ଅର୍ଦ୍ଧ ନିର୍ମିତ କଲ୍ୟାଣ ମଣ୍ଡପ କାର୍ଯ୍ୟ ରେ ଆସୁନି।
ନିମାପଡ଼ା,(ପି .ଏନ) ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତ ରେ ଏକ କଲ୍ୟାଣ ମଣ୍ଡପ କୁ ତରବରିଆ ଭାବେ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ଗତ ଡିସେମ୍ବର ୨୨ ତାରିଖ ୨୦୨୧ ରେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଫିତା କାଟି, ନଡିଆ ବାଡେଇ ଉଦଘାଟନ କରିଥିଲେ । ଛଣିଜଙ୍ଗ ପଞ୍ଚାୟତର କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ସପୂର୍ଣ୍ଣ ନ ହୋଇ ଝରକା , କବାଟ ,ପାଇଖାନା ,ଇଲେକ୍ଟ୍ରି ଓଆରିଙ୍ଗ ,ସହିତ ପାଇଖାନା ଟାଙ୍କି କାମ ଶେଷ ନ ହୋଇ କିପରି ଉଦଘାଟନ ହେଲା ତାହାହିଁ ସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟିକରିଛି ।ପଞ୍ଚାୟତ ନିର୍ବାଚନ ରେ ପଞ୍ଚାୟତର ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏପରି କରିଛନ୍ତି ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି । ଏହି ମଣ୍ଡପ ୧ ବର୍ଷ ୮ ମାସ ହେବ ଉଦଘାଟନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଲୋକ ଙ୍କ କାର୍ଯ୍ୟ ରେ ଆସୁନାହିଁ । ମଣ୍ଡପ ସାମ୍ନା ରେ ହୋଇଥିବା ପୁଟୀକା ରେ ଛାତ ନ ପଡି କାମ ଦୀର୍ଘ ଦିନ ଧରି ବନ୍ଦ ରହିଛି । ଉକ୍ତ ପଞ୍ଚାୟତ ମଣ୍ଡପଟି କାମ ନ ହୋଇ ମେଲା ଖୋଲା ରହୁଥିବା ଯୋଗୁଁ ଏଠାରେ ସଂଧ୍ୟା ହେଲେ ଅସାମାଜିକ ବ୍ୟକ୍ତି ଙ୍କ ଆଡ୍ଡା ଜମୁଛି।ଘରର ଭିତରେ ଓ ବାହାରେ ବିଭିନ୍ନ ପ୍ରକାର ଘାସ ଲଟା ରେ ପରିପୂର୍ଣ୍ଣ ହୋଇଯାଇଛି ।ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ନ ହେବାରୁ ପଞ୍ଚାୟତର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ବିଭାହ ,ବ୍ରତ , ଜନ୍ମଦିନ ଉତ୍ସବ , ବିଭିନ୍ନ ପ୍ରକାର ସଭା ମିଟିଙ୍ଗ ପ୍ରମୁଖ କାର୍ଯ୍ୟ କରିବା ପାଇଁ ପଞ୍ଚାୟତବାସୀ ବଞ୍ଚିତ ହେଉଛନ୍ତି । ଯାହା ଫଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ମଧ୍ୟ ମଣ୍ଡପ ଟି ସାଧାରଣ ଲୋକଙ୍କ କାମରେ ଆସୁନାହିଁ । ଏ ଦିଗରେ ପୁରୀ ଜିଲ୍ଲା ଜିଲାପାଳ ଓ ନିମାପଡା ବ୍ଲକ ବିଡ଼ିଓ ଦୃଷ୍ଟି ଦେଇ ତଦନ୍ତ କରି ତୁରନ୍ତ କଲ୍ୟାଣ ମଣ୍ଡପ କାର୍ଯ୍ଯ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ପଞ୍ଚାୟତ ର ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ଯଦି ତୁରନ୍ତ ମଣ୍ଡପ ନିର୍ମାଣ କାର୍ଯ୍ୟ ଶେଷ ନ ହୁଏ ତାହାଲେ ଆଗାମୀ ଦିନରେ ବ୍ଲକ ଘେରାଉ କରିବା ସହ ଜିଲାପାଳ ଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି ପଞ୍ଚାୟତ ର ଦୁର୍ଯ୍ୟୋଧନ ମହାନ୍ତି , ଭକ୍ତବନ୍ଧୁ ବିଶ୍ୱାଳ , ଆଲୋକ ନାୟକ , ଭାଗିରଥି ମଲ୍ଲିକ ସହିତ ଶତାଧିକ ଲୋକ ଚେତାବନୀ ଦେଇଛନ୍ତି ।