ୍ରୀମତୀ ମେଧା ପାଟେକର ଯୋଗ ଦେବେ ବୋଲି କହିଛନ୍ତି । ସଂମ୍ମାନୀତ ଅତିଥି ଭାବେ ଶ୍ରୀ ଦେବୀପ୍ରସାଦ ପୃଷ୍ଟି ନିଜ ଭାଷଣରେ ଫକୀର ମୋହନ ସେନାପତିଙ୍କ ‘ଛ ମାଣ ଆଠ ଗୁଣ୍ଠ’ ଚରିତ୍ର ଉଲ୍ଲେଖ କଲେ । ଆଜି ମଧ୍ୟ ସରକାର ଜମିଦାର ମଙ୍ଗରାଜ ସାଜି ଚାଷୀ, ଦଳିତ, ଆଦିବାସୀ, ଗରିବ ଲୋକଙ୍କୁ ବନ୍ଧୁକ ମୁନରେ ଭଗିଆ, ସାରିଆ ହଜାର ହଜାର ଏକର ଚାଷ ଜମି ଓ ଘର ଡିହ ହଡପ କରିବା ଦୁର୍ଭାଗ୍ୟଜନକ ଅଟେ । ଭବିଷ୍ୟତ ପିଢ଼ି ଯୁବ ଛାତ୍ର ସମାଜ ପାଇଁ ଏହା ଏକ ବିରାଟ ଆହ୍ୱାନ ଅଟେ । ସୁପ୍ରିମକୋର୍ଟର ଯୁଗାନ୍ତକାରୀ ରାୟ କେବଳ ଓଡିଶା ନୁହେଁ ସମଗ୍ର ଚାଷୀ ଓ ଜମିହରା, ଆଦିବାସୀ ଓ ଦଳିତ ଗରିବଙ୍କ ପାଇଁ ସଞ୍ଜୀବନୀ ସଦୃଶ ଅଟେ । ଓଡ଼ିଶାର ପରିଚୟ ଶ୍ରୀ ଜଗନ୍ନାଥ ଓ ଜଗନ୍ନାଥଙ୍କର ଜମି ହଡପର ଧୁଷ୍ଠତା କରି ସରକାର ସାଢେ ଚାରି କୋଟି ଓଡ଼ିଆଙ୍କୁ ଅପମାନିତ କରିଛି । ତେଣୁ ଅନୁଗୁଳର ଜନତା ନିଶ୍ଚୟ ସମାବେଶରେ ସାମିଲ ହେବା ନେଇ ଆହ୍ୱାନ ଦେଇଥିଲେ । ବେଦାନ୍ତ ବିଶ୍ଵ ବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତିର ଆବାହକ ପୂର୍ବତନ ବିଧାୟକ ଶ୍ରୀ ଉମା ବଲ୍ଲବ ରଥ ନିଜର ଅଭିମତ ପ୍ରକାଶ କରିଥିଲେ । ବୈଠକ ଆରମ୍ଭରେ ମଣିପୁର ହିଂସାକାଣ୍ଡରେ ମୃତାହତଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।