ଆଞ୍ଚଳିକ ପରିବହନ ବିଭାଗର ଅଚାନକ ଚଢ଼ଉ ନାବାଳକଙ୍କୁ ୨୭ହଜାର ଜରିମାନା
ପୁରୀ,୧୨ା୮: ଆଞ୍ଚଳିକ ପରିବହନ ବିଭାଗ, ପୁରୀ ପକ୍ଷରୁ ମୋଟରଯାନ ସଂଶୋଧିତ ଆଇନ ଉଲ୍ଲଙ୍ଘନ କରୁଥିବା ଚାଳକଙ୍କ ଉପରେ ଚଢ଼ଉ ଅଭିଯାନ ଜାରି ରହିଛି । ପରିବହନ କମିଶନର ଅମିତାଭ ଠାକୁରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସ୍ପି ଡା. କନୱର ବିଶାଲ ସିଂଙ୍କ ତତ୍ତ୍ୱାବଧାନରେ ଆର୍ଟିଓ(ଆଞ୍ଚଳିକ ପରିବହନ ଅଧିକାରୀ) ରବିନ୍ କୁମାର ପଟ୍ଟନାୟକ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ଚଢ଼ଉ କରୁଛନ୍ତି ।
ଶନିବାର ଆର୍ଟିଓ ଶ୍ରୀ ପଟ୍ଟନାୟକ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରୋଡ଼ରେ ଯାଉଥିଲେ । ଏହି ସମୟରେ ତୋଷାଳି ରିସର୍ଟ ପାଖରେ ୩ଜଣ କଲେଜ ଛାତ୍ର(ନାବାଳକ) ଏକ ସ୍କୁଟିରେ ବସି ପୁରୀ ଅଭିମୁଖେ କୋଣାର୍କ ଆଡୁ ଆସୁଥିଲେ । ଏକ ସ୍କୁଟିରେ ୩ଜଣଙ୍କୁ ଦେଖି ଆର୍ଟିଓ ପ୍ରଥମେ ସେମାନଙ୍କୁ ଅଟକାଇଥିଲେ । ପରେ ସ୍କୁଟି ଚଳାଉଥିବା ସମ୍ପୃକ୍ତ ଛାତ୍ରଙ୍କ ବୟସ ପଚାରିବାରୁ ୧୮ବର୍ଷରୁ କମ୍ ଏବଂ ତାଙ୍କ ଘର ବାଲଗୁଆଳି ଅଞ୍ଚଳରେ ବୋଲି ଜଣାପଡ଼ିଥିଲା । ଏହାପରେ ଉକ୍ତ ସ୍କୁଟି ନମ୍ବରରେ ଜରିମାନା ବାବଦକୁ ୨୭ହଜାର ଟଙ୍କାର ଚାଲାଣ କଟିଛି । ସ୍କୁଟିରେ ୩ଜଣ ବସିଥିବାରୁ ୧ହଜାର ଟଙ୍କା, ବିନା ହେଲମେଟ୍ରେ ଗାଡ଼ି ଚଳାଉଥିବାରୁ ୧ହଜାର ଟଙ୍କା, ନାବାଳକ ହୋଇ ସ୍କୁଟି ଚଳାଉଥିବାରୁ ୨୫ହଜାର ଟଙ୍କାର ଜରିମାନା ପଡ଼ିଛି । ଏହି ସ୍କୁଟିକୁ ପେଣ୍ଠକଟା ମେରାଇନ ଥାନାରେ ଜବତ କରି ରଖାଯାଇଛି । ଜରିମାନା ବାବଦକୁ ଅର୍ଥ ପୈଠ କରିବା ପରେ ମାଲିକ ସ୍କୁଟି ନେଇପାରିବେ । ସଡ଼କ ଦୁର୍ଘଟଣା ଯୋଗୁଁ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି । ତେଣୁ ଛୋଟପିଲାଙ୍କୁ ଯାନବାହନ ଚଳାଇବା ପାଇଁ ନ ଦେବାକୁ ଆର୍ଟିଓ ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି ।