ବିରୂପା ନଦୀରେ ମାତିଛି ମଣିଷଖିଆ କୁମ୍ଭୀର । ମହିଳା ମୃତ ଲୋକେ ଆତଙ୍କିତ ।
ବରୀ ( ପର୍ଯ୍ୟବେକ୍ଷକ ) ତା ୧୬ । ୦୮ । ୨୦୨୩ ରିଖ ବୁଧବାର ଆଜି ସକାଳୁ ବରୀବ୍ଲକ ଅନ୍ତର୍ଗତଃ ଅମଠପୁର ପଞ୍ଚାୟତର ପାଲଟପୁର ଗ୍ରାମର ଜୈନିକା ମହିଳାଙ୍କୁ ଏକ ବଡ଼ କୁମ୍ଭୀର ନଦୀ ତୁଠରୁ ଟାଣି ନେଇ ଖିନଭିନ କରି ନଦୀକୂଳ ପାଣିରେ ବାଡେଇ ବାଡେଇ ଖାଇବା ଅତି ଦୁଃଖଦ ଘଟଣାରେ ସମଗ୍ର ବରୀ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ ପାଲଟପୁର ଗ୍ରାମ ନିବାସୀ ଦିବ୍ୟାଙ୍ଗ ଅନାମ ଜେନାଙ୍କ ପତ୍ନୀ ଜ୍ୟୋସ୍ନା ପ୍ରତିଦିନ ପରି ଆଜି ସକାଳୁ ଶୌଚ ହେବାକୁ ଓ ଘରେ ରୋଗଗ୍ରସ୍ତ ଶାଶୁ ଶ୍ବଶୁରଙ୍କ ମଳମୂତ୍ର କପଡା ଧୋଇବାକୁ ନଦୀତୁଠ ପାଣିରେ ପସି କାର୍ଯ୍ୟବ୍ୟସ୍ତ ଥିବାବେଳେ ଅଚାନକ ଏକ ବଡ଼ କୁମ୍ଭୀର ଜ୍ୟୋସ୍ନାଙ୍କୁ ନଦୀ ଭିତରକୁ ଟାଣିନେଇ ଥିଲା । କୁମ୍ଭୀର ପାଟିରେ ଥାଇ ଜ୍ୟୋସ୍ନା ଆର୍ତ୍ତ ଚିତ୍କାର କରି ମୋତେ ବଞ୍ଚାଅ ବଞ୍ଚାଅ ହାଉଳି ଖାଇବାରୁ କିଛି ଦୂରରେ ଥିବା ତାଙ୍କର ଜଣେ ଯାଆ ଜ୍ୟୋସ୍ନାଙ୍କୁ ଉଦ୍ଧାର ପାଇଁ ଗାଁ ଲୋକଙ୍କୁ ହୂରି ପକାଇ ଡାକିଥିଲେ । ଚାହୁଁ ଚାହୁଁ ଶହ ଶହ ଲୋକ ନଦୀ କୂଳରେ ଭିଡ଼ ଜମାଇ ଥିଲେ ମଧ୍ୟ କୁମ୍ଭୀର ଭୟରେ କେହି ପାଣିକୁ ନଯାଇ ତଟସ୍ତ ହୋଇ ଅସହାୟ ମହିଳାଙ୍କ ବିଭତ୍ସ ମୂର୍ତ୍ୟୁର ଦେଖଣାହାରୀ ସାଜିଥିଲେ । କୁମ୍ଭୀରଟି ମହିଳାଙ୍କୁ ନଦୀ ଆରପାରି କୂଳ ପାଣିରେ ଝୁଣି ଝୁଣି ବାଡେଇ ବାଡେଇ ହାତ ମୁଣ୍ଡ ଗୋଡ଼ ଛିଡେଇ ଛିଡେଇ ଖାଇବା ଲୋକଙ୍କ ମନରେ କ୍ଷୋଭ ଓ ଦୁଃଖ ଭରି ଯାଇଥିଲା । ଖବ ପାଇ ବରୀ ଅଗ୍ନିଶମ ବିଭାଗ ଯବାନ ମାନେ ଏକ ପାୱାର ବୋଟରେ ଯାଇ କୁମ୍ଭୀରକୁ ଘଉଡ଼ାଇ ବାରୁ ଓ ଲୋକଙ୍କ ଚିତ୍କାରରେ କୁମ୍ଭୀର ଅଧାଖିଆ ମହିଳାଙ୍କ ଶବକୁ ଛାଡି ଗଭୀର ପାଣିକୁ ପଳାଇ ଥିଲା । ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ପାଲଟପୁର ଗାଆଁକୁ ଯାଇ ମୃତ ମହିଳା ଙ୍କ ସ୍ୱାମୀ ଓ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିବା ଜଣା ଯାଇଛି । ଆଗକୁ ଏପରି ଅଘଟଣ ନ ଘଟିବାକୁ ପ୍ରଶାସନ ସହ ବିଚାର ବିମର୍ଷ କରି ତ୍ୱରିତ ପ୍ରତିକାର କରିବାକୁ ଲୋକ ମାନଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି । ଘଟଣା ସ୍ଥଳକୁ ଲୋକଙ୍କ ସୁଅ ଛୁଟିଛି । ପ୍ରକାଶ ଥାଉକି ଗତ 15 ଦିନ ତଳୁ ଲଗାଣ ଲଘୁଚାପ ବର୍ଷା ଫଳରେ ବରୀ ଅଞ୍ଚଳ ଦେଇ ପ୍ରଭାହିତ ବ୍ରାହ୍ମଣୀ ବିରୂପା ଖରସ୍ରୋତା ଓ ଶାଖା ନଈ ମାନଙ୍କରେ ବନ୍ୟା ଆସିଥିଲା । ସେହି ସମୟରୁ ଅନେକ କୁମ୍ଭୀର ନଈ ମାନଙ୍କରେ ଥିବା ଜଣା ପଡୁଛି । କିଛିଦିନ ତଳେ ଗୋଟେ କୁମ୍ଭୀର ଏକ ବଡ଼ ଗାଈକୁ ପାଣିରେ ଝାମ୍ପି ଥିଲେ ବି ମାରି ପାରିନଥିଲା । ଏତେ ଅଘଟଣ ଘଟୁଥିଲେ ବି ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଲୋକଙ୍କ ଧନ ଜୀବନ ସୁରକ୍ଷା ଓ ସତର୍କ ସୂଚନା ସହ କୌଣସି ପ୍ରତିକାର ନକରି ନିଘୋଡ଼ ନିଦରେ ଶୋଇ ରହିବା ସମଗ୍ର ବରୀ ଅଞ୍ଚଳ ଲୋକଙ୍କ ମନରେ କ୍ଷୋଭ ଜାଗି ଉଠୁଛି । ତୁରନ୍ତ ସରକାରୀ ଉଚ୍ଚ କତ୍ତୃପକ୍ଷ ମଣିଷଖିଆ କୁମ୍ଭୀରକୁ ଧରି ଅନ୍ୟତ୍ର ନେବାସହ ଅସହାୟ ଅନାମ ଜେନା ଓ ତାଙ୍କ ପରିବାରକୁ ଉପଯୁକ୍ତ ଥଇଥାନ ସହ କ୍ଷତିପୂରଣ ଦେବାକୁ ଅମଠପୁର ପଞ୍ଚାୟତ ସରପଞ୍ଚଙ୍କ ସହ ବରୀ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏବଂ ପାଲଟପୁର ଗ୍ରାମବାସୀ ଦୃଢ଼ ଦାବି କରୁଛନ୍ତି । ସଂଯତ କୁମାର ମହାନ୍ତି ।