ରାଜ୍ୟ

ଓଡ଼ିଶା ସମେତ ୨୭ ରାଜ୍ୟର ୫୦୮ଟି ରେଳ ଷ୍ଟେସନ୍‌ର ପୁନଃନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରରେନ୍‌ସିଙ୍ଗ୍‌ ଜରିଆରେ ଓଡ଼ିଶା ସମେତ ୨୭ଟି ରାଜ୍ୟରେ ଥିବା ୫୦୮ଟି ରେଳ ଷ୍ଟେସନ୍‌ର ପୁନଃନିର୍ମାଣ ତଥା ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିକାଶର ଲକ୍ଷ୍ୟ ପଥରେ ଅଗ୍ରସର ହେଉଥିବା ଭାରତ, ଏବେ ତା’ର ‘ଅମୃତ କାଳ’ ପ୍ରାରମ୍ଭରେ ରହିଛି। ନୂଆ ଶକ୍ତି, ନୂଆ ପ୍ରେରଣା, ନୂଆ ପ୍ରସ୍ତାବନା ରହିଛି। ଏହି ସୂତ୍ରରେ ଆଜି ଭାରତୀୟ ରେଳବାଇ ଇତିହାସରେ ମଧ୍ୟ ନୂଆ ଅଧ୍ୟାୟ ଆରମ୍ଭ ହେଉଛି।

ଅମୃତ ଭାରତ ରେଳବାଇ ଷ୍ଟେସନ୍‌’ ଭାବେ ଭାରତରରେ ପ୍ରାୟ ୧୩୦୦ଟି ପ୍ରମୁଖ ରେଳ ଷ୍ଟେସନ୍‌ ବିକଶିତ କରାଯିବ। ସେସବୁକୁ ଆଧୁନିକ ପ୍ରଣାଳୀରେ ପୁନଃବିକଶିତ କରାଯିବ। ସେଥିରୁ ଆଜି ୫୦୮ଟି ‘ଅମୃତ ଭାରତ ରେଳବାଇ ଷ୍ଟେସନ୍‌’ର ପୁନଃନବୀକରଣ କାର୍ଯ୍ୟ ଆରମ୍ଭ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ, ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ୫୦୮ଟି ଷ୍ଟେସନ୍‌ଗୁଡ଼ିକରେ ରହିଛି ଓଡ଼ିଶାର ୨୫ଟି, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ୫୫ଟି ଲେଖାଏଁ, ବିହାରର ୪୯ଟି, ମହାରାଷ୍ଟ୍ରର ୪୪ଟି, ପଶ୍ଚିମବଙ୍ଗର ୩୭ଟି, ମଧ୍ୟପ୍ରଦେଶର ୩୪ଟି, ଆସାମର ୩୨ଟି, ପଞ୍ଜାବର ୨୨ଟି ଗୁଜରାଟ ଓ ତେଲେଙ୍ଗାନାର ୨୦ଟି ଲେଖାଏଁ, ଝାଡ଼ଖଣ୍ଡର ୨୦ଟି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ୧୮ଟି ଲେଖାଏଁ ଷ୍ଟେସନ୍‌। ଏହାଛଡ଼ା, କର୍ଣ୍ଣାଟକର ୧୩ଟି ଓ ହରିୟାଣାର ୧୫ଟି ଷ୍ଟେସନ୍‌ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛି।

ଏ ବାବଦକୁ ୩ ବିଲିୟନ୍‌ ଡଲାର୍‌ ବା ଭାରତୀୟ ମୁଦ୍ରା ହିସାବରେ ୨୪,୪୭୦ କୋଟି ଟଙ୍କା ବ୍ୟୟ ବରାଦ ରଖାଯାଇଛି।

Leave a Reply

Your email address will not be published. Required fields are marked *