ଫିଲ୍ମ ଷ୍ଟାଇଲରେ ଚାକିରୀ ଠକକୁ ଧରିଲେ ଯୁବତୀ
ଅନୁଗୁଳ: ଚାକିରି ଦେବା ବାହାନାରେ ଯୁବତୀଙ୍କ ଠାରୁ ଟଙ୍କା ଠକି ନେବା ଅଭିଯୋଗରେ ଜଣେ ଯୁବକକୁ ଅନୁଗୁଳ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଅନୁଗୁଳ ତଳମୂଳ ଗାଁର ପୁଲକ ପ୍ରସାଦ ପାଣିଗ୍ରାହୀ ମୟୂରଭଞ୍ଜ ଜିଲ୍ଲାର ସୁଶ୍ରୀ ପଲ୍ଲିଶ୍ରୀ ନାମକ ଜଣେ ଯୁବତୀଙ୍କୁ ଏକ ଅନ ଲାଇନ ଆପ ମାଧ୍ୟମରେ ଚାକିରି ଦେବେ କହି ନିଜ ନମ୍ବର ଦେଇଥିଲେ। ପରେ ପଲ୍ଲିଶ୍ରୀ କଥା ହୋଇଥିବା ବେଳେ ପୁଲକ ତାଙ୍କୁ ଆଇଡି କାର୍ଡ ସହ ଅନୁଗୁଳ ଜିଲ୍ଲାର ଏକ ବଡ଼ ଘରୋଇ କମ୍ପାନୀରେ ଚାକିରି କରୁଥିବା କହିଥିଲେ। ପଲ୍ଲିଶ୍ରୀଙ୍କୁ ଚାକିରି କରାଇଦେବେ କହି ସେ ତାଙ୍କଠାରୁ କିଛି ଡକ୍ୟୁମେଣ୍ଟ ଓ କିସ୍ତିରେ ୯୦ ହଜାର ୫୦୦ ଟଙ୍କା ଆଣିଥିଲେ । କିନ୍ତୁ ଟଙ୍କା ପାଇ ସାରିଲା ପରେ ପୁଲକ ଚାକିରି ଦେଇ ନ ଥିଲେ କି ଟଙ୍କା ବି ଫେରାଇ ନଥିଲେ। ସେ ପଲ୍ଲିଶ୍ରୀଙ୍କ ଫୋନ ନମ୍ବରକୁ ବି ବ୍ଲକ ମଧ୍ୟ କରିଦେଇଥିଲେ। ପରେ ପଲ୍ଲିଶ୍ରୀ ଉପାୟ ନ ପାଇ ପିଉସୀ ଭାଇର ସହାୟତା ନେଇଥିଲେ। ତାଙ୍କ ଭାଇ ଚାକିରି ଖୋଜୁଥିବା ବାହାନାରେ ପୁଲକଙ୍କୁ ଫୋନ କରିଥିଲା। ପୁଲକ ତାଙ୍କୁ ମଧ୍ୟ ୧୫ ହଜାର ଟଙ୍କା ମାଗିଥିଲା। ପ୍ଲାନ ଅନୁସାରେ ଭାଇ-ଭଉଣୀ ଅନୁଗୁଳ ବସଷ୍ଟାଣ୍ଡ ଆସି ପୁଲକଙ୍କୁ ଡାକିଥିଲେ। ପୁଲକ ଆସିବା ପରେ ପଲ୍ଲିଶ୍ରୀ ଟଙ୍କା ଫେରସ୍ତ ପାଇଁ କହିବାରୁ ପୁଲକ ଝଗଡା କରିଥିଲେ। ଏ ନେଇ ପଲ୍ଲିଶ୍ରୀ ଅନୁଗୁଳ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ବସଷ୍ଟାଣ୍ଡରୁ ପୁଲକଙ୍କୁ ଆଣି ପଚରାଉଚରା ପରେ ଦଫା ୪୨୦/୫୦୬ ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।