ରାଜନୈତିକ ସ୍ଥିରତା: ଆଶୀର୍ବାଦ ନା ଅଭିଶାପ?
କୁକୁଡାଖଣ୍ଡି (ଇପିଲି ପୂର୍ଣ୍ଣଚନ୍ଦ୍ର) ୧୯୮୦ ଦଶକରେ ‘ରାଜନୈତିକ ସ୍ଥିରତା’ ଥିଲା ତତ୍କାଳୀନ କଂଗ୍ରେସ ସରକାରଙ୍କର ସବୁଠାରୁ ବଡ଼ ସ୍ଲୋଗାନ। ସେତେବେଳେ ଓଡ଼ିଶାବାସୀ ଏହାକୁ କେବଳ ଏକ ରାଜନୈତିକ ସ୍ଲୋଗାନ ଭାବେ ଗ୍ରହଣ ନ କରି ରାଜ୍ୟପାଇଁ ଏହା ଏକାନ୍ତ ଆବଶ୍ୟକ ବୋଲି ବିଚାର କରୁଥିଲେ ଓ ସେଇଥିପାଇଁ କ୍ରମାଗତ ଦୁଇ ଥର କଂଗ୍ରେସ ଦଳକୁ ବିପୁଳ ସଂଖ୍ୟାଗରିଷ୍ଠତା ସହ ନିର୍ବାଚିତ କରିଥିଲେ; ପ୍ରଥମେ ୧୯୮୦ରେ ଓ ପୁନର୍ବାର ୧୯୮୫ରେ।
ଲୋକଙ୍କର ଏ ଧାରଣା ପଛରେ ଏକ ବଳିଷ୍ଠ ପୃଷ୍ଠଭୂମି ଥିଲା। ସ୍ୱାଧୀନତା ପରଠାରୁ ରାଜ୍ୟରେ ଯେତେ ସରକାର ଗଢ଼ା ହୋଇଥିଲା, ସେଥିମଧ୍ୟରୁ କୌଣସି ଗୋଟିଏ ବି ସରକାର ନିଜର ପାଞ୍ଚ ବର୍ଷର ମିଆଦ ପୂରା କରିପାରି ନ ଥିଲେ। ୧୯୮୦ ମସିହାରେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ କଂଗ୍ରେସ ସରକାର ଥିଲା ଓଡ଼ିଶା ଇତିହାସରେ ନିଜର ପାଞ୍ଚ ବର୍ଷର କାର୍ଯ୍ୟକାଳ ପୂର୍ଣ୍ଣ କରିଥିବା ପ୍ରଥମ ସରକାର। ସେହି ‘ସ୍ଥିରତା’କୁ ପାଥେୟ କରି କଂଗ୍ରେସ ଦଳ ଜାନକୀ ବାବୁଙ୍କ ନେତୃତ୍ବରେ ୧୯୮୫ ନିର୍ବାଚନ ଲଢ଼ିଥିଲା ଓ ଲଗାତାର ଦ୍ୱିତୀୟ ଥର ସରକାର ଗଢ଼ିଥିଲା।
କିନ୍ତୁ ୧୯୮୯ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ଜାନକୀ ବାବୁଙ୍କ ଦ୍ବିତୀୟ ପାଳି ଶେଷ ହେଲା ବେଳକୁ କଂଗ୍ରେସ ସରକାର ଓ ଦଳ ସହିତ ଲୋକଙ୍କର ମୋହଭଙ୍ଗ ଘଟି ସରିଥିଲା। ଲୋକେ କଂଗ୍ରେସ ପ୍ରତି ଏତେ ବୀତସ୍ପୃହ ହୋଇ ପଡ଼ିଥିଲେ ଯେ ଦ୍ବିତୀୟ ପାଳିରେ ବିଧାନସଭାରେ ୧୧୭ ସଭ୍ୟଙ୍କ ସହ ନିରଙ୍କୁଶ ଶାସନ କରୁଥିବା କଂଗ୍ରେସ ଦଳ ୧୯୯୦ ନିର୍ବାଚନରେ ମାତ୍ର ୯କୁ ଖସି ଆସିଥିଲା। ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିବା ଜନତା ଦଳକୁ ମିଳିଥିଲା ୧୨୩ ଆସନ ସହ ରେକର୍ଡ ସଂଖ୍ୟାଗରିଷ୍ଠତା। (କ୍ରମାଗତ ପାଞ୍ଚ ଥର ନିର୍ବାଚନ ଜିତିଲା ପରେ ମଧ୍ୟ ବିଜୁ ବାବୁଙ୍କ ପୁତ୍ର ବା ତାଙ୍କ ନାମରେ ନାମିତ ଦଳ ଏପର୍ଯ୍ୟନ୍ତ ସେ ରେକର୍ଡ ଭାଙ୍ଗିପାରି ନାହାନ୍ତି)। ସ୍ଥିରତାର ସ୍ଲୋଗାନ ଆଉ କାମ ଦେଲା ନାହିଁ। ବରଂ ସ୍ଥିରତାରେ ଲୋକେ ଏତେ ଅତିଷ୍ଠ ହୋଇପଡ଼ିଲେ ଯେ କଂଗ୍ରେସ ସରକାରକୁ ସମୂଳେ ଉପାଡ଼ି ଫୋପାଡ଼ି ଦେଲେ।
