ହିଜାବ୍-ବିରୋଧ’ର ପ୍ରତୀକ ୧୭ ବର୍ଷୀୟ ବାଳିକା ସୋନିଆକୁ ପୁଣି ଅପହରଣ କରି ନିର୍ଯାତନା ଦେଲେ ଇରାନ୍ ସୈନିକ
ତେହେରାନ୍: ଇରାନ୍ରେ ଚାଲିଥିବା ‘ହିଜାବ୍-ବିରୋଧୀ ପ୍ରତିବାଦ’ର ପ୍ରତୀକ ବୋଲି କୁହାଯାଉଥିବା ୧୭ ବର୍ଷୀୟ କିଶୋରୀ ସୋନିଆ ଶରିଫିଙ୍କୁ ପୁଣି ଇରାନୀୟ ନିରାପତ୍ତା ବଳ ଅପହରଣ କରିନେଇ ନିର୍ଯାତନା ଦେଇଥିବା କଥା ସେ ନିଜେ କହିଛନ୍ତି।
ସେ କହିଛନ୍ତି ଯେ, ଦ୍ବିତୀୟ ଥର ପାଇଁ ଇରାନୀୟ ସରକାରୀ କର୍ତ୍ତୃପକ୍ଷମାନେ ତାଙ୍କୁ ଅପହରଣ କରିନେଇ ମାରଧର କରିଛନ୍ତି। ମୁଣ୍ଡରେ ହୋଇଥିବା କ୍ଷତର ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର୍ କରି ସେ କହିଛନ୍ତି ଯେ, ଇରାନୀୟ ସୁରକ୍ଷା ବଳ ତାଙ୍କୁ ପୁଣି ଅପହରଣ କରିନେଇ ଅଟକ ରଖିବା ବେଳେ ସେ ଖୁବ୍ ନିର୍ଯାତିତ ହୋଇଛନ୍ତି।
ସୂଚନାଯୋଗ୍ୟ, ଥରେ ଦେଶରେ ହିଜାବ୍-ବିରୋଧୀ ଆନ୍ଦୋଳକାରୀଙ୍କୁ ନିରାପତ୍ତା ବଳ ନିର୍ମମ ଭାବେ ଦମନ କରୁଥିବା ବେଳେ ସୋନିଆ ଗୋଟାଏ କାର୍ ଉପରେ ଠିଆ ହୋଇ ଦୁଇ ହାତ ଉପରକୁ ଟେକିଥିଲେ। ତାଙ୍କର ଏହି ଫଟୋଟି ‘ହିଜାବ୍-ବିରୋଧୀ ପ୍ରତିବାଦ’ର ପ୍ରତୀକ ମାନ୍ୟତା ପାଇଥିଲା।
ଏଥର ସେ ଅଭିଯୋଗ କରିଛନ୍ତି ଯେ, ଅପହରଣ କରି ନେଇ ମାଡ଼ ଦେବା ଆଗରୁ ତାଙ୍କୁ ତାଙ୍କ କାର୍ରୁ ଟାଣି ନିଆଯାଇ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦିଆଯାଇଥିଲା।
ଇରାନ୍ରେ ଚାଲିଥିବା ମାନବିକ ଅଧିକାର ଉଲ୍ଲଂଘନ ଉପରେ ଦୃଷ୍ଟି ରଖିଥିବା ‘ହେଙ୍ଗଅ’ ନାମକ ସଙ୍ଗଠନ କହିଛି, ପ୍ରାୟ ୨ ଘଣ୍ଟାକାଳ ଜେରା କରାଯାଇ ଧମକ ଓ ନିର୍ଯାତନା ଦିଆଯିବା ପରେ ତାଙ୍କୁ ଆବ୍ଦାନନ୍ର ଗୋଟାଏ ରାସ୍ତାରେ ଏକାକିନୀ ଛାଡ଼ି ଦିଆଯାଇଥିଲା।
ଉଲ୍ଲେଖଯୋଗ୍ୟ, ପୁଲିସ ହାଜତରେ ମରିଥିବା କୁର୍ଦିଶ୍-ଇରାନୀ ଯୁବତୀ ମାଶା ଅମିନିଙ୍କ ମୃତ୍ୟୁର ପ୍ରଥମ ବାର୍ଷିକୀ ପଡ଼ିବାର ପ୍ରାୟ ଏକ ମାସ ଆଗରୁ ସୋନିଆଙ୍କୁ ନିର୍ଯାତନା ଦିଆଯାଇଛି। ମାଶା ଅମିନାଙ୍କ ମୃତ୍ୟୁ ଘଟଣାକୁ ନେଇ ଇରାନ୍ରେ ହିଜାବ୍ ବିରୋଧୀ ଆନ୍ଦୋଳ ବ୍ୟାପକ ହୋଇଥିଲା।
କିନ୍ତୁ, ଏହି ଆନ୍ଦୋଳକୁ ପ୍ରଶାସନ ଅତି ନିର୍ମମ ଭାବେ ଦମନ କରିଥିଲା। ଏଥିରେ ୫୦୦ରୁ ଅଧିକ ବିକ୍ଷୋଭକାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅଗଣିତ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି ବୋଲି ‘ହ୍ୟୁମାନ୍ ରାଇଟ୍ସ୍ ଆକ୍ଟିଭିଷ୍ଟ୍ ନିଉଜ୍ ଏଜେନ୍ସି’ ରିପୋର୍ଟ କରିଛି।