ଏନ୍ ଜି ଓ ନାଁ ରେ ଠକେଇ ଅଭିଯୋଗ
ବରଗଡ ଭଟଲିସରକାର ଚାଷୀଙ୍କ ଚାଷ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକାର ଚାଷୀ ହିତକର ଯୋଜନା ମାନ ଲାଗୁ କରୁଛନ୍ତି । ମାତ୍ର ବିଭିନ୍ନ ପ୍ରକାର ଦଲାଲ ଉଭୟ ଚାଷୀ ଓ ସରକାରଙ୍କୁ ଚଖମା ଦେଇ ସେହି ଯୋଜନାକୁ ଲୁଟି ଚାଲିଛନ୍ତି । କେତେବେଳେ ଚାଷୀଙ୍କ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀ ତ ଆଉ କେତେବେଳେ ସେମାନଙ୍କ ପାଇଁ ଉଦ୍ଧିଷ୍ଟ ସାର ଓ ଔଷଧ ମଧ୍ୟ ବାଟ ମାରଣ ହେଉଥିବା ଶୁଣିବାକୁ ମିଳୁଛି । ଏହି କ୍ରମରେ ବିଗତ ଦିନରେ ବରଗଡ ଜିଲ୍ଲାରେ ପରମ୍ପରାଗତ କୃଷି ବିକାଶ ଯୋଜନା ଚାଲିଥିବା ବେଳେ ପଦ୍ମପୁର,ସୋହେଲା, ପାଇକମାଲ, ଗାଇସିଲେଟ୍, ବରପାଲି, ବରଗଡ ଓ ଅମ୍ବାଭୋନା ବ୍ଲକ୍ ର ୨୭ଟି ଗ୍ରାମର ଶହ ଶହ ଚାଷୀଙ୍କ ଲକ୍ଷାଧିକ ଟଙ୍କା ଅଭ୍ୟୁଦୟ ନାମକ ଏକ ସଂସ୍ଥାର ଜନୈକ ସମ୍ପାଦକ ଆତ୍ମସାତ କରିଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି । ଏହି ସମ୍ପାଦକ ଜଣକ ଭଟଲି ବ୍ଲକ୍ ରାୟଶୋଭା ଗ୍ରାମର ହରେଶ କୁମାର ନାୟକ ବୋଲି ଚାଷୀଙ୍କ ପକ୍ଷରୁ ପ୍ରକାଶ । ପ୍ରକାଶ ଥାଉକି ପରମ୍ପରାଗତ କୃଷି ବିକାଶ ଯୋଜନା କେନ୍ଦ୍ର ସରକାରଙ୍କ ଜୈବିକ ଆତ୍ମନିର୍ଭରଶୀଳ କୃଷି ଭିତ୍ତିକ ଏକ ଯୋଜନା ଅଟେ । ଯାହା ରାଜ୍ୟ ସରକାର ଏନଜିଓ ମାଧ୍ୟମରେ ପରିଚାଳନା କରିଥିଲେ । ସେଦୃଷ୍ଟିରୁ ବରଗଡ ଜିଲ୍ଲାରେ ଅଭ୍ୟୁଦୟ ନାମକ ଏକ ସଂସ୍ଥାକୁ ଚୟନ କରି ଏହି କାର୍ଯ୍ୟକ୍ରମରେ ୫୦ ଏକର ଜମିକୁ ଗୋଟିଏ ୟୁନିଟ୍ ବା କ୍ଳଷ୍ଟର୍ ଭାବେ ନିଆଯାଇଥିଲା ଏବଂ ମୋଟ ୩୦ଗୋଟି ୟୁନିଟ୍ ତଥା ୧୫୦୦ ଏକର ଜମିରେ କାର୍ଯ୍ୟକାରୀ କରାଯାଇଥିଲା । ପ୍ରତି ୫୦ ଏକର ଜମିକୁ ପ୍ରାୟ ୧୫ଲକ୍ଷ ଟଙ୍କାର ବଜେଟ୍ ପ୍ରାବଧାନ ମଧ୍ୟ ସରକାର ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବମୋଟ୍ ହାରାହାରି ୩କୋଟି ୯୯ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମୂଲ୍ୟର ବ୍ୟବସ୍ଥା ଥିଲା । ଚାଷୀମାନଙ୍କ ଚାଷକାମରେ ସହଯୋଗ ପାଇଁ ଏକର ପିଛା ୩୩୦୦ ଟଙ୍କା ଓ ରୋଗ ପୋକ ଦମନ ପାଇଁ ଜୈବିକ ଔଷଧ ବଣ୍ଟନ ବ୍ୟବସ୍ଥା ମଧ୍ୟ ଥିଲା ଯାହାକି ତିନି ବର୍ଷ ଯାଏଁ ପ୍ରତ୍ୟେକ ଚାଷୀ ପାଇବା କଥା । ମାତ୍ର ପରିତାପର ବିଷୟ କେବଳ ଅମ୍ବାଭୋନାର ୧୦ଟି କ୍ଲଷ୍ଟରର