ବିଜୁ ବାବୁ ପାଞ୍ଚ ବର୍ଷ କ୍ଷମତାରେ ରହିଲେ। ସେ ଥିଲେ ଜନତା ଦଳର ସର୍ବମାନ୍ୟ, ଅବିସମ୍ବାଦିତ ନେତା। ଏହା ସତ୍ତ୍ୱେ ସ୍ଥିରତାର ପ୍ରତିଶ୍ରୁତି ତାଙ୍କୁ ଓ ତାଙ୍କ ଦଳକୁ ପରାଜୟରୁ ରକ୍ଷା କରି ପାରିଲା ନାହିଁ। ୧୯୯୦ରେ ୧୨୩ ଆସନ ଲାଭ କରିଥିବା ତାଙ୍କ ଦଳ ୧୯୯୫ରେ ମାତ୍ର ୪୬କୁ ଖସି ଆସିଲା। ୮୦ ଆସନ ଦଖଲ କରି କଂଗ୍ରେସ କ୍ଷମତାକୁ ଫେରିଲା ଓ ପୁଣି ପାଞ୍ଚ ବର୍ଷ ଶାସନ କଲା।
କିନ୍ତୁ ସହସ୍ରାବ୍ଦୀର ପ୍ରଥମ ନିର୍ବାଚନ (୨୦୦୦)ରେ ଓଡ଼ିଶାର ରାଜନୈତିକ ଆକାଶରେ ଏକ ନୂତନ ସୂର୍ଯ୍ୟର ଅଭ୍ୟୁଦୟ ହେଲା ଯାହା ଦୀର୍ଘ ୨୩ ବର୍ଷ ଧରି ଦାଉଦାଉ ହୋଇ ଜଳୁଛି। ଏତେ ତେଜୋମୟ ଥିଲା ଏ ସୂର୍ଯ୍ୟର ରଶ୍ମି ଯେ ଜାନକୀ ବାବୁଙ୍କ ସମେତ ରାଜ୍ୟର ଅନ୍ୟ ସବୁ ତାରକା ଏହାର ତେଜରେ ସମ୍ପୂର୍ଣ୍ଣ ନିଷ୍ପ୍ରଭ ହୋଇ ପଡ଼ିଲେ। ଏ ସୂର୍ଯ୍ୟର ନାମ ହେଲା ନବୀନ ପଟ୍ଟନାୟକ! ୨୩ ବର୍ଷ ଧରି ନବୀନଙ୍କ ନିରଙ୍କୁଶ ଶାସନରେ ଓଡ଼ିଶା ସ୍ଥିରତାର ଏକ ଅତ୍ୟନ୍ତ ବିରଳ ଦୃଷ୍ଟାନ୍ତ ପାଲଟି ଯାଇଛି।
ଓଡ଼ିଶା ଆକାଶରେ ନୂତନ ସୂର୍ଯ୍ୟର ଅଭ୍ୟୁଦୟ ହେବାର ୧୪ ବର୍ଷ ପରେ ଭାରତରେ ମଧ୍ୟ ଏକ ନୂତନ ସୂର୍ଯ୍ୟ ଉଇଁଲା ଓ ଏଯାବତ ଏହା ନିଜର ତେଜସ୍କ୍ରିୟ କିରଣ ବୁଣି ଚାଲିଛି। ଆପଣମାନେ ନିଶ୍ଚୟ ବୁଝି ସାରିବେଣି ଯେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥା କହୁଚି। ୨୦୧୪ରେ ଉଦୟ ହୋଇଥିବା ଏ ସୂର୍ଯ୍ୟ ୨୦୧୯ରେ ଆହୁରି ତେଜୋଦୀପ୍ତ ହେଲା। ମୋଦୀଙ୍କ ନେତୃତ୍ବାଧୀନ ବିଜେପି ଏକକ ସଂଖ୍ୟାଗରିଷ୍ଠତା ଲାଭ କଲା ଓ ବିରୋଧୀ ଦଳଙ୍କ ପ୍ରଭାବର ପରିସରକୁ ଆହୁରି ସଙ୍କୁଚିତ କଲା।
