ଋଷିକୂଲ୍ୟା ଜିଲ୍ଲା ଗଠନ ଦାବିରେ ଆସିକା ବନ୍ଦ
ଜିଲ୍ଲା ନାହିଁ ତ ଭୋଟ ନାହିଁ
ଆସିକା – ପୂର୍ବରୁ ଉଠି ଆସୁଥିବା ଗଞ୍ଜାମ ଜିଲ୍ଲା ଆସିକା ଓ ଏହାର ଆଖପାଖ ୮ଟି ବ୍ଲକକୁ ନେଇ ଋଷିକୂଲ୍ୟା ଜିଲ୍ଲା ଗଠନ ଦାବି ଏବେ ଜୋର୍ ଧରିଛି। ଏନେଇ ଆଜି ଆସିକା ଓକିଲ୍ ସଂଘ ଓ ମିଳିତ କ୍ରିୟନୁଷ୍ଠାନର କମିଟି ପକ୍ଷରୁ ଋଷିକୁଲ୍ୟା ଜିଲ୍ଲା ଗଠନ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ସକାଳୁ ସକାଳୁ ସହର ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି। କମିଟି ସଦସ୍ୟ ମାନେ ସହରର ପ୍ରବେଶ ପଥରେ ପୋଷ୍ଟର ଲଗାଇ ବନ୍ଦ ଡାକରା କୁ ସଫଳ କରାଇବାକୁ ଅନୁରୋଧ କରୁଥିବା ବେଳେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ଦୋକାନ ବଜାର, ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ୍ ଆଦି ସବୁ ବନ୍ଦ ରହିଥିବା ଦେଖିବାକୁ ମିଳିଛି।ଗଞ୍ଜାମ ଜିଲ୍ଲାର ଆସିକା ଏକ ସାଂସଦୀୟ ନିର୍ବାଚନ ମଣ୍ଡଳୀ। ଏହା ଗଞ୍ଜାମ ଜିଲ୍ଲାର ଠିକ୍ କେନ୍ଦ୍ର ବିନ୍ଦୁରେ ଅବସ୍ଥିତ। ଆସିକାରୁ ବ୍ରହ୍ମପୁର, ସୋରଡା, ଭଞ୍ଜନଗର, ଛତ୍ରପୁର, ବେଲଗୁଣ୍ଠା, ବୁଗୁଡ଼ା,ଦିଗପହଣ୍ଡି ଆଦି ୪୦ ରୁ ୫୦ କିଲୋମିଟର ଦୂରରେ ଅବସ୍ଥିତ। ତେଣୁ ଏହି ଦୃଷ୍ଟିରୁ ଆସିକା କୁ ଋଷିକୁଲ୍ୟା ଜିଲ୍ଲା ଭାବେ ମାନ୍ୟତା ଦେବା ପାଇଁ ବହୁ ବର୍ଷ ହେଲା ଅର୍ଥାତ୍ ୧୯୯୩ ରୁ ଦାବି ହୋଇ ଆସୁଥିବା ବେଳେ ଏହା ଏବେ ଅଧିକ ସକ୍ରିୟ ହୋଇ ଉଠିଛି। ଦେଶରେ ୪୪୩ ସାଂସଦିୟ ମଣ୍ଡଳୀ କୁ ଜିଲ୍ଲା କିମ୍ୱା ସବ୍ ଡିଭିଜନରେ ପରିଗଣିତ କରାଯାଇଥିବା ବେଳେ କେବଳ ଆସିକା ସେଥିରୁ ବାଦ୍ ପଡ଼ିଛି। ତେଣୁ ଏନେଇ ୧୭.୧୨.