ରାଜ୍ୟ

ପେଶାଓ୍ବାର ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ତେହେରିକ ଏ-ତାଲିବାନ-ପାକିସ୍ତାନ, ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

ପେଶାଓ୍ବର : ପାକିସ୍ତାନର ପେଶାଓ୍ବରର ପୁଲିସ ଲାଇନ ଅଂଚଳରେ ଥିବା ଏକ ମସଜିଦରେ ସୋମବାର ଅପରାହ୍ଣରେ ହୋଇଥିବା ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚିଛି । ଏହା ସହିତ ୧୫୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଏହାକୁ ପାକିସ୍ତାନ ଉପରେ ଆକ୍ରମଣ ବୋଲି ସେ କହିଛନ୍ତି ।

ଏହି ଭୟଙ୍କର ଆକ୍ରମଣ ପାଇଁ ତେହେରିକ-ଏ ତାଲିବାନ ପାକିସ୍ତାନ (ଟିଟିପି) ନିଜକୁ ଦାୟୀ କରିଛି । ପାକିସ୍ତାନ ସେନା ପକ୍ଷରୁ ଏହି ସଂଗଠନ ବିରୋଧରେ ଚଳାଯାଇଥିବା ମିଲିଟାରି ଅପରେସନ ଜବାବରେ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି ।

ପାକିସ୍ତାନୀ ଖବରକାଗଜ ‘ଦି ଡନ’ର ରିପୋର୍ଟ ଅନୁସାରେ ବିସ୍ଫୋରଣଟି ସ୍ଥାନୀୟ ସମୟ ଅପରାହ୍ଣ ୧ ଟା ୪୦ ମିନିଟ ବା ଭାରତୀୟ ସମୟ ୨ଟା ୧୦ ମିନିଟ ସମୟରେ ହୋଇଥିଲା । ବିସ୍ଫୋରଣ ବେଳେ ପ୍ରାୟ ୩ରୁ ୪ ଶହ ଲୋକ ମସଜିଦରେ ପ୍ରାର୍ଥନା କରୁଥିଲେ । କୋଠାର ଏକ ଅଂଶ ଭୁସୁଡ଼ିପଡ଼ିବାରୁ କିଛି ଲୋକ ତାହା ତଳେ ରହିଯାଇଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି ବୋଲି ପେଶାଓ୍ବର ପୁଲିସ କମିସନର ରିଆଜ ମେହସୁଦ କହିଛନ୍ତି ।

ଘଟଣା ସଂପର୍କରେ ଖବର ମିଳିବା ପରେ ସେଠାରେ ପୁଲିସ, ସେନା ଓ ଗୁଇନ୍ଦା ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ଅଂଚଳକୁ ପୁଲିସ ପକ୍ଷରୁ ନିଜ ନିୟନ୍ତ୍ରଣକୁ ନିଆଯାଇଛି ।

Leave a Reply

Your email address will not be published. Required fields are marked *