କିଛି ଗୋଳମାଳ ହେଲେ ବି ଚନ୍ଦ୍ରଯାନ-୩ ନିରାପଦରେ ଅବତରଣ କରିବ : ଓଡ଼ିଆ ମହାକାଶ ବୈଜ୍ଞାନିକ
ନୂଆଦିଲ୍ଲୀ: ରୁଷର ଚନ୍ଦ୍ର ଅଭିଯାନ ଲୁନା-୨୫ ବିଫଳ ହେବା ପରେ ଭାରତର ଚନ୍ଦ୍ରଯାନ-୩କୁ ନେଇ ଆଶଙ୍କା ବଢିଯାଇଛି । ଚନ୍ଦ୍ରଯାନ-୩ର ଅବସ୍ଥା ଚନ୍ଦ୍ରଯାନ-୨ ପରି ହେବ କି ? କିନ୍ତୁ ଏହାର ଉତ୍ତରରେ ଓଡ଼ିଆ ମହାକାଶ ବୈଜ୍ଞାନିକ ପ୍ରଫେସର ରାଧାକାନ୍ତ ପାଢୀ କହିଛନ୍ତି ଯେ ଚନ୍ଦ୍ରଯାନ-୩ ବିଫଳ ହେବାର ଆଶଙ୍କା ନାହିଁ । କାରଣ ଏହାର ବ୍ୟବସ୍ଥା ପୂର୍ବରୁ ହିଁ ଇସ୍ରୋର ବୈଜ୍ଞାନିକମାନେ କରିସାରିଛନ୍ତି ।ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ଏରୋସ୍ପେଶ ବୈଜ୍ଞାନିକ ପ୍ରଫେସର ପାଢୀ କହିଛନ୍ତି ଯେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମରେ ଏଭଳି ଏକ ‘ରେସ୍କ୍ୟୁ ମୋଡ୍’ ରହିଛି, ଯାହା ସବୁ କିଛି ଭୁଲ୍ ହେଲେ ମଧ୍ୟ ଅବତରଣ କରିବାରେ ସହାୟକ ହେବ। ଚନ୍ଦ୍ରଯାନ-୨ ବିଫଳ ହେବା ପରେ ଚନ୍ଦ୍ରଯାନ-୩ରେ ଅନେକ ସୁଧାର କରାଯାଇଛି ଏବଂ ଏହା ସୁରକ୍ଷିତ ଭାବେ ଅବତରଣ କରିବ ଏଥିରେ କୌଣସି ସନ୍ଦେହ ନାହିଁ।
ସେ କହିଛନ୍ତି ଯେ, ଚନ୍ଦ୍ରଯାନ-୨ ବିଫଳ ହୋଇଥିଲା କାରଣ ବିକ୍ରମ ଲ୍ୟାଣ୍ଡର ଏହାର ଗତିକୁ ନିୟନ୍ତ୍ରଣ କରିପାରିନଥିଲା ଏବଂ ଓଲଟି ପଡ଼ିଥିଲା । ଏହା ଆଲଗୋରିଦମର ବିଫଳତା ଥିଲା, ଯାହାକୁ ବର୍ତ୍ତମାନ ସଂଶୋଧନ କରାଯାଇଛି … ବିକ୍ରମ ଲ୍ୟାଣ୍ଡରର ଗୋଡ଼କୁ ଆହୁରି ମଝବୁତ କରାଯାଇଛି । ପୁଣି ଏପରି ବ୍ୟବସ୍ଥା କରାଯାଇଛି ଯେ, କେତେକ ଗୋଳମାଳ ହେଲେ ବି ତାହା ସୁରକ୍ଷିତ ଅବତରଣ କରିବ ।
ପ୍ରଫେସର ପାଢୀ ୧୯୯୪ରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ମେକାନିକାଲ ଇଂଜିନିୟରିଂରେ ବ୍ୟାଚେଲର୍ସ ଡିଗ୍ରୀ କରିବା ପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସରୁ ଏରୋସ୍ପେଶ ଇଂଜିନିୟରିଂରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି । ସେ ଆମେରିକାର ମିସୋରି ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ବବିଦ୍ୟାଳୟରୁ ୨୦୦୧ରେ ପିଏଚଡି ହାସଲ କରିଥିଲେ ।