ଚାଷୀ ଗୋଟିଏ ବର୍ଷ ପାଇଛନ୍ତି । ବାକି କୌଣସି ଅଞ୍ଚଳର ଚାଷୀ ମୋଟେ ଏ ସୁଯୋଗ ପାଇନାହାନ୍ତି । ଠିକ ସେହିପରି ଚାଷୀଙ୍କ ଉତ୍ପାଦିତ ଶସ୍ୟର ପ୍ୟାକେଜିଂ, ଲେବେଲିଂ ଓ ଟ୍ରାନ୍ସପୋଟିଂ ବାବଦକୁ ୟୁନିଟ୍ ପିଛା ୩ଲକ୍ଷ ଟଙ୍କା ହିସାବରେ ୯୦ଲକ୍ଷ ଟଙ୍କାରୁ କେବଳ ଗାଇସିଲେଟ କ୍ଲଷ୍ଟରର ଚାଷୀମାନେ ମାତ୍ର ୬କ୍ଷ ଟଙ୍କା ଟ୍ରାନ୍ସପୋଟିଂ ବାବଦକୁ ପାଇଛନ୍ତି । ବାକି ୮୪ ଲକ୍ଷ ଟଙ୍କା ସେ ସମୟର ସିଡିଏଓ ଦୀନବନ୍ଧୁ ଗାନ୍ଧୀ ସହ ମିଶି ଅଭ୍ୟୁଦୟ ସଂସ୍ଥାର ହରେଶ ନାଏକ ଆତ୍ମସାତ କରିଥିବା ଚାଷୀଙ୍କ ପକ୍ଷରୁ ଅଭିଯୋଗ ହେଉଛି । ଗୋଟିଏ କ୍ଲଷ୍ଟରକୁ ତିନୋଟି ତାଲିମର ବ୍ୟବସ୍ଥା ମଧ୍ୟ ଥିଲା ଓ ପ୍ରତି ତାଲିମରେ ୨୦ ହଜାର ଟଙ୍କା ବ୍ୟୟ ଅଟକଳ ଥିଲା । ତେବେ ୩୦ଟି ୟୁନିଟ୍ କୁ ୬ ଲକ୍ଷଟଙ୍କା ଖର୍ଚ୍ଚର ବ୍ୟବସ୍ଥା ଥିଲା । ଚାଷୀଙ୍କ ଅଭିଯୋଗ ଅନୁଯାୟୀ ପ୍ରତି ତାଲିମକୁ ମାତ୍ର ୫ ରୁ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି ଓ ତାହାପୁଣି ଗୋଟିଏ ବର୍ଷ ପାଇଁ ହୋଇଛି । ଯେଉଁଠି କି ସରକାର ୩ବର୍ଷ ପାଇଁ ଅର୍ଥ ମଞ୍ଜୁର କରିଥିଲେ । ଠିକ୍ ସେହିପରି ଏକ୍ସପୋଜର୍ ବା ପରିଦର୍ଶନ ପାଇଁ ପ୍ରତି ୟୁନିଟକୁ ବ୍ୟବସ୍ଥା ଥିବାବେଳେ ଅଭ୍ୟୁଦୟ ସଂସ୍ଥାର ସମ୍ପଦକ ହରେଶ ନାଏକ ମାତ୍ର ତିନୋଟି ଏକ୍ସପୋଜର୍ ଭିଜିଟ୍ରେ ମାତ୍ର ୩୦ହଜାର ଟଙ୍କା ଖର୍ଚ୍ଚକରି ବାକି ୫ ଲକ୍ଷ ୭୦ ହଜାର ଟଙ୍କା ହଡପ୍ କରିଥିବା ଅଭିଯୋଗ ହେଉଛି। ଆହୁରି ମଧ୍ୟ ଚାଷୀଙ୍କ ପିଜିଏସ୍ (ଜୈବିକ ପ୍ରମାଣପତ୍ର) ବାବଦକୁ ୩୬ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି କିନ୍ତୁ ଅଦ୍ୟାବଧି କୌଣସି ଚାଷୀ ପ୍ରମାଣପତ୍ର ପାଇ ନାହାନ୍ତି । ୨୦୧୭/୧୮ରୁ ଦୀର୍ଘ ୪ବର୍ଷ କାଳ ସରକାର ୩ କୋଟି ୯୯ ଲକ୍ଷଟଙ୍କା ବ୍ୟୟ କରି ବରଗଡକୁ ବିଷମୁକ୍ତ ଖାଦ୍ୟ ଯୋଗାଇଦେବା ସହ ଏକ ଆତ୍ମନିର୍ଭରଶୀଳ କୃଷି ବ୍ୟବସ୍ଥା ସହ ରୋଗମୁକ୍ତ ସମାଜ ନିର୍ମାଣ କରିବାର ଲକ୍ଷ ଆଜି ଫଳହୀନ ହୋଇଯାଇଛି ଏବଂ ଅଭ୍ୟୁଦୟ ଏନଜିଓ ସଂସ୍ଥାର ସମ୍ପାଦକ ହରେଶ କୁମାର ନାଏକ କୋଟି କୋଟି ଟଙ୍କା ଆତ୍ମସାତ କରି ନିର୍ଭୟରେ ବୁଲୁଛନ୍ତି । ଏତେ ସବୁ କଳା କାରନାମା ସତ୍ତ୍ୱେ ସଂପୃକ୍ତ ଏନଜିଓକୁ କଳା ତାଳିକା ଭୁକ୍ତ କରାନଯିବା ଚର୍ଚ୍ଚାର ବିଷୟ ଅଟେ ବୋଲି ଚାଷୀ ମାନେ ଦୃଢ଼ ଅଭିଯୋଗ କରିଛନ୍ତି ।