୮ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲା: ପୁଣି ଦୁଇଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ
ଭୁବନେଶ୍ବର: ୮ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ପୁଣି ଦୁଇଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ଦୁଇ ଗିରଫ ଅଭିଯୁକ୍ତ ହେଲେ ସମରେଶ ଦାସ ଓ ହେମନ୍ତ ପଣ୍ଡା। ଜାଲ କାଗଜପତ୍ର ଜରିଆରେ ବ୍ୟାଙ୍କ ଦେଇଥିଲା ୮ କୋଟି ଟଙ୍କା ଋଣ। ଫୁଲବାଣୀ ଏସବିଆଇ ଶାଖାର ରିଜିଓନାଲ ମ୍ୟାନେଜର ଏ ନେଇ ଅଭିଯୋଗ କରିଥିଲେ। ଏହାପରେ ଇଓଡବ୍ଲୁ ମାମଲାର ତଦନ୍ତ କରାଯାଇ ଉଭୟଙ୍କୁ ଗିରଫ କରିଛି।ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଜାଲରେ ଫୁଲବାଣୀ ଏସବିଆଇର ଡେପୁଟି ମ୍ୟାନେଜର। ୮ କୋଟି ଟଙ୍କା ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ ପୂର୍ବରୁ କଟକରୁ ଗିରଫ କରିଥିଲା ଇଓଡବ୍ଲୁ। ଗତକାଲି ଗିରଫ ହୋଇଥିବା ଆଶୁତୋଷ ଆଚାର୍ଯ୍ୟଙ୍କୁ ଆଜି ଫୁଲବାଣୀ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା।
ତାଙ୍କ ବିରୋଧରେ ୪୦୯, ୪୨୦, ୪୬୭, ୪୬୮,୪୭୧ ଓ ୧୨୦ବି ଧାରାରେ ମାମଲା କରାଯାଇଥିଲା। ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ଏ ନେଇ ଇଓଡବ୍ଲୁରେ ଅଭିଯୋଗ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୁଲିସ। ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ଦେବା ନାଁରେ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରହିଛି। ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟ ନକଲି କାଗଜପତ୍ର ଜରିଆରେ ୫୯ ଜଣଙ୍କୁ ଋଣ ଦେଇଥିବା ନେଇ ଅଭିଯୋଗ ହୋଇଛି। ସେ ନିଜର ସଂପର୍କୀୟ ଓ ପରିଚିତ ଲୋକଙ୍କୁ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଋଣ ଦେଇଥିବା ଜଣାଯାଇଛି।