ରାଜ୍ୟ

ଋଷିକୂଲ୍ୟା ଜିଲ୍ଲା ଦାବୀ, ଆସିକା ବନ୍ଦ ସଫଳ

ଆସିକା ବ୍ଲକ ସମେତ ଆଉ 8ଗୋଟି ବ୍ଲକକୁ ନେଇ ଋଷିକୂଲ୍ୟା ଜିଲ୍ଲା ଗଠନ ଦାବୀ କରି ଆଜି ଆସିକା ବନ୍ଦ ଡାକରା ଦିଆଯାଇଥିଲା. ସକାଳ 6ଘଣ୍ଟ ଠାରୁ ସନ୍ଧ୍ୟା 6ଘଣ୍ଟ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଛି.ଆସିକା ତାଲୁକା ଛକ, ମକୁନ୍ଦପୁର ଛକ ଓ କାଳଷଣ୍ଡପୁର ଛକ ନିକଟରେ ପ୍ରତିବାଦ କରିବା ସହିତ ଋଷିକୂଲ୍ୟା ଜିଲ୍ଲା ଗଠନ ଦାବୀ ପାଇଁ ସ୍ୱର ଉତ୍ତୋଳନ କରିଥିଲେ. ଆସିକାରେ ଥିବା ସ୍କୁଲ, କଲେଜ, ବ୍ୟାଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ବନ୍ଦ ରହିଥିବା ବେଳେ ଆସିକା ଜନସାଧାରଣ ଏହି ଦାବିକୁ ସମର୍ଥନ କରୁଥିବା ଜଣାପଡିଛି. ଯୋଗାଯୋଗ, ବାଣିଜ୍ୟ, ଶିକ୍ଷା ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଆସିକା ଏକ ପ୍ରାଚୀନ ସହର ହୋଇଥିବା ବେଳେ ଆସିକା ଠାରେ ଜିଲ୍ଲା ହେଡ଼ କ୍ୟାଟର ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଦାବୀ ଉପସ୍ଥାପନ କରିଛି. ଏହି ୮ ଟି ବ୍ଲକର ଜନସଂଖ୍ୟା ଓ ଭୌଗୋଳିକ ସ୍ଥିତି ଦୃଷ୍ଟି କୋଣରୁ ଆସିକା ଠାରେ ଋଷିକୂଲ୍ୟା ଜିଲ୍ଲା ପ୍ରତିଷ୍ଠା ପାଇଁ ଆନୁସାଙ୍ଗିକ ଭିତ୍ତି ଭୂମି ରହିଥିବା ଦାବୀ କରିଛନ୍ତି ମିଳିତ କ୍ରିୟାନୁଷ୍ଠାନ କମିଟି.ଆଜିର ବନ୍ଦ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳକୁ ଯୋଗାଯୋଗ ବାଧାପ୍ରାପ୍ତ ହେବା ସହିତ ବାଣିଜ୍ୟ ବ୍ୟବସାୟ ଠପ ହୋଇଯାଇଛି. ଶହ ଶହ ଭାରୀଯାନ ସାଙ୍ଗକୁ ଟ୍ରକ, ବସ କାର ଆଦି ଯାନବାହାନ ଆସିକା ସହରରେ ଉଭୟ ପ୍ରାନ୍ତରେ ଛିଡା ରହିଥିବା ଦେଖିବାକୁ ମିଳିଛି. ଋଷିକୂଲ୍ୟା ଜିଲ୍ଲା ଗଠନ ପାଇଁ ପ୍ରସ୍ତାବଟିକୁ ଘରେ ଘରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରାଯିବ ବୋଲି କହିଛି ମିଳିତ କ୍ରିୟାନୁଷ୍ଠାନ କମିଟି.

Leave a Reply

Your email address will not be published. Required fields are marked *