ରାଜ୍ୟ

‘ରେ’ କୋଠା ନିର୍ମାଣ ମାନକୁ ନେଇ ପ୍ରଶ୍ନବାଚୀ, ସୁରକ୍ଷାକୁ ଅଣଦେଖା ଅଭିଯୋଗ ଛାତରୁ ସି‌ମେଣ୍ଟ, ଚଟାଣରୁ ପଲସ୍ତରା ଉଠିଗଲାଣି, କାନ୍ଥରେ ସ୍ଥାନେସ୍ଥାନେ ଫାଟ

*ବ୍ରହ୍ମପୁର (ଚିନ୍ମୟୀ ପାଣିଗ୍ରାହୀ)* ବସ୍ତି ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନ ଓ ଭଲ ପରିବେଶରେ ପକ୍କା ଘର ଯୋଗାଇ ଥଇଥାନ କରିବା ରାଜୀବ ଆବାସ ଯୋଜନା(ରେ) ର ଉଦ୍ଦେଶ୍ୟ ଥିଲା। କିନ୍ତୁ ଏହି ଯୋଜନାରେ ତିନିବର୍ଷ ତଳେ ୪ମହଲା (ଜି+୩) ବିଶିଷ୍ଟ ଆପାର୍ଟମେଣ୍ଟ (ବହୁତଳ କୋଠା)ରେ ଘର ଖଣ୍ଡେ ପାଇ ଖୁସି ହୋଇଥିବା ପରିବାରବର୍ଗ ଏବେ ଅସୁରକ୍ଷିତ ମଣୁଛନ୍ତି। ନିମ୍ନମାନର ନିର୍ମାଣ କାମ ଯୋଗୁଁ ଆପାର୍ଟମେଣ୍ଟ କୋଠା ଗୁଡ଼ିକ ଏବେ ବିପଦସଙ୍କୁଳ ହୋଇପଡ଼ିଛି। ଅନ୍ୟପକ୍ଷେ ଏହି ବହୁତଳ କୋଠାର ଉପର ମହଲା ଗୁଡ଼ିକ ନିର୍ମାଣ ବେଳେ ରହିବାକୁ ଥିବା ଲୋକଙ୍କ ସୁରକ୍ଷାକୁ ଅଣଦେଖା କରାଯାଇଥିବା ଅଭିଯୋଗ ହେଉଛି। ମାତ୍ର ଦେଢ଼ ହାତ ଓସାରର ବାଲ୍‌କୋନି କରାଯାଇଛି। ସେତିରେ ପୁଣି ସୁରକ୍ଷା ପ୍ରାଚୀର ଭାବେ ଯେଉଁ ତିନିଟି ରେଲିଂ ଲାଗିଛି, ସେମାନଙ୍କ ମଧ୍ୟରେ ଅଧିକ ବ୍ୟବଧାନ ରହିଛି। ସେହି ପାର୍ଶ୍ବର ଘର କବାଟ ସମ୍ପୂର୍ଣ୍ଣ ଖୋଲି ହେଉନାହିଁ, ତାହା ଯାଇ ବାହାରେ ଥିବା ରେଲିଂରେ ବାଜୁଛି। ଛୋଟ ଛୁଆଙ୍କ ପାଇଁ ଏହା ବଡ଼ ବିପଦ ପାଲଟିଛି। ରେଲିଂ ମଧ୍ୟରେ ଥିବା ଫାଙ୍କ ଦେଇ ପିଲାମାନେ ତଳକୁ ଖସିପଡ଼ିବାର ଭୟ ରହୁଛି ବୋଲି ଅଭିଯୋଗ ବାଢ଼ିଛନ୍ତି ପାଷ୍ଟଗେଟ୍‌ ଧୋବାବନ୍ଧ ହୁଡ଼ାକୁ ଲାଗି ରହିଥିବା ‘ରେ’ ବାସିନ୍ଦା। 