୨୦୨୩ ରେ ଆସିକା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ହିଞ୍ଜିଳିକାଟୁ, ସାନଖେମୁଣ୍ଡି, ଶେରଗଡ଼, ପୋଲସରା, ଓ ଧରାକୋଟ ଆଦି ୮ଟି ବ୍ଲକ୍କୁ ନେ଼ଇ ଋଷିକୁଲ୍ୟା ଜିଲ୍ଲା ଗଠନ କରି ଆସିକା ରେ ତାହାର ମୁଖ୍ୟ କାର୍ଯ୍ୟାଳୟ କରିବା ପାଇଁ ଏକ ବଡ଼ ଧରଣର ଆନ୍ଦୋଳନ ହେବା ସହ ସେହି ସମୟର ମୂଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। ଏଵଂ ସେ ଏହି ଦାବିକୁ ଯଥାର୍ଥ ଭାବି ୧୯୯୪ ରେ ଏହାକୁ ଅଗ୍ରଧିକାର ଦେବା ସହ ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ। ହେଲେ ତାହା ପରେ ଏହାକୁ ନିର୍ବାଚନ ପରେ ନିର୍ବାଚନ ବିତିଯାଇଛି। ବହୁ ଦାବି ହୋଇଛି ହେଲେ ବି କୌଣସି ସୁଫଳ ମିଳିନି।ନିକଟରେ ବଡ଼ଗଡ ଜିଲ୍ଳାର ପଦ୍ମପୁର ନିର୍ବାଚନମଣ୍ଡଳୀରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ବ୍ଲକ୍ କୁ ନେଇ ପଦ୍ମପୁରକୁ ଏକ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଦୀର୍ଘ ଦିନ ହେଲା ଦାବି ହୋଉଥିବା ଋଷିକୁଲ୍ୟା ଜିଲ୍ଲା ଗଠନକୁ ଅଣଦେଖା କାହିଁକି ବୋଲି ପ୍ରଶ୍ନ କରାଯାଇଛି। ପୁଣି ମୂଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ରାଜନୀତି ଜୀବନର ଏନ୍ତୁଡି ଶାଳ ହେଉଛି ଆସିକା । ପୁଣି ଓଡ଼ିଶାର ୨୧ଟି ସାଂସଦୀୟ କ୍ଷେତ୍ର ମଧ୍ୟରୁ ୧୯ ଜିଲ୍ଲା ଗୋଟିଏ ରଜ୍ୟ ରାଜଧାନୀ ରୁପେ ମାନ୍ୟତା ପାଇଥିବା ବେଳେ ଆସିକାରେ ସମସ୍ତ ପ୍ରକାର ସୁବିଧା ଥାଇ ବି ଏହାକୁ ଅଣ ଦେଖା କରାଯାଉଛି ବୋଲି ମତ ପ୍ରକାଶ କରାଯାଇଛି।ସରକାର ନୂତନ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ରଖୁଥିବା ବେଳେ ଆସିକାକୁ ମଧ୍ୟ ନଜରକୁ ନେଇ ଋଷିକୂଲ୍ୟା ଜିଲ୍ଲା ଗଠନ କରିବାକୁ ଏବେ ପୁଣି ଦାବି କରାଯାଇଛି। କାରଣ ଆସିକା ଅଞ୍ଚଳରୁ ଯେତିକି ରେଭିନ୍ୟୁ ଆଦାୟ ହେଉଛି । ତାହା ଏକ ଜିଲ୍ଲାକୁ ପରିଚାଳନ କରିବାକୁ ଯଥେଷ୍ଟ ହେବ। ତେଣୁ ଏହି ସବୁ କଥାକୁ ବିଚାର କରି ଆସିକାକୁ ଯଦି ଋଷିକୂଲ୍ୟା ଜିଲ୍ଲା ର ମାନ୍ୟତା ଦିଆନଯାଏ ତେବେ ଆଗମୀ ୨୦୨୪ ନିର୍ବାଚନରେ ସାରା ଅଂଚଳ ଭୋଟ ବର୍ଜନ କରିଯିବ ବୋଲି ବୋଲି କମିଟି ପକ୍ଷରୁ ସ୍ଥିର ହୋଇଥିବା କୁହାଯାଇଛି ।