ଅଧିକାଂଶ ରାଜନୈତିକ ପାଣିପାଗ ବିଶେଷଜ୍ଞଙ୍କ ମତ ହେଲା ୨୦୨୪ ନିର୍ବାଚନରେ ମଧ୍ୟ ଏ ଦୁଇ ସୂର୍ଯ୍ୟ ନିଜ ନିଜ ନଭ ମଣ୍ଡଳରେ ଉଜ୍ଜ୍ୱଳ ଆଲୋକ ବିକିରଣ କରିବେ ଓ ଅନ୍ୟ ସବୁ ଗ୍ରହ, ନକ୍ଷତ୍ରଙ୍କୁ ଧରାଶାୟୀ କରିବେ। ଅନ୍ୟ ଭାବରେ କହିଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରେ ‘ସ୍ଥିରତା’ ବଜାୟ ରହିବ। କିନ୍ତୁ ନବୀନ ଓ ମୋଦୀ ୨୦୨୪ ରେ ଜିତିବେ କି ନାହିଁ, ତାହା ଏଠି ପ୍ରସଙ୍ଗ ନୁହେଁ। ପ୍ରସଙ୍ଗ ହେଉଛି ରାଜ୍ୟ ଓ ଦେଶ ପାଇଁ ଏ ସ୍ଥିରତା ଶୁଭଙ୍କର କି ନୁହେଁ? ଏ ପ୍ରଶ୍ନର ଉତ୍ତର ପାଇଁ ଆମକୁ ଅତୀତର ସ୍ଥିର ସରକାର ମାନଙ୍କର ଏକ ନିରପେକ୍ଷ, ଯୁକ୍ତିସଙ୍ଗତ ଆକଳନ କରିବାକୁ ପଡ଼ିବ। ଏଥିପାଇଁ ଦୁଇଟି ‘ସ୍ଥିର’ ସରକାରକୁ ଉଦାହରଣ ଭାବେ ଗ୍ରହଣ କରାଯାଉ; ଗୋଟିଏ ରାଜ୍ୟ ସରକାର ଓ ଅନ୍ୟଟି କେନ୍ଦ୍ର ସରକାର।
ନବୀନଙ୍କ ପୂର୍ବରୁ ସ୍ବର୍ଗତ ଜ୍ୟୋତି ବସୁ ଏକାଦିକ୍ରମେ ୨୩ ବର୍ଷ ଧରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଥିଲେ। କିନ୍ତୁ ବାମ ମେଣ୍ଟର ୨୩ ବର୍ଷ ଶାସନରେ ପଶ୍ଚିମବଙ୍ଗ କ’ଣ ହାସଲ କଲା? ଏକଦା ଦେଶର ସବୁଠାରୁ ଅଧିକ ଶିଳ୍ପସମୃଦ୍ଧ ରାଜ୍ୟର ମାନ୍ୟତା ଲାଭ କରିଥିବା ପଶ୍ଚିମବଙ୍ଗ ଶିଳ୍ପର କବର ପାଲଟିଗଲା। ବାମପନ୍ଥୀ ସରକାରଙ୍କ ଶିଳ୍ପ ବିରୋଧୀ ନୀତି ଓ ଆଭିମୁଖ୍ୟରେ ଅତିଷ୍ଠ ହୋଇ ରାଜ୍ୟର ପ୍ରାୟ ସବୁ ପ୍ରମୁଖ ଶିଳ୍ପ ଅନ୍ୟ ରାଜ୍ୟକୁ ପଳାୟନ କଲେ। ପୃଥିବୀ ଓ ଦେଶର ବଡ଼ ବଡ଼ ଶିଳ୍ପ ସମୂହ ପଶ୍ଚିମବଙ୍ଗରେ ପୁଞ୍ଜିନିବେଶ କରିବା ନିରାପଦ ମନେ କଲେ ନାହିଁ। ଫଳରେ ସବୁଠାରୁ ଶିଳ୍ପସମୃଦ୍ଧ ରାଜ୍ୟମାନଙ୍କର ସୂଚୀରେ ପଶ୍ଚିମବଙ୍ଗର ସ୍ଥାନ କ୍ରମାଗତ ଭାବେ ନିମ୍ନମୁଖୀ ହେଲା। ୨୦୧୧ ପରଠାରୁ ସେଠାରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଆଉ ଏକ ସ୍ଥିର ସରକାର ଚାଲିଛି। କିନ୍ତୁ ଏ ସରକାର ମଧ୍ୟ ପଶ୍ଚିମବଙ୍ଗର ପୂର୍ବ ଗୌରବ ଫେରାଇ ଆଣି ପାରିନାହିଁ।
୨୦୦୪ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କୁ ପରାଜିତ କରି କେନ୍ଦ୍ରରେ କ୍ଷମତା ହା…