ସେଠାରେ ‘ରେ’ ପ୍ରକଳ୍ପରେ ୧୮ଟି ବ୍ଲକ୍‌(ଜି+୩) ଥିବା ବେଳେ ଉପରୋକ୍ତ କାରଣ ପାଇଁ କିଛି ଦିନ ତଳେ ଏଠାରେ ୧୧ନଂ ବ୍ଳକ୍‌ର ଉପର ମହଲାରୁ ଜଣେ ଛୋଟ ଶିଶୁ ତଳେ ପଡ଼ି ମୃତ୍ୟୁ ବରଣ କରିଥିବା ପ୍ର୍ରକାଶ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସେମାନଙ୍କ କହିବା ଅନୁଯାୟୀ, ଏଠାରେ ରହିବାର ତିନିବର୍ଷ ମଧ୍ୟରେ ତିନିଟି ଦୁର୍ଘଟଣା ଘଟିସାରିଲାଣି। କିନ୍ତୁ ‌କାହାର ମୃତ୍ୟୁ ହୋଇନଥିଲା। ଜଣେ ଶିଶୁ ତଳକୁ ଖସି ଗୁରୁତର ହୋଇଥିବା ବେଳେ ସେ ଏବେବି ଚିକିତ୍ସାଧୀନ ଅଛି। ତାଙ୍କ ପରିବାର ଆପାର୍ଟମେଣ୍ଟଘର ଛାଡ଼ି ବିଜିପୁରରେ ଭଡ଼ାଘର ନେଇ ରହୁଛନ୍ତି। ଅନ୍ୟ ଦୁଇଜଣ ଶିଶୁ ମଧ୍ୟ ସମାନ ଢଙ୍ଗରେ ରେଲିଂ ଫାଙ୍କ ଦେଇ ଖସିଯାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ରେଲିଂକୁ ଧରି ଓହଳି ରହିଯିବାରୁ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ପାରିଥିଲା। କିନ୍ତୁ କାଲିର ଦୁର୍ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। 

ଅନ୍ୟପକ୍ଷେ ପ୍ରତ୍ୟେକ ବ୍ଲକ୍‌ରେ କୋଠା ଗୁଡ଼ିକ ରୁଗ୍‌ଣ ହୋଗଲାଣି। କାହାର ଛାତରୁ ସିମେଣ୍ଟ ଉଭାନ୍ ହୋଇଗଲାଣି। ପିଲାର୍‌ର ଛଡ଼ ଦେଖାଗଲାଣି। ପାଣି ଟାଙ୍କିରେ ଲ‌ିକେଜ୍‌ ଏବଂ ବର୍ଷାପାଣି ଛାତରେ ଜମି ରହି ଏହାକୁ ନଷ୍ଟ କରୁଛି। କାନ୍ଥ ଏବଂ ଚଟାଣରୁ ପଲସ୍ତରା ଉଠିଗଲାଣି। ଏପରିକି କେତେକ କାନ୍ଥରେ ଫାଟ ସୃଷ୍ଟି ହେଲାଣି। ବର୍ଷା ହେଲେ ଆଉ କେତେକଙ୍କ ଘର କାନ୍ଥ ଭିଜି ପାଣି ଗଳୁଛି। ଏଭଳି ନିମ୍ନମାନର କାମ ହୋଇଛି, ଯେ କହୁଣି ବାଜିଲେ କାନ୍ଥରୁ ଫଢ଼ାଏ ଖସି ପଡ଼ୁଛି ବୋଲି ଜଣେ ବୃଦ୍ଧା କଟାକ୍ଷ କରି କହିଥିଲେ। ବସ୍ତିରେ ଥିଲୁ ଭଲରେ ଥିଲୁ, ଏବେ ଆପାର୍ଟମେଣ୍ଟ‌ରେ ରହି ସବୁବେଳେ ଭୟ ଲାଗି ରହୁଛି ବୋଲି ଅନ୍ୟଜଣେ ମହିଳା କହିଥିଲେ। ଯଦି ଫାଇଲିନ୍ ଭଳି ବାତ୍ୟା ଆସିବ, ଏଇ କୋଠାର ଅବସ୍ଥା ଯାହା, ତା’ ସାମ୍ନାରେ ଠିଆ ହୋଇ ରହିଲା ଭଳି ଲାଗୁନି, ଆମ ଅବସ୍ଥା କଣ ହେବ ବୋଲି ଆଉ ଜଣେ ମହିଳା ଆଶଙ୍କା ପ୍ରକଟ କରିଥିଲେ। କେତେକ ଆପାର୍ଟମେଣ୍ଟର ଡ୍ରେନ୍‌ ପାଣି ନିଷ୍କାସିତ ହୋଇନପାରି ଜମି ରହୁଛି। ଯାହାକି ଆଖପାଖର ପରିବେଶକୁ ଦୂଷିତ କରୁଥିବା ବେଳେ ତଳ ମହଲାରେ ରହୁଥିବା ପରିବାର ଅଧିକ ପ୍ରଭାବିତ ହେଉଥିବା ଅଭିଯୋଗ କରିଛନ୍ତି। ସହର ୧୨ଗୋଟି ସ୍ଥାନ ରେ ୭୭ଗୋଟି ବ୍ଲକ ରହିଛି। ତେବେ ବ୍ରହ୍ମପୁର ମହାନଗର ର ଏକ ଟିମ୍ ସମସ୍ତ ୭୭ ଗୋଟି ବ୍ଲକ ର ସ୍ଥିତି ଅନୁଧ୍ୟାନ କରିବା ପରେ ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି କମିଶନର। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତ୍ବରିତ ପଦକ୍ଷେପ ନେବା ଜରୁରୀ ହୋଇ ପଡ଼ିଛି।

Leave a Reply

Your email address will not be published. Required fields are marked *