ଡେଙ୍ଗୁ ମାରିବା ପାଇଁ ଡ୍ରୋନ୍ ନୁହେଁ, ମେୟର ରାଫେଲ୍ ବ୍ୟବହାର କରନ୍ତୁ-ସୁନୀତି ମୁଣ୍ଡ୍
ବିଏମ୍ସିର ଜରିମାନା ଆଦାୟ ନିଷ୍ପତିକୁ ଜୋର୍ଦାର ବିରୋଧ, ଏହା ଜିଜିଆ କର ଏବଂ ତୋଗଲକି ନିଷ୍ପତି
- ଆଗ ନିଜ ଦାୟିତ୍ୱ ବୁଝନ୍ତୁ, ଲୋକଙ୍କ ଉପରେ ଜରିମାନା ଗ୍ରହଣୀୟ ନୁହେଁ
- ଭୁବନେଶ୍ୱର ମହାନଗର ନିଗମ ଜନସାଧାରଣଙ୍କୁ ନୁହେଁ ମଶା ମାରୁ
ଭୁବନେଶ୍ୱର, ୧୨/୮: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ଘଟଣାରେ ବିଜେପି ନେତ୍ରୀ ସୁନୀତି ମୁଣ୍ଡ୍ ବିଏମ୍ସି ମେୟରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ବିଏମ୍ସିର ନିର୍ବାଚିତ ମେୟର ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବା ନିମନ୍ତେ ନିଜର ମୌଳିକ କର୍ତ୍ତବ୍ୟ ଓ ଦାୟିତ୍ୱ ନକରି ଡେଙ୍ଗୁ ବ୍ୟାପିବା ପାଇଁ ଜନସାଧାରଣଙ୍କ ନିକଟରୁ ଜୋରିମାନା ଆଦୟ କରିବାକୁ ଯେଉଁଭଳି ନିଷ୍ପତ୍ତି ନେଇଛନ୍ତି ତାହା ଜିଜିଆ କର ଭଳି ହୋଇଛି । ମେୟରଙ୍କର ଏଭଳି ତୋଗଲକି ନିଷ୍ପତ୍ତି ଡେଙ୍ଗୁ ନିୟନ୍ତ୍ରଣ କରିପାରିବ ନାହିଁ ବୋଲି ସୁନୀତି କହିଛନ୍ତି । ଗତ ନିର୍ବାଚନରେ ବିଜେପି ମେୟର ପ୍ରାର୍ଥୀ ଥିବା ସୁନୀତି ମୁଣ୍ଡ୍ କହିଛନ୍ତି ଭୁବନେଶ୍ୱର ନଗର ନିଗମ ନିଜ ଅସଫଳତା ଲୁଚାଇବାକୁ ଲୋକଙ୍କଠାରୁ କର ଆଦାୟ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ଜନସାଧାରଣ ବିଚାର କରନ୍ତୁ ।
ଏକ ପ୍ରେସ ବିବୃତି ଜରିଆରେ ବିଏମ୍ସି ଉପରେ ଆକ୍ରମଣ କରି ସୁନୀତି କହିଛନ୍ତି, ବର୍ଷକ ତଳେ ମଶା ମାରିବାକୁ ଡ୍ରୋନ୍ ଉଡାଇଥିଲେ । ଏବେ ମେୟର ପୁଣି ଉଡାଇବାକୁ କହିଛନ୍ତି । ସୁନୀତି ଏବେ ପ୍ରଶ୍ନ କରିଛନ୍ତି ଯେ ଡ୍ରୋନ୍ ଉଡାଇ କେତେ ମଶା ଧରାଗଲା ଏବଂ କେତେ ମଶାଙ୍କୁ ମରାଗଲା ନିଗମ ତାହାର ତଥ୍ୟ ଦିଅନ୍ତୁ । ମହାନଗର ନିଗମରେ ମୁକୁଳା ନାଳ ସହିତ ଅନେକ ସ୍ଥାନରେ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଥିବାବେଳେ ଡ୍ରୋନ ଦ୍ୱାରା ମଶାମରା ଅଭିଯାନ ଆରମ୍ଭ କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ଏହାଦ୍ୱାରା ମୌଳିକ ସମସ୍ୟା ସମାଧାନରେ ବିଏମ୍ସିର ବିଫଳତାରୁ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟ ଆଡକୁ ନେଇଯିବା ଉଦ୍ୟମ ସ୍ପଷ୍ଟ ହେଉଛି । ସୁନୀତି କହିଛନ୍ତି, ଟିକସଦାତାଙ୍କ ଅର୍ଥରେ ସେମାନଙ୍କର ମୌଳିକ ସମସ୍ୟା ସମାଧାନ ଓ ବିକାଶ ପରିବର୍ତ୍ତେ ଡ୍ରୋନ ଉଡାଯିବା ଯୋଜନା ହେଉଛି । ବରଂ ଡ୍ରୋନ ନଉଡାଇ ମେୟର୍ ରାଫେଲ ବିମାନ ଉଡାଇ ମଶା ବଂଶ ନିପାତ କରନ୍ତୁ ବୋଲି ସୁନୀତି ତାଚ୍ଛଲ୍ୟ କରି କହିଛନ୍ତି । ବିଏମ୍ସି ଅଞ୍ଚଳରେ ମେୟର ମଶା ଦୁର କରିବାକୁ ଅଞ୍ଚଳ ପରିଷ୍କାର ରଖିବା ସହିତ ଏବଂ ନାଳ ନର୍ଦ୍ଦମାର ନିୟମିତ ସଫେଇ କରାନ୍ତୁ ବୋଲି ସେ କହିଛନ୍ତି ।
ସୁନୀତି ମଧ୍ୟ ଚେତାବନି ଦେଇଛନ୍ତି ଯେ ଯଦି ଜଣେ ବି ବ୍ୟକ୍ତି ବା ପରିବାର ବା କୌଣସି ବ୍ୟବସାୟିକ ପ୍ରତିଷ୍ଠାନରୁ ଜୋରିମାନା ଆଦାୟ କରାଯାଏ ତେବେ ନଗର ନିଗମକୁ ଗମ୍ଭୀର ପରିଣତି ଭୋଗିବାକୁ ପଡିବ । ଭାରତୀୟ ଜନତା ପାର୍ଟି ନଗର ନିଗମର ଏହି ନିଷ୍ପତି ବିରୋଧରେ ଜୋରଦାର ଆନ୍ଦୋଳନ ଆରମ୍ଭ କରିବ । ଏହା ସହିତ ସେ କହିଛନ୍ତି, ମେୟର ସୁଲୋଚନା ଦାସଙ୍କୁ ନିଜ ଅସଫଳତାକୁ ଗ୍ରହଣ କରିବାକୁ ପଡିବ । କାରଣ ନଗର ନିଗମକୁ ଜଣାନାହିଁ ଯେ ଡ୍ରୋନ୍ ଉଡାଇ ମଶା ମାରିବା ଅସମ୍ଭବ ।