ରଣପୁର ବ୍ଲକ୍ ନରେନ୍ଦ୍ରପୁର ପଞ୍ଚାୟତସ୍ଥ ବିଡିଏ ବିଦ୍ୟାପୀଠ (ହାଇସ୍କୁଲ) ଓ ନରେନ୍ଦ୍ରପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବ୍ୟକ୍ତିତ୍ବ ବିକାଶ କାର୍ଯ୍ୟକ୍ରମ ହାଇସ୍କୁଲର ପ୍ରଧାନଶିକ୍ଷକ ମନୋଜ କୁମାର ଗୁମାନସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାମକୃଷ୍ଣ ମିଶନର ବରିଷ୍ଠ ସନ୍ନ୍ୟାସୀ ସ୍ବାମୀ ସୁଦର୍ଶନାନନ୍ଦ ମହାରାଜ ଯୋଗଦେଇ ସେବା, ତ୍ୟାଗ ଓ ଆତ୍ମବିଶ୍ବାସ ବୃଦ୍ଧି କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସ୍ବାମୀ ବିବେକାନନ୍ଦଙ୍କୁ ଜୀବନ ଆଦର୍ଶ ଭାବେ ଗ୍ରହଣ କରିବାକୁ ଉପଦେଶ ପ୍ରଦାନ କରିଥିଲେ। "ଆତ୍ମନୋ ମୋକ୍ଷାର୍ଥ ଜଗତ ହିତାୟ ଚ" - ନିଜ ଆତ୍ମାର ମୁକ୍ତି ନିମନ୍ତେ ଜଗତର ହିତସାଧନ କରିବା ଲକ୍ଷ୍ୟରେ ସମଗ୍ର ବିଶ୍ବରେ ରାମକୃଷ୍ଣ ବିବେକାନନ୍ଦ ଭାବ ଆନ୍ଦୋଳନ ଚାଲୁରହିଛି ବୋଲି ସନ୍ନ୍ୟାସୀ ମହାରାଜ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ରୋହିତ କୁମାର ରଥ ଯୋଗଦେଇ ଛାତ୍ରଛାତ୍ରୀମାନେ ଜୀବନର ଲକ୍ଷ୍ୟ ସ୍ଥିରକରି ତା'ଉପରେ ଏକାଗ୍ରତା ଓ ଆତ୍ମବିଶ୍ବାସ ସ୍ଥାପନ କରିବା ନିମନ୍ତେ ଆହ୍ବାନ ଦେଇଥିଲେ। ରାମକୃଷ୍ଣ ସେବାଶ୍ରମର ସଦସ୍ୟ ଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡା, ମଇଂ ସ୍କୁଲର ଶିକ୍ଷୟିତ୍ରୀ ମୀରାବାଳା ନାୟକ ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିତ୍ବ ବିକାଶ ସଂପର୍କରେ ଉଦ୍ବୋଧନ ଦେଇଥିଲେ। ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ ଓ ବାଣୀ ସମ୍ବନ୍ଧରେ ବିନା ପ୍ରସ୍ତୁତିରେ ବାଗ୍ମୀତା ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶକ୍ତିରୂପା ସାହୁ ପ୍ରଥମ ଓ ଭାରତୀ ରାଉତରାୟ ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଉତ୍କଳ ରାମକୃଷ୍ଣ ସଂଘର ସଞ୍ଚାଳକ ରବିନାରାୟଣ ମହାନ୍ତି ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ୧୫୦ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ପୁସ୍ତକ ବଣ୍ଟନ କରିଥିଲେ। ସର୍ବଶେଷରେ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୌରୀ ଦେଈ ଧନ୍ୟବାଦ ଅର୍ପଣ କରିଥିଲେ।