ପାକିସ୍ତାନ ମସ୍ଜିଦରେ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୬୩କୁ ବୃଦ୍ଧି, ୧୫୦ରୁ ଅଧିକ ଆହତ
ଇସଲାମାବାଦ: ପାକିସ୍ତାନର ପେଶାୱାର ସ୍ଥିତ ଏକ ମସଜିଦରେ ଆଜି ବଡ଼ ଧରଣର ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି। ମଙ୍ଗଳବାର ସୁଦ୍ଧା ଉକ୍ତ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୬୩କୁ ବୃଦ୍ଧି ପାଇଥିବାବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜିଓ ନ୍ୟୁଜ ରିପୋର୍ଟରୁ ଜଣାପଡିଛି। ଉକ୍ତ ମସଜିଦର ଇମାମ ସାହିବଜାଦା ନୁର ୟୁଇ ଅମିନଙ୍କ ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ପୁଲିସ କହିଛି। ପେଶାୱାର ସହରର ପୁଲିସ ଲାଇନ ଅଞ୍ଚଳରେ ଥିବା ମସଜିଦରେ ସୋମବାର ଅପରାହ୍ନ ପ୍ରାୟ ୧ଟା ୪୦ ମିନିଟ୍ ସମୟରେ ଏହି ଭୟଙ୍କର ଆକ୍ରମଣ ହୋଇଛି। ଟିଟିପି (ତେହରିକ ଇ ତାଲିବାନ ପାକିସ୍ତାନ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ବିସ୍ଫୋରଣରେ ମସଜିଦର ମୁଖ୍ୟ ହଲ୍ ଭୁଶୁଡ଼ି ପଡ଼ିଛି। ବିସ୍ଫୋରଣ ସମୟରେ ଅଞ୍ଚଳରେ ୩୦୦ରୁ ୪୦୦ ପୁଲିସ ଉପସ୍ଥିତ ଥିଲେ। ଆହତ ବ୍ୟକ୍ତିଙ୍କୁ ପିଏମଏଲଏନ କର୍ମୀ ରକ୍ତ ଦାନ କରିବାପାଇଁ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି। ଲେଡି ରିଡିଂ ହସପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତରଙ୍କୁ ଶେହବାଜ ଦେଖିବାକୁ ଯାଇଥିବାବେଳେ ତାଙ୍କ ସହ ଚିଫ ଅଫ ଆର୍ମି ଷ୍ଟାଫ ଜେନେରାଲ ଅସିମ ମୁନିର, ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ, ସୂଚନା ମନ୍ତ୍ରୀ ମାରିୟୁମ ଆଉରଙ୍ଗଜେବ ଏବଂ ଆଭ୍ୟନ୍ତରୀଣ ମନ୍ତ୍ରୀ ରାନା ସନାଉଲ୍ଲା ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ ମସଜିଦରେ ଆଜି ଅପରାହ୍ଣ ପ୍ରାର୍ଥନା ଚାଲିଥିବା ସମୟରେ ଆତ୍ମଘାତୀ ଆକ୍ରମଣକାରୀ ଆଗଧାଡ଼ିରେ ରହି ଏଭଳି କାଣ୍ଡ ଘଟାଇଛି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ପେଶାୱାରର ଲେଡି ରିଡିଙ୍ଗ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ହସ୍ପିଟାଲର ସୂଚନାନୁଯାୟୀ ୨୩ ଜଣ ଆହତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି। ହସ୍ପିଟାଲ ନିକଟରେ ଏମର୍ଜେନ୍ସି ଜାରି ହୋଇଛି। ପେଶାୱାରର ଏକ ହାଇ ସିକ୍ୟୁରିଟି ଜୋନ୍ରେ ମସଜିଦଟି ଉପସ୍ଥିତ। ଏଠାରେ ଆହୁରି ଅନେକ ସରକାରୀ କୋଠା ମଧ୍ୟ ରହିଛି। ତେବେ ଆକ୍ରମଣକାରୀ କିଭଳି ସୁରକ୍ଷାକର୍ମୀଙ୍କ ନଜରରୁ ଖସି ଏଭଳି କାଣ୍ଡ କଲା ତାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଧାନମନ୍ତ୍ରୀ ଶେହବାଜ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି। ଖାଇବର ପାଖତୁନଖ୍ବା କେୟାରଟେକର ମୁଖ୍ୟମନ୍ତ୍ରୀ ମହମ୍ମଦ ଆଜମ ଖାନ ଘଟଣାରେ ଶୋକ ପ୍ରକାଶ କରି ମଙ୍ଗଳବାର ରାଜ୍ୟବ୍ୟାପୀ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି। ଏଥି ସହିତ ଜାତୀୟ ପତାକା ଅଦ୍ଧନମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।