ସାମୂହିକ ଛୁଟିରେ ପିଇଓ;
ପଞ୍ଚାୟତ କାମ ଠପ୍
ଅନୁଗୁଳ:
ଦୁଇ ଦଫା ଦାବି ନେଇ ଆନ୍ଦୋଳନରେ ପଞ୍ଚାୟତ ନିର୍ବାହୀଅଧିକାରୀ(ପିଇଓ) । ଜିଲ୍ଲାର ସମସ୍ତ ପିଇଓ ସାମୂହିକ ଛୁଟିରେ ଯାଇ ଅନୁଗୁଳ ତହସିଲ୍ ଅଫିସ୍ ସାମ୍ନାରେ ଧାରଣାରେ ବସିଛନ୍ତି। ଦିନେ କି ଦୁଇ ଦିନ ନୁହଁ, ୧୦ ଦିନ ସମସ୍ତ ପିଇଓ ଛୁଟିରେ ଥିବା ବେଳେ ପଞ୍ଚାୟତର ସମସ୍ତ କାମ ଠପ୍ ହୋଇପଡ଼ିଛି। ବିଭିନ୍ନ କାମ ନେଇ ପଞ୍ଚାୟତକୁ ଯାଉଥିବା ଲୋକ ନିରାଶ ହୋଇ ଫେରୁଛନ୍ତି। ସୂଚନା ମୁତାବକ, ସରକାରଙ୍କ ପାଖରେ ବହୁବାର ଦାବି ଉପସ୍ଥାପନ କରିବା ପରେ କୌଣସି ସୁଫଳ ମିଳିଲାନି। ତେଣୁ ଗତ ୧୮ ତାରିଖରୁ ଜିଲ୍ଲାର ସମସ୍ତ ପିଇଓ ଅନୁଗୁଳ
ତହସିଲ୍ ଅଫିସ୍ ସାମ୍ନାରେ ଧାରଣାରେ ବସିଛନ୍ତି। ଦାବି କରିଛନ୍ତି, ପିଇଓ ପଦବିର ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତଦୁଇରୁ ଗ୍ରାଜୁଏସନ୍ କରିବା ସହିତ ଦରମା ହାର ୨୧ ହଜାର ୭୦୦ରୁ ୩୫ ହଜାର ୪୦୦ ଟଙ୍କାକୁ ବୃଦ୍ଧି କରାଯାଉ। ସେହିପରି ନୂତନ ପଦବି ସୃଷ୍ଟି କରି ୧୦ ବର୍ଷ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ନିର୍ବାହୀ ଅଧିକାରୀମାନଙ୍କୁ ପଦୋନ୍ନତି ପ୍ରଦାନ
ସହିତ ଜିପିଡିଓ ପଦବିରେ ଶତପ୍ରତିଶତ ପଦୋନ୍ନତି ପ୍ରଦାନ କରିବା ଓ ଓପିଆର୍ଏସ୍ କ୍ୟାଡର ରୁଲ୍ରେ ଅନ୍ତର୍ଭୁକ୍ତ କରିବାକୁ ଦାବିପତ୍ରରେ ଦର୍ଶାଇଛନ୍ତି । ସରକାର ଦାବି ପୂରଣ ନେଇ ପଦକ୍ଷେପ ଗ୍ରହଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ନିଖିଳ
ଉତ୍କଳ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଅନୁଗୁଳ ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି। ସେପଟେ ପିଇଓମାନଙ୍କ ସାମୂହିକ ଛୁଟି ଯୋଗୁ ପଞ୍ଚାୟତ ସ୍ତରରେ କାର୍ଯ୍ୟ ହେଉଥିବା ସରକାରଙ୍କ ଉନ୍ନୟନମୂଳକ କାମ ଠପ୍ ହୋଇପଡ଼ିଛି। ବିଭିନ୍ନ ଯୋଜନା
ପାଇବାରେ ହିତାଧିକାରୀ ଓ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।