ଉତ୍କଳୀୟ ସଂସ୍କୃତି ର ବିକାଶ ରେ ଗୋଟିପୁଅ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଦାସ ସ୍ମରଣ ରହିବେ
—————————————————–ଉତ୍କଳୀୟ ସଂସ୍କୃତି ର ଅନ୍ୟତମ ମାଇଲଖୁଣ୍ଟ ଗୋଟିପୁଅ ନୃତ୍ୟ କୁ ବଞ୍ଚାଇ ରଖିବାକୁ ଜଣେ ଗୁରୁ ଯେ ନିଜ ସଂପତ୍ତି ବିକି ପାରେ ଓ ତନ୍ତରେ ଗାମୁଛା ବୁଣି ବଡ଼ଦାଣ୍ଡରେ ବିକି ପାରେ, ତାହାର ଜ୍ୱଳନ୍ତ ଉଦାହରଣ ପଦ୍ମଶ୍ରୀ ସ୍ୱର୍ଗତ ମାଗୁଣି ଦାସ। କେବଳ ମଠ -ମନ୍ଦିର ନୁହେଁ, ଓଡ଼ିଶା ର ବିଭିନ୍ନ ଜିଲ୍ଲାରେ, ଭାରତବର୍ଷ ର ବିଭିନ୍ନ ପ୍ରଦେଶରେ, ବିଶେଷକରି ଗୋଟିପୁଅ ନୃତ୍ୟକୁ ଜାପାନ,ଜର୍ମାନ, ଲଣ୍ଡନ, ଡେନମାର୍କ ଓ ଫ୍ରାନ୍ସ ଭଳି ଅନେକ ଦେଶରେ ପହଞ୍ଚାଇ, ଗୋଟିପୁଅ ନୃତ୍ୟ କୁ ବିଶ୍ଵମୟ କରିବାରେ ଗୁରୁ ମାଗୁଣି ଦାସଙ୍କୁ ଏ ଜାତି ସ୍ମରଣ ରଖିବ ବୋଲି କହିଛନ୍ତି ଉଦଘାଟକ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ସ୍ବତନ୍ତ୍ର ଅତିଥି ଓଡ଼ିଶା ମୋ ପରିବାର ର ସଂଯୋଜକ ଶୁଭାଶିଷ ଖୁଣ୍ଟିଆ। ପଦ୍ମଶ୍ରୀ ଉତ୍ସବ ଦାସଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକାରୀ ସଭାପତି ଗୀତିକାର ବଦ୍ରି ମିଶ୍ରଙ୍କ ପରିଚାଳନା ରେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ସହଯୋଗ ରେ ଦଶଭୂଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ, ରଘୁରାଜପୁର ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଥିଲେ ଯେ ପଦ୍ମଶ୍ରୀ ମାଗୁଣି ଦାସଙ୍କ ସ୍ମୃତି ରକ୍ଷା, ଗୋଟିପୁଅ ତଥା ପରିଷଦର ବିକାଶମୂଳକ କାର୍ଯ୍ୟ ରେ ଜିଲ୍ଲା ପ୍ରଶାସନ ସମସ୍ତ ସହଯୋଗ ଦେବ ଓ ଏଥିପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବ। ସଂଯୋଜକ ବସନ୍ତ କୁମାର ପ୍ରଧାନଙ୍କ ସଞ୍ଚାଳନ ରେ ପୁରୀ ସଂସ୍କୃତି ଭବନ ରେ ଅନୁଷ୍ଠିତ ଗୁରୁଙ୍କ ୧୦୨ତମ ଜନ୍ମଜୟନ୍ତୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ଲୋକସଂସ୍କୃତି ଏକାଡେମୀ ଓଡ଼ିଶା ର ରାଜ୍ୟ ସଂପାଦକ ପ୍ରଫୁଲ୍ଲ କୁମାର ସାମନ୍ତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ସ୍ୱର୍ଗତ ଦାସଙ୍କ ସଂଘର୍ଷମୟ ଜୀବନ ର ସ୍ମୃତିଚାରଣ କରିଥିଲେ। ପ୍ରାରମ୍ଭରେ ସଂପାଦକ ସେବେନ୍ଦ୍ର ଦାସ ସଂପାଦକୀୟ ବିବରଣୀ ପାଠ କରିବା ପରେ ପରିଷଦ ପକ୍ଷରୁ ଚମତ୍କାର ଗୋଟିପୁଅ ନୃତ୍ୟ, ଗୁରୁ ଆଲୋକ ବିଶୋଇଙ୍କ ନେତୃତ୍ବ ରେ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦ ଗଞ୍ଜାମ ର ପଶୁମୁଖା ନୃତ୍ୟ,ଭୀମଭୋଇ କଳା ପରିଷଦ ସୁବର୍ଣ୍ଣପୁର ର ସମ୍ବଲପୁରୀ ନୃତ୍ୟ, ଗୁରୁ ଅଶୋକ ଦାସଙ୍କ ନିର୍ଦ୍ଦେଶନାରେ ନବପ୍ରତିଭା ପୁରୀ ର ମାହାରୀ ନୃତ୍ୟ, ବିଭିନ୍ନ ଜିଲ୍ଲାର ସଂକୀର୍ତ୍ତନ ଓ ବାଲିପୁଟ.ର ପାଲା ପରିବେଷଣ ହୋଇଥିଲା। ଏହି ଅବସରରେ ବିଭିନ୍ନ ନୃତ୍ୟଦଳ ଓ ଗୁରୁଙ୍କୁ ସମ୍ମାନିତ କରାଯାଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶ୍ୟାମପ୍ରକାଶ ସେନାପତି ସଞ୍ଚାଳନ କରିଥିବା ବେଳେ,ପ୍ରାତଃ କାଳରେ ଐତିହ୍ୟ ଗ୍ରାମ ରଘୁରାଜପୁର ଗୁରୁକୂଳ ରେ ଗୁରୁ ମାଗୁଣି ଦାସଙ୍କ ପ୍ରତିମୂର୍ତ୍ତି ରେ ପୁରୀ ଜିଲ୍ଲାର ଅନେକ କଳାକାର ମାଲ୍ୟାର୍ପଣ କରିଥିଲେ।